banner
Breaking

ପ୍ରଭୁଙ୍କୁ ଜ୍ବର, ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା।

0

ପୁରୀ ,୭।୬(ଓଡ଼ିଆ ନ୍ୟୁଜ): ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଦାରୁବିଗ୍ରହଙ୍କ ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛନ୍ତି ଶ୍ରୀଅଙ୍ଗ ସେବକ ଦଇତାପତି। ମଧ୍ୟାହ୍ନ ଧୂପ ସରିବା ପରେ ଅଣସରରେ ମହାପ୍ରଭୁଙ୍କଠାରେ ଚକଟା ଭୋଗ ଏବଂ ପଣା ଭୋଗ କରାଯାଇଥିଲା। ବାହୁଡା ପହଣ୍ଡି ସରିବା ପରେ ଶୁକ୍ରବାର ରାତିରେ ଚିତା ଓଲାଗି ହୋଇ ଅଣସର ନୀତି ହୋଇଥିଲା। ଶନିବାର ଭୋର ସମୟରେ ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯାଇଥିଲା। ଶ୍ରୀଜଗନ୍ନାଥ ଶ୍ରୀଅନନ୍ତ ନାରାୟଣ ରୂପରେ, ମା ସୁଭଦ୍ରା ଭୁବନେଶ୍ୱରୀ ରୂପେ ଓ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ପରମ୍ପରା ଅନୁଯାୟୀ ସ୍ଥାନିତ ହୋଇଥିଲେ। ପରେ ଦଶାବତାର ବିଜେ, ମହାସ୍ନାନ ଆଦି ନୀତି ସମ୍ପନ୍ନ କରାଯାଇ ଅନବସର ନୀତି ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରହିଥିବା ପତିତପାବନ ଅନନ୍ତ ନାରାୟଣ ରୂପରେ ପଟିରେ ସ୍ଥାନିତ ହୋଇଛନ୍ତି। କିନ୍ତୁ ପଟି ଦିଅଁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ। କାରଣ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ କରାଯାଇଛି । ଯାହା ଏବେ ବି ବଳବତ୍ତର ରହିଛି। ତେବେ ଶହ ଶହ ବର୍ଷ ଧରି ଯାହା ସମ୍ଭବ ହୋଇପାରୁ ନ ଥିଲା ଏଥର ତାହା ସମ୍ଭବ ହୋଇଛି। ସ୍ନାନପୂର୍ଣ୍ଣିମା ଦିନ ଅଣସର ନୀତି ହେବାର ପରମ୍ପରା ଥିଲେ ହେଁ ସମୟ ଅଭାବରୁ ଏହା ହୋଇପାରି ନ ଥାଏ। ତେଣୁ ଏହା ପରଦିନଠାରୁ ଅଣସର ବିଧି ଆରମ୍ଭ ହୁଏ। ଫଳରେ ୧୫ ଦିନ ବଦଳରେ ୧୪ ଦିନିଆ ଅଣସର ହୁଏ। କିନ୍ତୁ ଏଥର ଦଇତାପତି ସେବକଙ୍କ ଉଦ୍ୟମ ଏବଂ ଅନ୍ୟ ସେବାୟତଙ୍କ ସମ୍ପୂର୍ଣ୍ଣ ସହଯୋଗରେ ୧୫ଦିନିଆ ଅଣସର ସମ୍ଭବ ହୋଇପାରିଛି ବୋଲି ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.