ଭୁବନେଶ୍ୱର,୨୪/୧୦: ଭୁବନେଶ୍ଵର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କୁଆଖାଇ ନଦୀ ପଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ପାଇଁ ଭୁବନେଶ୍ଵରର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ରୁଦ୍ରନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ସର୍କିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଛି। ଏବର୍ଷ ରାଜ୍ୟର ବିଭିନ୍ନ ଉତ୍ପାଦ ଏଠାରେ ବିକ୍ରୟ କରିବାକୁ ବ୍ୟବସ୍ଥା ହେବ। ରାଜ୍ୟର ଐତିହ୍ୟ, ପରମ୍ପରା ଓ ଅସ୍ମିତାର ସ୍ବତନ୍ତ୍ର ପ୍ରଦର୍ଶନ କରାଯିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିପାଇଁ ଆଲୋକୀକରଣ, ରାସ୍ତା ମରାମତି, ପାର୍କିଂ, ପୁଲିସ ମୁତୟନ, ପାନୀୟ ଜଳ ଓ ଶୌଚାଳୟ, ଖାଦ୍ୟମାନ ଯାଞ୍ଚ, ଆଶୁ ଚିକିତ୍ସା ବ୍ୟବସ୍ଥା, ସୁରକ୍ଷା ଓ ଟ୍ରାଫିକ୍ ଆଦି ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ କୁହାଯାଇଛି।
ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ କମିଟି ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବର ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଲେ ବାଲିଯାତ୍ରା ହେଉଛି ଆମ ଅସ୍ମିତାର ପରିଚୟ ଏହି ମହୋତ୍ସବକୁ ସଫଳ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ।

ବୈଠକରେ କମିଟିର ଉପଦେଷ୍ଟା ତଥା ବିଜେପି ଉପସଭାପତି ଗୋଲକ ମହାପାତ୍ର ଯୋଗଦେଇ ମହୋତ୍ସବର ଆୟୋଜନର ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ | କମିଟିର କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା ମହୋତ୍ସବ ପାଳନର ରୂପରେଖ ସମ୍ପର୍କରେ ଧାରଣା ଦେଇଥିଲେ। ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀବାଳା ଜେନା, ଭୁବନେଶ୍ବର ବିଡିଓ ଦେବୀପ୍ରସାଦ ମହାନ୍ତି, ବିଭିନ୍ନ ବିଭାଗର ଅଧିକାରୀ, କମିଟିର ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ଉପଦେଷ୍ଟା ଜୀବନ ବଡୁ, ପୂର୍ବତନ ସଭାପତି ଅଭୟ ବଡ଼ଜେନା, ଅନ୍ନପୂର୍ଣ୍ଣା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |




