banner
Breaking

ଐତିହାସିକ କଟକ ବାରବାଟୀ ଷ୍ଟାଡିଅମ ସମେତ ୫ଟି ମ୍ୟୁନିସିପାଲ କର୍ପୋରେସନରେ ହକୀ ବିଶ୍ବ କପ୍‌ ଉତ୍ସବ ପାଳନ କରାଯିବ

୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ କରାଯିବ

1

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୁଷ ହକି ବିଶ୍ବ କପ୍ ପ୍ରତିଯୋଗିତା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରାଯାଇଥିଲା। FIH ପୁରୁଷ ବିଶ୍ବ କପ୍‌ ହକି-୨୦୨୩, ଭୁବନେଶ୍ବର ଓ ରାଉରକେଲା ଠାରେ ୧୩ ଜାନୁଆରୀ ରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ବିଶ୍ବର ୧୬ ଟି ଦଳ ଅଂଶଗ୍ରହଣ କରିବେ । ଭୁବନେଶ୍ବରରେ ୨୪ ଗୋଟି ମ୍ୟାଚ ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ବିଶ୍ବକପ୍‌ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ପ୍ରତିଯୋଗିତା ପାଇଁ ଭୁବନେଶ୍ବରର କଳିଙ୍ଗ ହକି ଷ୍ଟାଡିଅମ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲାବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଥିଲେ। ଉଭୟ ଷ୍ଟାଡିଅମରେ Astro Turf ଓ Flood Light କାମ ଶେଷ ହୋଇଯାଇଛି । ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲ ମାନଙ୍କ ରହଣୀ ପାଇଁ ୨୨୫ଟି ରୁମ୍‌ ତିଆରି କାମ ଚାଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ ।

ଐତିହାସିକ କଟକ ବାରବାଟୀ ଷ୍ଟାଡିଅମ ସମେତ ୫ଟି ମ୍ୟୁନିସିପାଲ କର୍ପୋରେସନରେ ହକି ବିଶ୍ବ କପ୍‌ ଉତ୍ସବ ପାଳନ କରାଯିବ। ଓଡିଶାର ଅଧିକାଂଶ ଜିଲ୍ଲା ସହିତ ସାରା ଦେଶରେ ଏହି ହକି ବିଶ୍ବକପ ଟ୍ରଫି ପ୍ରଦର୍ଶନ ଯାତ୍ରା କରାଯିବ। ଏହି ସମୟରେ ଜିଲ୍ଲାସ୍ତରରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ। ସ୍କୁଲ, କଲେଜର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ଏବଂ ସମସ୍ତଙ୍କ ଭିତରେ ବିଶେଷକରି ପିଲାମାନଙ୍କ ଭିତରେ କ୍ରୀଡା ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବ।

ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ରାଉରକେଲା ଓ ଭୁବନେଶ୍ବର ସହରର ସୌନ୍ଦର୍ଯ୍ୟକରଣ କରାଯିବ। ସବୁ ବିଭାଗ ଏଥିପାଇଁ ପରସ୍ପର ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରୁଛନ୍ତି । ରାଉରକେଲା ବିମାନ ବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ । ତାସହିତ ଖେଳାଳୀ ଓ ମ୍ୟାଚ ଅଫିସିଆଲ ମାନଙ୍କ ଯାତାୟତ ପାଇଁ Chartered Flight ର ବ୍ୟାବସ୍ଥା କରାଯାଉଅଛି । ଏହି ଅବସରରେ ୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହେବ।

ଆୟୋଜକ କମିଟି ଓ ବିଭିନ୍ନ ସବ୍ କମିଟି ବିଶ୍ବକପ ହକିର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଏହାକୁ ସଂପୂର୍ଣ୍ଣ ଅଘଟଣମୁକ୍ତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ଶ୍ରୀ ମହାପାତ୍ର ମନ୍ତ୍ରୀମଣ୍ଡଳକୁ ଅବଗତ କରାଇଥିଲେ ।

ବିଶ୍ବକପ୍‌ ହକି ଆୟୋଜନରେ ସାମିଲ ହୋଇଥିବା ସବୁ ବିଭାଗ ଗୁଡିକର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ ଏବଂ ସବୁ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହକି ବିଶ୍ବକପ୍‌ ଯେଭଳି ବିଭିନ୍ନ ଟିମ୍‌ ଓ ପ୍ରଶଂସକ ମାନଙ୍କ ନିମନ୍ତେ ଏକ ଭବ୍ୟ ଉତ୍ସବ ଭାବରେ ସ୍ମରଣୀୟ ହୋଇରହିବ, ସେଥିପାଇଁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.