ତରୁଣକାନ୍ତି ମିଶ୍ରଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର।
ଭୁବନେଶ୍ୱର: ବିଶିଷ୍ଟ ଲେଖକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ଚଳିତ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି।
ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏକାଡେମୀର କାର୍ଯ୍ୟକାରୀ କମିଟି ବୈଠକରେ ସର୍ବମୋଟ ୨୩ଟି ଭାରତୀୟ ଭାଷା ପାଇଁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏହା ମଧ୍ୟରେ ୭ଟି କବିତା ଗ୍ରନ୍ଥ, ୪ଟି ଉପନ୍ୟାସ, ୬ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୩ଟି ପ୍ରବନ୍ଧ ସଙ୍କଳନ ଏବଂ ଅଣ କଥା ସାହିତ୍ୟ, ଆତ୍ମଜୀବନୀ ଓ ଜୀବନୀ ଗ୍ରନ୍ଥ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୨୦ ଫେବୃଆରୀ ୨୫ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ବିଜେତାମାନଙ୍କୁ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ଆକାରରେ ଏକ ତାମ୍ର ଫଳକ, ଏକ ଚାଦର ସହ ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ।
ବିଭିନ୍ନ ଭାଷାର ପୁରସ୍କାର ବିଜେତାମାନଙ୍କୁ ଚୟନ କରିବା ପାଇଁ ଭାଷା ଭିତ୍ତିରେ ୩ଜଣିଆ ବିଚାରକ ମଣ୍ଡଳୀ ରହିଥିଲେ। ଓଡ଼ିଆ ଭାଷା ପାଇଁ ପୁରସ୍କାର ବିଜେତାଙ୍କୁ ବାଛିବା ପାଇଁ ଡକ୍ଟର ମାଳବିକା ରାୟ, ଉକ୍ଟର ଫନୀ ମହାନ୍ତି ଓ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ବିଚାରପତି ଭାର ବହନ କରିଥିଲେ। ଏମ୍ପି ଶଶି ଥରୁରଙ୍କୁ ଇଂରାଜି ଭାଷା ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୯ରେ ତାଙ୍କୁ ସମ୍ମାନିତ କରାଯାଇଛି। ବ୍ରିଟିଶ ରାଜତ୍ୱ ସମୟରେ ଲେଖା ହୋଇଥିବା ବହି ‘An Era of Darkness’ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ଏହି ବହି ୨୦୧୬ରେ ପ୍ରକାଶ ପାଇଥିଲା। ଏଥିରେ ବ୍ରିଟିଶ ରାଜତ୍ୱର କଥାବସ୍ତୁ ସ୍ଥାନିତ ହୋଇଛି। ଯେପରିକି ୧୮୫୭ର କ୍ରାନ୍ତି, ୧୯୧୯ର ଜାଲିଓ୍ବାନାବାଗ ହତ୍ୟାକାଣ୍ଡ, ଇଷ୍ଟ ଇଣ୍ଡିଆ କମ୍ପାନୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରାଯାଇଛି। ସୂଚନାଯୋଗ୍ୟ, ଥରୁର ଏପର୍ଯ୍ୟନ୍ତ ମୋଟ ୧୯ଟି ବହି ଲେଖିସାରିଛନ୍ତି। ସେହିପରି ହିନ୍ଦୀ ଭାଷା ପାଇଁ ନନ୍ଦ କିଶୋର ଆଚାର୍ଯ୍ୟଙ୍କୁ, ଊର୍ଦ୍ଦୁରେ ଶାଫେ କିଦ୍ଓ୍ବାଇଙ୍କୁ ଓ ଓଡ଼ିଆରେ ତରୁଣକାନ୍ତି ମିଶ୍ରଙ୍କୁ ଏହି ପୁରସ୍କାର ଦିଆଯିବ।