ପରିବେଶ ପ୍ରଦୂଷଣ ନହେଲେ ୧୫ ରୁ ଉର୍ଦ୍ଧ୍ବ ଗାଡି ଚାଲିପାରିବ।
କଟକ:କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ମୋଟରଯାନ ଆଇନରେ ପୁରୁଣା ଗାଡ଼ି ରଦ୍ଦ ପାଇଁ ନୂଆ ଚିଠା ପ୍ରସ୍ତାବ ଆଗତ ହୋଇଛି। ଉକ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। ରାଜ୍ୟ ସରକାରମାନଙ୍କ ମତାମତକୁ ଆଧାର କରି ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ। ମୋଟାମୋଟି ଭାବେ ଡିସେମ୍ବର ପହିଲା ସୁଦ୍ଧା ଏହି ଚିଠା ପ୍ରସ୍ତାବକୁ କେନ୍ଦ୍ର କାର୍ଯ୍ୟକାରୀ କରିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ସୂଚନାଥାଉ କି, ସଂଶୋଧିତ ମୋଟରଯାନର ଧାରା ୪୧ ଓ ଉପଧାରା ୧୦ରେ ଏକ ପ୍ରାବଧାନ ରହିଛି। ଏହି ପ୍ରାବଧାନ ଅନୁଯାୟୀ କେଉଁ ଗାଡ଼ିର ଆୟୁଷ କେତେ ରହିବ ତାହା କେବଳ କେନ୍ଦ୍ର ସରକାର ସ୍ଥିର କରିବେ। ଏଥିପାଇଁ କେନ୍ଦ୍ର ସରକାର ଉକ୍ତ ଧାରାକୁ ଆଧାର କରି ଭେଇକିଲ ସ୍କ୍ରାପିଂ ପଲିସି ଆଗତ କରିଛନ୍ତି। ଏହି ପଲିସି ଅନୁଯାୟୀ ଯଦି ଗୋଟିଏ ଗାଡ଼ିର ଆୟୁଷ ୧୫ ବର୍ଷ ସ୍ଥିର କରାଯାଏ, ତେବେ ୧୫ ବର୍ଷ ପରେ ଗାଡ଼ିଟି ଚଳାଚଳ ଅନୁପଯୋଗୀ ହେବା ସହିତ ଅକାମୀ ହୋଇପଡ଼ିବ। ମାତ୍ର ଭେଇକିଲ ସ୍କ୍ରାପିଂ ପଲିସି ଅନୁଯାୟୀ ଉକ୍ତ ଗାଡ଼ିଗୁଡ଼ିକ ନିମନ୍ତେ ନୂଆ ବ୍ୟବସ୍ଥା କରାଯାଇଛି। ଏହି ଅନୁଯାୟୀ ରାଜ୍ୟ ସରକାର ନିଜ ରାଜ୍ୟରେ ସ୍କ୍ରାପ ଡିସ୍ପୋଜାଲ ସେଣ୍ଟର ନିର୍ମାଣ କରିବେ। ଏହି ସେଣ୍ଟରଗୁଡ଼ିକୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁଯାୟୀ ଏହି ସ୍କ୍ରାପ ଡିସ୍ପୋଜାଲ୍ ସେଣ୍ଟରଗୁଡ଼ିକ କାର୍ଯ୍ୟ କରିବ। ଅର୍ଥାତ୍ ଏହି ସେଣ୍ଟର କାର୍ଯ୍ୟକାରୀ ହେବା ଦ୍ୱାରା ଯେଭଳି ପରିବେଶ ଉପରେ ଏହାର କୌଣସି କୁପ୍ରଭାବ ନ ପଡ଼େ, ସେଥିପ୍ରତି ଧ୍ୟାନ ଦିଆଯିବ। ସ୍କ୍ରାପ ଡିସ୍ପୋଜାଲ ସେଣ୍ଟରରେ ଗାଡ଼ିକୁ ଓଜନ କରାଯିବ। ଗାଡ଼ିରେ କେତେ ଓଜନର ଲୁହା, ଆଲୁମିନିୟମ ଓ ସିସା ଆଦି ଧାତୁ ଭରି ରହିଛି, ତାହାର ପୃଥକୀକରଣ କରାଯିବ। ପରେ ବଜାର ଦର ଅନୁଯାୟୀ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଏହାପରେ ସ୍କ୍ରାପ ଡିସ୍ପୋଜାଲ ସେଣ୍ଟର ପକ୍ଷରୁ ଗାଡ଼ି ମାଲିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯିବ। ଟଙ୍କା ଟ୍ରାନ୍ସଫର କରାଯିବା ପରେ ଡିସ୍ପୋଜାଲ ସେଣ୍ଟର ପକ୍ଷରୁ ଗାଡ଼ି ମାଲିକଙ୍କୁ ଏକ ଭେହିକିଲ ଡିସ୍ପୋଜାଲ ସାର୍ଟିଫିକେଟ ଦିଆଯିବ। ପ୍ରଥମେ ଗାଡ଼ିଟିର ଆୟୁଷ ଶେଷ ହୋଇଯାଇଥିବା ନେଇ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ ଗାଡ଼ି ମାଲିକଙ୍କୁ ଏକ ପ୍ରମାଣପତ୍ର ଦେଇଥିବେ। ଦ୍ୱିତୀୟରେ ଡିସ୍ପୋଜାଲ୍ ସେଣ୍ଟର ପକ୍ଷରୁ ଦିଆଯାଇଥିବା ପ୍ରମାଣପତ୍ରକୁ ଧରି ଗାଡ଼ି ମାଲିକ ଡିଲର ପାଖରେ ପହଞ୍ଚତ୍ବେ। ଦୁଇଟି ସାର୍ଟିଫିକେଟକୁ ଦେଖିବା ପରେ ଗାଡ଼ି ମାଲିକଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ରିହାତି ମୂଲ୍ୟରେ ଗାଡ଼ି ଯୋଗାଇ ଦିଆଯିବ। ତେବେ ଏହି ରିହାତି କେତେ ପ୍ରତିଶତ ହେବ ତାହା ରାଜ୍ୟମାନଙ୍କଠାରୁ ମତାମତ ଲୋଡାଯିବା ପରେ ସ୍ଥିର କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।