banner
Breaking

ଭାରତ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଟୀକା ୯୦℅ ଫଳପ୍ରଦ ହେବ।

0

ନୂଆଦିଲ୍ଲୀ, ୨୪।୧୧(ଵ୍ୟୁରୋ): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା ସୋମବାର ଘୋଷଣା କରିଛି। ବିଶ୍ୱରୁ କରୋନା ମହାମାରୀକୁ ରୋକିବାରେ ଏହା ଆଉ ଏକ ସଫଳତା ବୋଲି କୁହାଯାଉଛି। ଏହି ଟିକା ପ୍ରସ୍ତୁତିରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ସାମିଲ ଥିବାରୁ ଭାରତ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଟିକା କୋଭିଡ୍‌-୧୯ ବିରୋଧରେ ଖୁବ୍‌ ପ୍ରଭାବୀ ଓ ନିରାପଦ। ଏହା ତୁରନ୍ତ କାର୍ଯ୍ୟ କରିଥାଏ ବୋଲି ଅଷ୍ଟ୍ରାଜେନିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ପାସ୍‌କାଲ ସୋରିଅଟ୍‌ କହିଛନ୍ତି।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଏହି ଟିକାକୁ ବ୍ରିଟେନ୍‌ ଓ ବ୍ରାଜିଲରେ ପରୀକ୍ଷା କରାଯାଇଥିଲା। ସ୍ବେଚ୍ଛାସେବୀଙ୍କୁ ପ୍ରଥମେ ଟିକାର ଅଧା ଡୋଜ୍‌ ଓ ମାସେ ପରେ ପୂରା ଡୋଜ୍‌ ଦିଆଯାଇଥିଲା, ଯେଉଁଥିରୁ ୯୦ ପ୍ରତିଶତ ସଫଳତା ମିଳିପାରିଛି। ତେବେ ଅନ୍ୟ ଏକ ପରୀକ୍ଷାରେ ଦୁଇଟି ପୂରା ଡୋଜ୍‌ ମାସେ ଅନ୍ତରରେ ଦିଆଯାଇଥିବାବେଳେ ତାହା ୬୨ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଛି। ଉଭୟ ପରୀକ୍ଷାର ଫଳାଫଳକୁ ମିଶାଇ ହାରାହାରି ସଫଳତା ୭୦ ପ୍ରତିଶତ ବୋଲି କୁହାଯାଉଛି। ଭାରତରେ ଏହାର ପରୀକ୍ଷା ଚାଲିଥିବାରୁ ଉତ୍ସାହଜନକ ଫଳାଫଳ ଆସିବା ଆଶା କରାଯାଉଛି। ଅପେକ୍ଷାକୃତ ଶସ୍ତାରେ ମିଳିବାକୁ ଥିବା ଏହି ଟିକା ଭାରତରେ ମହାମାରୀ ରୋକିବାରେ ସହାୟକ ହୋଇପାରିବ। ଦେଶର ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକମାନଙ୍କ ଲାଗି ଆଗାମୀ ଜାନୁୟାରୀ ସୁଦ୍ଧା ୧୦ କୋଟି ଡୋଜ୍‌ ଯୋଗାଇଦେବାକୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଲକ୍ଷ୍ୟ ରଖିଛି। ଭାରତରେ ଅକ୍ସଫୋର୍ଡ ଟିକାର ଦୁଇଟି ଡୋଜ୍‌ ଦାମ୍‌ ୧୦୦୦ ଟଙ୍କା ମଧ୍ୟରେ ରହିବ ବୋଲି କମ୍ପାନୀ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ। ୨୦୨୧ ପ୍ରଥମ ତ୍ରୈମାସିକ ସୁଦ୍ଧା ଭାରତରେ ୩୦ରୁ ୪୦ କୋଟି ଅକ୍ସଫୋର୍ଡ ଭାକ୍ସିନ ଡୋଜ୍‌ ଉପଲବ୍ଧ ହେବ।

Khansweb Solution Bhubaneswar

Leave A Reply

Your email address will not be published.