ସଫଳ ଜୋଡିଙ୍କ ଅସଫଳ ପ୍ରେମ କାହାଣୀ।
ଭୁବନେଶ୍ୱର,୬/୯:- ସମ୍ଥିଙ୍ଗ ସମ୍ଥିଙ୍ଗ, ହାତ ଧରି ଚାଲୁଥା, ଗପ ହେଲେବି ସତ, ସୁନା ଚଢ଼େଇ ମୋ ରୁପା ଚଢ଼େଇ, କେହି ଜଣେ ଭଲ ଲାଗେରେ, ଗୋଟେ ଶୁଆ ଗୋଟେ ଶାରୀ, ଆମ ଭିତରେ କିଛି ଅଛି କି, ବାଳୁଙ୍ଗା ଟୋକା ପରି ଏକାଧିକ ସଫଳ ଚିତ୍ରର ସଫଳ ଯୋଡ଼ି ଅନୁଭବ-ବର୍ଷା ପ୍ରିୟଦର୍ଶିନୀ। ଏହି ଯୋଡ଼ିର ପ୍ରଥମ ଚିତ୍ର ଥିଲା ‘ଥ୍ୟାଙ୍କ ୟୁ ଭଗବାନ।’
ନିର୍ଦେଶକ ସ୍ୱର୍ଗତ ହର ପଟ୍ଟନାୟକଙ୍କ ‘ଏଯୁଗର କୃଷ୍ଣ ସୁଦାମା’ ବର୍ଷାଙ୍କ ପ୍ରଥମ ଚିତ୍ର ଥିବାବେଳେ ଅନୁଭବଙ୍କ ପ୍ରଥମ ଚିତ୍ର ଥିଲା ଏହି ନିର୍ଦେଶକଙ୍କ ‘ଆଇ ଲଭ୍ ୟୁ।’ ଦୁଇଟି ଯାକ ଥିଲା ଇଣ୍ଡଷ୍ଟ୍ରୀର ବିଗ୍ ପ୍ରଡକ୍ସନ୍ ହାଉସ୍ ବ୍ରଜରାଜ ମୁଭିଜ୍ର। ତା’ ପରଠାରୁ ଗୋଟିଏ ପରେ ଗୋଟିଏ ଚିତ୍ରରେ ଅଭିନୟ କରି ଏହି ଯୋଡ଼ି ବନି ଯାଇଥିଲେ ଦର୍ଶକଙ୍କ ଅତି ଆପଣାର। ୨୦୧୪ରେ ଏହି ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହୋଇ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ବିବାହ ପରେ ଏହି ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଥମିନଥିଲା। କେବେ ଏମାନଙ୍କ ଚିତ୍ର ଆସିବ ଦର୍ଶକ ଅପେକ୍ଷା କରି ରହୁଥିଲେ। ଅନୁଭବ ଅଭିନୟ ସହ ସମୟକ୍ରମେ ରାଜନୀତି ପ୍ରତି ଆକର୍ଷିତ ହୋଇଥିବାବେଳେ ବର୍ଷା ସମାଜସେବାରେ ବ୍ରତୀ ରହିଥିଲେ। ଏମିତିକି ଅନୁଭବ ରାଜ୍ୟସଭା ସାଂସଦ ଓ ପରେ ଲୋକସଭା ସାଂସଦ ହେବା ପଛରେ ବର୍ଷାଙ୍କ ପ୍ରେରଣା ଥିଲା ବୋଲି ଚର୍ଚ୍ଚା ହୋଇଥିଲା।
ସେପଟେ ଅନୁଭବ ସକ୍ରିୟ ରାଜନୀତିକୁ ନେଇ ବ୍ୟସ୍ତ ରହିବା ପରେ ବର୍ଷାଙ୍କ ସହ ତାଙ୍କୁ ଆଉ କୌଣସି ଚିତ୍ରରେ ଦେଖିବାକୁ ମିଳିନଥିଲା। ବର୍ଷା ନିଜସ୍ୱ ପରିକଳ୍ପନାରେ ‘ନିମ୍କି’, ‘କୁଇନ୍’ ନାମରେ ୨ଟି ଚିତ୍ର ପ୍ରସ୍ତୁତ କରି ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ବିବାହର କିଛି ବର୍ଷ ପରେ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ନ ଥିବା ପ୍ରଥମେ ସାମାଜିକ ଗଣମାଧ୍ୟମ ଜରିଆରେ ହଠାତ ସାମ୍ନାକୁ ଆସିଥିଲା। ସେତେବେଳେ ଉଭୟଙ୍କ ମନ୍ତବ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ସହ ପରବର୍ତ୍ତୀ ସମୟରେ ଥମି ଯାଇଥିଲା। ଉଭୟ ସାକ୍ଷାତ୍କାର ପ୍ରସଙ୍ଗରେ ଏହି ଘଟଣାକୁ ଖଣ୍ଡନ କରିବା ସହ ଉଭୟଙ୍କ ଭିତରେ ସେମିତି କିଛି ଦ୍ୱନ୍ଦ୍ୱ ବା କଳହ ଉପୁଜି ନ ଥିବା ସ୍ପଷ୍ଟ କରିଥିଲେ।
ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ମନାନ୍ତର ବିସ୍ଫୋରକ ରୂପ ନେବା ସହ କଥା ଯାଇ ଅଦାଲତରେ ପହଞ୍ଚିଛି। ବର୍ଷାଙ୍କ ଅଭିଯୋଗ ଉଭୟଙ୍କ ପ୍ରଶଂସକଙ୍କୁ ମର୍ମାହତ କରିଛି। ବାରମ୍ବାର ବିବାଦରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଏହା ପୁଣି ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏବେ ଏହି ସଫଳ ଜୋଡିଙ୍କ ଅସଫଳ ପ୍ରେମ କାହାଣୀ ଆରମ୍ଭ ହୋଇଛି।