banner
Breaking

ଆଜି ଶାମ୍ବ ଦଶମୀ। ଏହାର ମହତ୍ତ୍ଵ ବିଷୟରେ ଜାଣନ୍ତୁ।

0

ଭୁବନେଶ୍ୱର,୨୩/୧(ଓଡ଼ିଆ ନ୍ୟୁଜ):ଆଜି ହେଉଛି ପୌଷମାସ ଶୁକ୍ଲପକ୍ଷ ଦଶମୀ। ଏହି ଦିନଟିକୁ ହିନ୍ଦୁମାନେ ଶାମ୍ବ ଦଶମୀ ବା ଶମ୍ବର ଦଶମୀ ଭାବେ ପାଳନ କରିଥାନ୍ତି ।
ଏହା ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା ସୂର୍ଯ୍ୟଦେବତାଙ୍କର ପୂଜା। ଆଜି ମୁଖ୍ୟତଃ ସୂର୍ଯ୍ୟଦେବତାଙ୍କୁ ଯଥାବିଧି ଭାବେ ପୂଜାର୍ଚ୍ଚନା କରାଯାଇ ବାଇଗଣ ପତ୍ରରେ ଖୁଦଜାଉ, ତରକାରୀ ଭୋଗ କରାଯାଇ ସୂର୍ଯ୍ୟଦେବଙ୍କୁ ସମର୍ପଣ କରାଯାଇ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଏ। କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପ୍ରଚୁର ପରିମାଣରେ ପନିପରିବା ମିଳିଥାଏ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ ଘଡଘଡିଆ ତରକାରୀ ବା ଘାଣ୍ଟ ତରକାରୀ କୁହାଯାଏ। ଏହାସହ ଏହି ଦିନ ନବଗ୍ରହ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଏ।
ପୂଜା ବିଧି –
ଘରର ବୟୋଜ୍ୟେଷ୍ଠ ମହିଳାମାନେ ନିଜ ପରିବାରର ମଙ୍ଗଳକାମନା କରି ସୂର୍ଯ୍ୟଦେବଙ୍କୁ ବିଭିନ୍ନ ପ୍ରକାରର ଫଳମୂଳ, ମିଠା, ପିଠା ଓ ତରକାରୀ ବାଢି ଥାନ୍ତି। ଏହାକୁ ମଧ୍ୟ କିଛିଲୋକ ବଢାକୁଢା ବୋଲି କହିଥାନ୍ତି। ଏହି ପର୍ବକୁ ନିଷ୍ଠାର ସହ ପାଳନ କରାଯାଏ। ସୂର୍ଯ୍ୟଦେବତାଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ଘରେ ତିନି ପ୍ରକାରର ପୂଜା ହୋଇଥାଏ। ପ୍ରଥମେ ସ୍ନାନ ସାରି ସୂର୍ଯୋଦୟ ପରେ ଫଳମୂଳ ଓ ମିଷ୍ଟାନ୍ନ ଆଦି ନୈବେଦ୍ୟ ବଢାଯାଏ।ଏହାପରେ ମଧ୍ୟାହ୍ନରେ ବିଭିନ୍ନ ପ୍ରକାରର ପିଠା, ମିଠା, ଘାଣ୍ଟ ତରକାରୀ ସୂର୍ଯ୍ୟଦେବତାଙ୍କୁ ଅର୍ପଣ କରାଯାଏ। ଶେଷରେ ସୂର୍ଯ୍ୟସ୍ତ ପୂର୍ବରୁ ମଧ୍ୟ ପ୍ରଭୁଙ୍କୁ ଧୂପଦୀପ , ବିଭିନ୍ନ ପ୍ରକାରର ପିଠା ଭୋଗ ଅର୍ପଣ କରାଯାଏ।

