ଟୀକା ଓ ଟେଷ୍ଟି° କ୍ଷେତ୍ରରେ ଭାରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ନୂଆଦିଲ୍ଲୀ,୬/୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କରୋନାଭାଇରସ୍ ଟିକା ବିକାଶ ସମ୍ବନ୍ଧୀୟ ଟାସ୍କ ଫୋର୍ସ ବୈଠକରେ ଟିକା ବିକାଶ, ଔଷଧ ଆବିଷ୍କାର, ନିଦାନ ଓ ପରୀକ୍ଷଣ ଆଦିରେ ଭାରତର ସାମ୍ପ୍ରତିକ ଉଦ୍ୟମ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ରିଲିଜ୍ ହୋଇଥିବା ବିବୃତି ଅନୁସାରେ, ପ୍ରାଥମିକ ପର୍ଯ୍ୟାୟ ଟିକା ବିକାଶ ଗବେଷଣାରେ ଭାରତୀୟ କମ୍ପାନିମାନେ ନୂତନ ଉଦ୍ଭାବକ ହୋଇସାରିଛନ୍ତି। ଦେଶରେ ଔଷଧ ବିକାଶ ନିମନ୍ତେ ତିନୋଟି ଦିଗ ଉପରେ ଦୃଷ୍ଟି ଦିଆଯାଉଛି। ପ୍ରଥମଟି ହେଲା, ଅନ୍ୟାନ୍ୟ ରୋଗ ନିମନ୍ତେ ଉଦ୍ଦିଷ୍ଟ ଔଷଧ ସବୁ କରୋନାଭାଇରସ୍ କ୍ଷେତ୍ରରେ ପ୍ରୟୋଗ କରାଇବା। ଅନ୍ୟୂନ ଚାରିଟି ଔଷଧ କାମ ଦେଇପାରେ ବୋଲି ଆଶା କରି ପରୀକ୍ଷା କରାଯାଉଛି। ଦ୍ବିତୀୟରେ ନୂଆ କ୍ୟାଣ୍ଡିଡେଟ୍ ଔଷଧ ଓ ମଲିକ୍ୟୁଲ୍ ପରୀକ୍ଷା କରାଯାଉଛି। ତୃତୀୟତଃ, ଭୂତାଣୁ ପ୍ରତିରୋଧକ କ୍ଷମତା ଥିବା ଉଦ୍ଭିଦ ନିର୍ଯ୍ୟାସ ପରୀକ୍ଷା କରାଯାଉଛି।
କରୋନାଭାଇରସ୍ ବିରୋଧରେ ୩୦ରୁ ଊର୍ଦ୍ଧ୍ବ ପ୍ରତିଷେଧକ ଟିକା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଥିରୁ ଭାରତରେ ଅଳ୍ପ କେତୋଟି ଟିକା ଡାକ୍ତରୀ ପରୀକ୍ଷା ପର୍ଯ୍ୟାୟକୁ ଯିବ ବୋଲି ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ଟାସ୍କ୍ ଫୋର୍ସ ବୈଠକରେ କହିଛନ୍ତି।
ସେହିପରି ଟେଷ୍ଟି° କ୍ଷେତ୍ରରେ ଭାରତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନାଭାଇରସ୍ ସଂକ୍ରମଣ ନମୁନା ପରୀକ୍ଷା ନିମନ୍ତେ କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ’ (ସିଏସ୍ଆଇଆର୍) ‘ଫେଲୁଦା’ ନାମକ ଏକ କାଗଜ-ପଟି ତିଆରି କରିଛି। ସତ୍ୟଜିତ୍ ରାୟଙ୍କ କାଳ୍ପନିକ ଗୁଇନ୍ଦା ଚରିତ୍ର ‘ଫେଲୁଦା’ ନାମାନୁସାରେ ଏହି ପରୀକ୍ଷା-ପଟିର ନାମକରଣ କରାଯାଇଛି। ଏ ମାସ ଶେଷ ସୁଦ୍ଧା ସ୍ଥଳବିଶେଷରେ ଦ୍ରୁତ ଗଣପରୀକ୍ଷା କରାଇବା ଆଶାରେ ଏହି ପରୀକ୍ଷା-ପଟିର ବ୍ୟାପକ ପ୍ରସାର ଓ ବହୁଳ ବ୍ୟବହାର ନିମନ୍ତେ ‘ସିଏସ୍ଆଇଆର୍’ ‘ଟାଟା ସନ୍ସ’ ସହ ସାମିଲ ହୋଇଛି।ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନରେ ଉଦ୍ଭାବିତ ‘ଫେଲୁଦା’ ସାମ୍ପ୍ରତିକ କୋଭିଡ୍-୧୯ ପରିସ୍ଥିତି ଊଣା କରିବା ଏବଂ ଗଣ ପରୀକ୍ଷଣ ସୁବିଧା କରାଇବାକୁ ଉଦ୍ଦେଶ୍ୟରେ ନିର୍ମିତ। ସବୁଠୁ ବଡ଼ କଥା ହେଉଛି ଏହାର ଦାମ କମ୍, ବ୍ୟବହାର ବିଧି ସହଜ। ଅନ୍ୟ ଏକ କଥା ହେଲା ଏହା ବ୍ୟୟବହୁଳ କ୍ବି-ପିସିଆର୍ ମେସିନ୍ ଉପରେ ନିର୍ଭରଶୀଳ ନୁହେଁ।
‘ଫେଲୁଦା’କୁ ଉଦ୍ଭାବନ କରିଛି ‘ସିଏସ୍ଆଇଆର୍’ର ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲଜି’।