ଭୁବନେଶ୍ୱର,୭।୨(ଓଡ଼ିଆ ନ୍ୟୁଜ) ସାମ୍ପ୍ରତିକ ପରିସ୍ଥିତିରେ ଲୋକମାନଙ୍କ ପାଖରେ ଡିଜିଟାଲ ମିଡିଆ ଅତି ସହଜରେ ପହଁଞ୍ଚି ପାରୁଛି। ସମାଜରେ ଘଟୁଥିବା ନିଚ୍ଛକ ସତକୁ ସାମ୍ନାକୁ ଆଣୁ ଥିବାରୁ ସମସ୍ତଙ୍କର ପ୍ରିୟ ଭାଜନ ଲାଭ କରିଛି। ଡିଜିଟାଲ ମିଡିଆକୁ ଶକ୍ତିଶାଳୀ କରିବାକୁ ଓନର୍ସ (ମାଲିକ) ମାନେ ସଂଘବଦ୍ଧ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାରେ ପ୍ରଥମ କରି ଡିଜିଟାଲ ମିଡିଆ ଏଡ଼ିଟର(ସମ୍ପାଦକ) ଓ ଓନର୍ସ ଆସୋସିଏସନ୍ ଗଠିତ ହୋଇଛି। ଆଜି ଏହାର ଦ୍ବିତୀୟ ବୈଠକ ଭୁବନେଶ୍ୱରର ବାଣୀବିହାର ସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସରରେ ଆସୋସିଏସନର ଲୋଗୋ ଉନ୍ମୋଚିତ ହୋଇଯାଇଅଛି। ଏଥିରେ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସାରଦା ପ୍ରସାଦ କର, ଆଇନଜୀବି ତଥା ଆସୋସିଏସନ ର ଲିଗାଲ ଆଡ଼ଭାଇଜର ଅମିତ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପରିଡା ଯୋଗଦେଇ ଲୋଗୋ ଉନ୍ମୋଚନ କରିଥିଲେ। ପ୍ରକୃତ ଗଣମାଧ୍ୟମ ସାଜିଥିବା ଡିଜିଟାଲ ମିଡିଆ ସ୍ବଚ୍ଛ, ନିରପେକ୍ଷ ଖବର ପ୍ରକାଶନ ଓ ପ୍ରସାରଣ କରିବା ସହ ଶୃଙ୍ଖଳିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ୱେବ ପୋର୍ଟାଲ ଓ ଚାନେଲର ମାଲିକ ମାନେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ଅନୁଷ୍ଠାନ କିଭଳି ଭାବେ ଅଗ୍ରଗତି କରିବ ଏବଂ ସାମ୍ପ୍ରତିକ ପରିସ୍ଥିତିରେ ୱେବ ମିଡ଼ିଆ ର କାର୍ଯ୍ୟକଳାପକୁ ରାଜନୈତିକ ମହଲରେ ବୈମାତୃକ ମନୋଭାବକୁ ଆଗାମୀ ଦିନରେ ଏକତ୍ରିତ ହୋଇ ସାମ୍ନା କରିବାପାଇଁ ଆନ୍ତରିକତା ପ୍ରକାଶ କରିଥିଲେ। ଆଗାମୀ ଦିନରେ ଓଡିଶାର ସମସ୍ତ ମାଲିକ ଓ ସମ୍ପାଦକମାନେ ସାମିଲ ହୋଇ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମକୁ ଆବାହକ ସ୍ୱରୂପ ମହାନ୍ତି ଓ ସଂଗଠନ ସମ୍ପାଦକ ଦେବବ୍ରତ ମହାନ୍ତି ସୁଚାରୁରୂପେ ପରିଚାଳନା କରିଥିଲାବେଳେ ଚକ୍ରଧର ମଝି ଧନ୍ୟବାଦ ଧନ୍ୟବାଦ ଅର୍ପଣ କରିଥିଲେ। ଡିଜିଟାଲ ମିଡିଆକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ ପାଇଁ ସଂଘ କାର୍ଯ୍ୟ କରିବ ବୋଲି ନିଷ୍ପତ୍ତି ହେଇଥିଲା।




