banner
Breaking

ନଭେମ୍ବର ୮ରେ ରିଲିଜ ହେବ ‘ମାଲ ମହୁ ଜୀବନ ମାଟି’

0

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ):ନଭେମ୍ବର ୮ ତାରିଖ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ଓଡ଼ିଆ କମେଡି ଫିଲ୍ମ  ’ମାଲ ମହୁ ଜୀବନ ମାଟି’ । ଆମର ମ୍ୟୁଜିକ ନିବେଦିତ ଏବଂ ନବୀନ ଭଣ୍ଡାରି ପ୍ରଯୋଜିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ନିର୍ମଳ ନାୟକ ଏଥିରେ ସଂଳାପ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ମୁକ୍ତିଲାଭ ପୂର୍ବରୁ ଚଳଚ୍ଚିତ୍ର ’ମାଲ ମହୁ ଜୀବନ ମାଟି’ ନୂଆ ଓଡ଼ିଆ ଚଳଚ୍ଚିତ୍ରକୁ ପ୍ରଥମ ଥର ପାଇଁ ଅଭିନବ ଶୈଳୀରେ ଉପସ୍ଥାପିତ କରାଯାଇ ଦର୍ଶକଙ୍କୁ ଆହ୍ୱାନ କରାଯାଇଛି।

ଆଜି ଭୁବନେଶ୍ୱର ନ୍ୟୁ ମାରିୟନ ହୋଟେଲ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଏ ବିଷୟରେ ସୂଚନା ଦିଆଯାଇଛି। ଚଳଚ୍ଚିତ୍ରରେ ପ୍ରିମିୟର୍‌ରେ ସାମିଲ ହେବାକୁ ଥିବା ଅଗଣିତ ଦର୍ଶକଙ୍କ ପାଇଁ ଟି-ଶର୍ଟର ବ୍ୟବସ୍ଥା କରାଯାଇଛି।  ଅକ୍ଟୋବର ୨୫ ତାରିଖ ୟୁ ଟ୍ୟୁବ୍‌ରେ ‘ମାଲ ମହୁ ଜୀବନ ମାଟି’ର ଟ୍ରେଲର ରିଲିଜ୍‌ କରାଯିବ ବୋଲି ସୂଚନା ଦିଆଯାଇଛି।
ଫିଲ୍ମଟି ଅଭିନବ ଶୈଳୀରେ ଉପସ୍ଥାପନା କରାଯାଇଥିଲେ ମଧ୍ୟ ଇଣ୍ଡଷ୍ଟ୍ରିର ପାରମ୍ପରିକ ମୌଳିକତାକୁ କ୍ଷୂର୍ଣ୍ଣ କରିନାହିଁ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି । ଚଳଚ୍ଚିତ୍ର କାହାଣୀରେ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ତୋଷ ନୋହିଲା ମୋର ଚିତ୍ତ’ରେ ଥିବା ବରା ଦୋକାନୀ ବିଷ୍ଣୁ ସାହୁ ଚରିତ୍ରକୁ ଅବତାରଣା କରାଯାଇଛି। ବରା ଦୋକାନୀ ବିଷ୍ଣୁ ସାହୁ ଭୂମିକାରେ ପ୍ରଦ୍ୟୁମ୍ନ ଲେଙ୍କା ଓ ତାଙ୍କ ପୁଅ ମାଇକେଲ ଭୂମିକାରେ ଅଭିନୟ କରୁଛନ୍ତି ସବ୍ୟସାଚୀ  । ଏହାବ୍ୟତୀତ ଏଲିନା ସାମନ୍ତରାୟ, ବିଦୁସ୍ମିତା, ସ୍ୱପ୍ନା ପତି, କ୍ରିଷ୍ଣା କର ଏବଂ ଦିବଂଗତ ସଲିଲ୍‌ ମିତ୍ରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ।
ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସହ ଅଭିନୟ କରିଥିବା ସମସ୍ତ କଳାକାର, ଟେକ୍‌ନିସିଆନଙ୍କ ତଥା ଓଲିଉଡ୍‌ର କ୍ରିଏଟିଭ ହେଡ୍‌ ପ୍ରଣୟ ଜେଠୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.