ଅନ୍ୟ କେତେକ ମତରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ବିଧିବିଧାନ ଓ ଭିନ୍ନ ଭିନ୍ନ ବ୍ୟଞ୍ଜନରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯାଏ। ପରିବାରର ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ନିତ୍ୟକର୍ମ ସାରି ଘର ଅଗଣାରେ ବା ତୁଳସୀ ଚଉରା ମୂଳରେ ଚିତା କାଟି କଦଳୀ ପତ୍ରରେ ସକାଳ ଧୂପ ପାଇଁ ମଣ୍ଡାପିଠା, କାକରା, ବିରି ବରା, ମକର ଚାଉଳ, ଛେନାଗୁଡ଼, ଖିରି ଏବଂ ମିଠା ଦହି ଉଦିତ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣକରନ୍ତି। ଅପରାହ୍ନରେ ପାନପତ୍ର ଓ ହଳଦୀପାଣି ସିଞ୍ଚନ ପୂର୍ବକ ଅନ୍ନଭୋଗ ହୋଇଥାଏ। ସନ୍ଧ୍ୟାରେ ଯମଙ୍କ ଉଦ୍ଦେଶ୍ୟରେ ମହାକାଳ ପୂଜା ହୁଏ ଏବଂ ବୁଢ଼ା ଚକୁଳି ପୂଜା କରାଯାଇଥାଏ।

କିମ୍ବଦନ୍ତୀ ଅନୁସାରେ ଏକଦା ଶ୍ରୀକୃଷ୍ଣ ଅନ୍ତଃପୁରର ଦ୍ବାର ଜଗିବା ପାଇଁ ପୁତ୍ର ଶାମ୍ବଙ୍କୁ ଦାୟିତ୍ବ ଦେଇଥିଳେ। ହଠାତ୍‌ ପହଞ୍ଚିଲେ ମହାକ୍ରୋଧୀ ଦୁର୍ବାସା ମୁନି। ସେ ସଙ୍ଗେ ସଙ୍ଗେ କୃଷ୍ଣଙ୍କୁ ସାକ୍ଷାତ ପାଇଁ ଚାହିଁଲେ। ଶାମ୍ବ ଏଥିରେ ବ୍ୟତିକ୍ରମ କରି ଅନ୍ତଃପୁରରେ ପ୍ରବେଶ କରି କୃଷ୍ଣ ଙ୍କୁ ଡାକିବାରୁ କୃଷ୍ଣ ହଠାତ୍‌ ରାଗିଯାଇ ଶାମ୍ବ କୁଷ୍ଠ ରୋଗାକ୍ରାନ୍ତ ହେଉ ବୋଲି ଅଭିଶାପ ଦେଇଥିଲେ। ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ ଏବଂ ଏଥିରୁ ମୁକ୍ତ ହେବା ପାଇଁ କୋଣାର୍କର ଅର୍କକ୍ଷେତ୍ରରେ ୧୨ ବର୍ଷ କାଳ କଠୋର ତପସ୍ୟା ଓ ସୂର୍ଯ୍ୟ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ। ଏହି ବିଶ୍ବାସ ଆଧାରରେ ଉପକୂଳ ଓଡ଼ିଶାର ଜନଜୀବନରେ ସୂର୍ଯ୍ୟ ଉପାସନାର ମହତ୍ତ୍ବ ରହିଛି। ପ୍ରତିଟି ପରିବାରର ମା’ମାନେ ଘରର ପ୍ରତ୍ୟେକ ସଦସ୍ୟଙ୍କ ମଙ୍ଗଳ ସ୍ବାସ୍ଥ୍ୟର କାମନା କରି ରୋଗ ଅନୁଯାୟୀ ନିର୍ଦ୍ଦିଷ୍ଟ ଭୋଗ ବାଢ଼ିଥାନ୍ତି। ସର୍ବୋପରି ସୂର୍ଯ୍ୟ ପୁରାଣ ଅନୁଯାୟୀ ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କ ପୁତ୍ର ଶାମ୍ବ ନିଜ ପିତା ଶ୍ରୀକୃଷ୍ଣଙ୍କ ଦ୍ବାରା ଶାପଗ୍ରସ୍ତ ହେବା ପରେ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ପ୍ରାପ୍ତି ହୋଇଥିଲେ। ଏହି ତିଥିରେ ସୂର୍ଯ୍ୟ ଉପାସନା କଲେ ପରିବାରରେ ସୁଖଶାନ୍ତି ସହିତ ସୁସ୍ବାସ୍ଥ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.