banner
Breaking

ମଦ ପାଇଁ ଠେଲାପେଲା। ୧୦୦୦ କୋଟି ପିଇଦେଲେ।

0

ନୂଆଦିଲ୍ଲୀ,୬।୫(ବ୍ୟୁରୋ) : ୪୦ ଦିନର ଲକ୍‌ଡାଉନ୍‌ ଯୋଗୁ ଦେଶରେ ଆର୍ଥିକ କାର୍ଯ୍ୟକଳାପ ଠପ୍‌ ହୋଇପଡ଼ିଛି । କଳାକାରଖାନା, ପରିବହନ, ଶିଳ୍ପ, ବିମାନ ଚଳାଚଳ, ରେଳ, ସଫ୍ଟୱେର, ରିଅଲ୍‌ ଇଷ୍ଟେଟ୍‌ ଆଦି କ୍ଷେତ୍ର ଅତ୍ୟନ୍ତ ପ୍ରଭାବିତ ହୋଇଛି । ଏଥିଯୋଗୁ ଘରୋଇ ଅର୍ଥନୀତି ସାଂଘାତିକ ଭାବେ ଖସିବ ବୋଲି ଆଶଙ୍କା କରାଯାଉଛି । ତେବେ ମଦ ଦୋକାନ ଖୋଲିବା ନେଇ କେନ୍ଦ୍ରର ନିଷ୍ପତ୍ତି ଅର୍ଥନୀତିକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ମନେହେଉଛି । ଦୁଇଦିନରେ ଦେଶରେ ୧,୦୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ସୋମବାରଠାରୁ ଦେଶବ୍ୟାପୀ ମଦଦୋକାନ ଖୋଲିଥିଲା । ଦୋକାନ ନ ଖୋଲୁଣୁ ହଜାର ହଜାର ଗ୍ରାହକ ଧାଡ଼ିରେ ଛିଡ଼ା ହୋଇଥିଲେ । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହରରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା । ଲୋକମାନେ କୋଭିଡ-୧୯ ନିୟମ ଉଲ୍ଲଂଘନ କରିଥିଲେ । ଫଳରେ ପୁଲିସ ଦଳ ମୁତୟନ କରାଯାଇଥିଲା । ଦିଲ୍ଲୀର କେତେକ ସ୍ଥାନରେ ପରିସ୍ଥିତି ଅଣାୟତ୍ତ ହେବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଠୋର କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିଲେ । ଏମିତି କି ଲୋକମାନେ ନିୟମ ନ ମାନିଲେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯିବ ବୋଲି କହିଥିଲେ । ଏହାପରେ ପୁଲିସ ଯାଇ ଅନେକ ଦୋକାନ ସାମ୍ନାରେ ସ୍ଥିତି ନିୟନ୍ତ୍ରଣ କରିଥିଲା ।

ଦିଲ୍ଲୀରେ ମଦ ପାଇଁ ଲୋକଙ୍କ ଗହଳି ଆଜି ବି ପୂର୍ବଭଳି ରହିଥିଲା । ଦୋକାନ ଖୋଲିବାର କେଇ ଘଣ୍ଟା ପୂର୍ବରୁ ଗ୍ରାହକଙ୍କ ଗହଳି ହୋଇଥିଲା । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ମଦର ସର୍ବାଧିକ ଖୁଚୁରା ମୂଲ୍ୟ ବା ଏମ୍‌ଆର୍‌ପି ଉପରେ ୭୦% ଟିକସ ବୃଦ୍ଧି କରାଯାଇଥିଲା । ଏହାଦ୍ୱାରା ଦର ଅଚାନକ ବଢ଼ିଯାଇଥିଲା । ତଥାପି ଗ୍ରାହକମାନେ ମାନି ନ ଥିଲେ । ଦର ବଢ଼ିଥିଲେ ବି ଉଚ୍ଚା ମୂଲ୍ୟରେ ମଦ ବୋହିବାରେ ଲାଗିଥିଲେ । ଦିଲ୍ଲୀ ପରେ ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ଟିକସ ବୃଦ୍ଧି କରିଛନ୍ତି । ଟିକସ ବୃଦ୍ଧି ଯୋଗୁ ରାଜ୍ୟରେ ମଦ ଦର ୭୫% ବୃଦ୍ଧି ପାଇଛି । ମଙ୍ଗଳବାର ଅପରାହ୍ନରୁ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପରେ ମଦ ଦର ଅଚାନକ ବଢ଼ିଯାଇଥିଲା । କିନ୍ତୁ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କୁ ଏହା ନିରାଶ କରି ନ ଥିଲା । ସେମାନେ ମଦ ବୋହିନେଇଥିଲେ । ୪୦ ଦିନର ଲକ୍‌ଡାଉନ୍‌ ପରେ ଦୋକାନ ଖୋଲିଥିବାରୁ ଗ୍ରାହକମାନେ କିଛି ମାନି ନ ଥିଲେ ।

