banner
Breaking

ପାଲା ବଞ୍ଚିଲେ ହିଁ ଭାଷା ବଞ୍ଚିବ – ପ୍ରଦ୍ୟୁମ୍ନ ଶତପଥୀ

1

ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ୪୫ ତମ ବାର୍ଷିକୋତ୍ସବ ପଦ୍ମଶ୍ରୀ ବାବା ବଳିଆଙ୍କ ଶିଶୁ ଅନନ୍ତ ଆଶ୍ରମ, ଅରିଲୋ, ଜଗତସିଂହପୁର ପରିସରରେ ବାବା ବଳିଆଙ୍କ ଦ୍ଵାରା ଗତକାଲି ସନ୍ଧ୍ୟାରେ ଶୁଭ ଉଦଘାଟିତ ହୋଇଥିଲା । ସଭାପତି ଶ୍ରୀଯୁକ୍ତ ମଦନମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ବକ୍ତବ୍ୟ ଥିଲା ଭାବୋଦ୍ଦୀପକ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ନିଜ ବକ୍ତବ୍ୟରେ ଓଡ଼ିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ବିଗତ ଦୁଇ ଦଶନ୍ଧିରେ ନେଇଥିବା ଯୁଗାନ୍ତକାରୀ ପଦକ୍ଷେପ ର ତଥ୍ୟାର୍ପଣ କରିଥିଲେ । ମୁଖ୍ୟବକ୍ତା ଯୋଗଦେଇ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କରିଥିଲେ ଯେ ଏଯାବତ୍ ଓଡ଼ିଶାର ପ୍ରାଚୀନ ପାଲା ସଂସ୍କୃତି ସମ୍ପର୍କରେ ସଠିକ୍ ଗବେଷଣା ହୋଇନାହିଁ । ପାଲା ଓଡ଼ିଶାର ସର୍ବ ପୁରାତନ ନିଜସ୍ଵ ବିଦଗ୍ଧ ମୌଳିକ କଳା, ଯାହା ବେଦ, ଉପନିଷଦ, ସଂହିତା, ବାଲ୍ମୀକୀ ରାମାୟଣ, ବ୍ୟାସକୃତ ଅଷ୍ଟାଦଶ ପୁରାଣ, ମହାଭାରତର ପୃଷ୍ଠଭୂମିରୁ ଆନୀତ । ମଞ୍ଚ ବଞ୍ଚିଲେ ପାଲା ବଞ୍ଚିବ, ପାଲା ବଞ୍ଚିଲେ ହିଁ ଭାଷା ବଞ୍ଚିବ, ଭାଷା ବଞ୍ଚିଲେ ଜାତି ବଞ୍ଚିବ, ଯେଉଁଥିପାଇଁ ବ୍ୟାସକବି ଫକୀରମୋହନ କହିଥିଲେ ” ଭାଷା ହିଁ ଜୀବନ ଶକ୍ତି ଜାତି ମାନଙ୍କର, ଯେଉଁ ଜାତି ଭାଷା ହୀନ,ସେ ଜାତି ଵର୍ବର । ଓଡ଼ିଶାରେ ପରିବେଷିତ ପାଲା ମଧ୍ୟରେ ଉତ୍କଳୀୟ ଧର୍ମ, ଦର୍ଶନ, ଆଧ୍ୟାତ୍ମିକତା, ଲୋକ ଚରିତ୍ର, ସାମାଜିକ ରୀତିନୀତି, ମହାମାନବୀୟ ପରମ୍ପରା, ରସ,ରାଗ, ସଂସ୍କୃତି, ଭାଷା ଓ ସାହିତ୍ୟର ବିଭିନ୍ନ ବିଭାଗ ବିଭବ ସହିତ ସାଙ୍ଗୀତିକ ପୂର୍ଣ ପରିବେଷଣ ମନୋରଞ୍ଜନ ର ସୁଲଭ ପଣ୍ୟ, ଯାହା ଅତ୍ୟନ୍ତ ଉଚ୍ଚକୋଟୀର । ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ପ୍ରତିଷ୍ଠାତା ତଥା ଆମ ପାଲା ସଂସ୍କୃତିର ବିସ୍ମୟ ପ୍ରତିଭା ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତିଙ୍କ ଅମୃତ ଅମ୍ଲାନ ସ୍ମୃତି ଚାରଣ କରି ଛାତ୍ର ଜୀବନରେ ସ୍ଵକୀୟ ଅଭିଜ୍ଞତା ଆଧାରିତ ତଥ୍ୟାର୍ପଣ କରି କରିଥିଲେ ଯେ ବରେଣ୍ୟ ବାହିନୀପତି ଥିଲେ ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରା ପ୍ରାଣ। ସଂସ୍କୃତ ଓ ଓଡ଼ିଆ ଭାଷାର ଏହି ବିଦ୍ୱାନ ଙ୍କ ଜିହ୍ବଗ୍ରେ ଲାସ୍ୟମୟୀ କାବ୍ୟ ଦେବୀଙ୍କ ବିଳସିତ ବେଦ, ଉପନିଷଦ, ପୁରାଣ,ମହାପୁରାଣ , ବିଶେଷ କରି ତାଙ୍କ ଦ୍ବାରା ପରିବେଷିତ ” ରଘୁବଂଶ” ହେଉ ଅବା ” ନୈଷଧ” କିମ୍ବା ” କିରାତାର୍ଜୁନୀୟମ୍” ହେଉ, ନତୁବା କୁମାର ସମ୍ଭଵ,ଅଭିଜ୍ଞାନ ଶକୁନ୍ତଳା, ବ୍ୟାକରଣ ଚର୍ଚ୍ଚା, ଉପମା ଅଳଙ୍କାର ଉପସ୍ଥାପନ ଥିଲା ଅତ୍ୟନ୍ତ ଭାବୋଦ୍ଦୀପକ,ହୃଦୟସ୍ପର୍ଶୀ । ଓଡ଼ିଆ ଭାଷା ଶାସ୍ତ୍ରୀୟ, ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ,ଅଥଚ ଓଡ଼ିଶୀ ସଙ୍ଗୀତ ଅଶାସ୍ତ୍ରୀୟ କେମିତି ବୋଲି କେନ୍ଦ୍ର ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ତଥ୍ୟ କୁ ଅବତାରଣା କରି ପରିଷଦ ଆଗାମୀ ଦିନର ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ନିବେଦନ କରିଥିଲେ। ରାଜ୍ୟର କୋଣ ଅନୁକୋଣରୁ ଶହଶହ ପାଲା ଗାୟକ,ବାୟକ,ପାଳିଆ ମାନେ ଏହି ସମାବେଶରେ ଯୋଗଦେଇଥିଲେ, ଯେଉଁ ମାନଙ୍କ ମଧ୍ୟରୁ ଅନେକ ପ୍ରତିଭାଧର ଙ୍କୁ ବିଭିନ୍ନ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ସାରସ୍ବତ ସାଧକ ତଥା ଆଦର୍ଶ ଶିକ୍ଷକ ବ୍ୟଙ୍ଗ କବି କାଶୀନାଥ ପାଣିଗ୍ରାହୀଙ୍କ ” ପାଲା ସଂସ୍କୃତିର ପ୍ରବାଦ ପୁରୁଷ” ସୃଷ୍ଟି ଉନ୍ମୋଚନ ହୋଇଥିଲା । ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସଙ୍ଗଠନ ସମ୍ପାଦକ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ଆନୁଷ୍ଠାନିକ ଧନ୍ୟବାଦାର୍ପଣ କରିଥିଲେ । ଶ୍ରୀଯୁକ୍ତ ଲକ୍ଷ୍ମଣ ରାଉତ, ଲମ୍ବୋଦର ବେହେରା, ପ୍ରଜ୍ଞା ରାଉତ , ଶ୍ରୀଯୁକ୍ତ ପାଢ଼ୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ।

Khansweb Solution Bhubaneswar
1 Comment
  1. mitolyn official says

    **mitolyn official**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.