କର୍ଣ୍ଣାଟକରେ ଗତକାଲି ସକାଳ ୯ଟା ପୂର୍ବରୁ ଦୋକାନ ଖୋଲିଥିଲା । କିନ୍ତୁ ସକାଳ ୬ଟାରେ ଗ୍ରାହକମାନେ ଭିଡ଼ ଜମାଇଥିଲେ । ଅଧିକାଂଶ ଦୋକାନ ସାମ୍ନାରେ ସମାନ ପରିସ୍ଥିତି ଦେଖାଦେଇଥିଲା । କିଛି କାଉଣ୍ଟର ସାମ୍ନାରେ ଲୋକମାନେ ହେଲମେଟ, ଟେକାପଥର ରଖି ଲାଇନ କରିବା ଦେଖିବାକୁ ମିଳିଥିଲା । ରାଜ୍ୟରେ ଦିନକରେ ୪୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଅବକାରୀ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି । ଜଣେ ଅବକାରୀ ଅଧିକାରୀଙ୍କ କହିବାନୁଯାୟୀ ରାଜ୍ୟରେ ପାଖାପାଖି ୪,୨୦୦ ମଦଦୋକାନ ସୋମବାର ଖୋଲିଥିଲା । ସେମାନେ ମୋଟ ପାଖାପାଖି ୮.୫ ଲକ୍ଷ ଲିଟର ଦେଶୀ ମଦ ବିକ୍ରି କରିଥିଲେ । ସେହିଭଳି ୩.୯ ଲକ୍ଷ ଲିଟର ବିୟର ବିକ୍ରି ହୋଇଥିଲା । ଏହାର ମୂଲ୍ୟ ପାଖାପାଖି ୪୫ କୋଟି ଟଙ୍କା ହେବ । କେତେକ ସ୍ଥାନରେ ଅପରାହ୍ନ ବେଳକୁ ମଦ ଦୋକାନ ଖାଲି ହୋଇଯାଇଥିଲା । ଗ୍ରାହକ ପିଛା ୨.୬ ଲିଟର ମଦ ଦେବା ପାଇଁ ନିୟମ ହୋଇଥିଲା । ଏହାକୁ କିଛି କାଉଣ୍ଟର ମାନିଥିଲା ବେଳେ କିଛି ଦୋକାନ ମାନି ନ ଥିଲେ ।

ଅନ୍ୟପକ୍ଷରେ ପ୍ରଥମ ଦିନରେ ଉତ୍ତର ପ୍ରଦେଶରେ ଗ୍ରାହକମାନେ ୧୦୦ କୋଟି ଟଙ୍କାର ମଦ କିଣିଥିଲେ । ରାଜ୍ୟରେ ପୂର୍ବରୁ ଦିନକରେ ୭୦-୮୦ କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ । କିନ୍ତୁ ୪୦ ଦିନ ପରେ ମଦ ଦୋକାନ ଖୋଲିଥିବାରୁ ବିକ୍ରି ଏଭଳି ବୃଦ୍ଧି ପାଇଥିଲା । ୟୁପିରେ ମଧ୍ୟ କର୍ଣ୍ଣାଟକ ଭଳି ସ୍ଥିତି ଉପୁଜିଥିଲା । ଲୋକମାନେ ଏତେ ପରିମାଣର ମଦ କିଣିବା ଯୋଗୁ ଅପରାହ୍ନ ବେଳକୁ ଦୋକାନ ଖାଲି ହୋଇଯାଇଥିଲା । ରାଜ୍ୟର ଅଧିକାଂଶ ସ୍ଥାନରେ ମଦ ଦୋକାନ ସାମ୍ନାରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା । ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ୨୫,୬୦୦ରୁ ଅଧିକ ମଦ ଦୋକାନ ବନ୍ଦ ରହିଥିଲା । ତେବେ ରାଜ୍ୟରେ ପ୍ରଥମ ଦିନରେ ୨୦୦ କୋଟି ଟଙ୍କାର କାରବାର ହୋଇଥିବା ସଂଘ ସୂତ୍ରରୁ ଜାଣିବାକୁ ମିଳିଛି ।

ଅନ୍ୟପକ୍ଷରେ ଆଉ କେତେକ ରାଜ୍ୟ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇ ନ ଥିବା ବେଳେ ଛତିଶଗଡ଼ରେ ଅନ୍‌ଲାଇନ୍‌ରେ ବିକ୍ରି କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ଦେଶରେ ଥମିବା ପରିବର୍ତ୍ତେ ମଙ୍ଗଳବାର ଏହା ଅଚାନକ ବୃଦ୍ଧି ପାଇଛି । ତେଣୁ ଦୋକାନ ଖୋଲିବା ଦ୍ୱାରା ସଂକ୍ରମଣ ଆହୁରି ବଢ଼ିପାରେ ବୋଲି ରାଜ୍ୟ ମନେକରୁଛି । ସେଥିପାଇଁ ଛତିଶଗଡ଼ ସରକାର ଅନ୍‌ଲାଇନ୍‌ ମଦ ବିକ୍ରି ଅନୁମତି ଦେଇଛନ୍ତି । ଏଥିଲାଗି ସରକାର ଏକ ୱେବସାଇଟ ଏବଂ ମୋବାଇଲ ଆପ୍ଲିକେସନ ଉନ୍ମୋଚନ କରିଛନ୍ତି । ଦୋକାନରେ ଗହଳିକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସରକାର ଏକ ବିବୃତିରେ କହିଛନ୍ତି, ଛତିଶଗଡ଼ ରାଜ୍ୟ ବିପଣନ ନିଗମ ଲିମିଟେଡ (ସିଏସ୍‌ଏମ୍‌ସିଏଲ୍‌) ସହିତ ରାଜ୍ୟର ମଦ ଦୋକାନଗୁଡ଼ିକ ସଂଯୋଗ ହୋଇଛନ୍ତି । ତେଣୁ ସିଏସ୍‌ଏମ୍‌ସିଏଲ୍‌ ୱେବସାଇଟ ଜରିଆରେ ଗ୍ରାହକମାନେ ମଦ ନେଇପାରିବେ । ଗ୍ରାହକମାନେ ସେମାନଙ୍କ ମୋବାଇଲ ଫୋନ ନମ୍ବର ଦ୍ୱାରା ପଞ୍ଜୀକରଣ କରାଇବା ଆବଶ୍ୟକ ବୋଲି କୁହାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.