banner
Breaking

ଆଜିଠାରୁ ମୌସୁମୀ ଅଧିବେଶନ।

0

ନୂଆଦିଲ୍ଲୀ,୧୪/୯(ଵ୍ୟୁରୋ): ଆଜିଠୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ। ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। କରୋନା କଟକଣା ମଧ୍ୟରେ ଭିନ୍ନ ରୂପରେ ବସୁଥିବା ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଧେୟକ ଆସିବ ବୋଲି ସୂଚନା ମିଳିଛି। ସଂସଦର ୧୮ ଦିନିଆ ଅଧିବେଶନ କାଳରେ ଏହିସବୁ ବିଧେୟକ ଗୃହୀତ ପାଇଁ ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଅଧିବେଶନ ପୂର୍ବରୁ ରବିବାର ବସିବାକୁ ଥିବା ସର୍ବଦଳୀୟ ବୈଠକକୁ ବାତିଲ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସର୍ବଦଳୀୟ ବୈଠକ ଡକାଇବାକୁ ଥିବାବେଳେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରିଛନ୍ତି। ସାଧାରଣତଃ ପ୍ରତିଟି ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦ୍ବାରା ସର୍ବଦଳୀୟ ବୈଠକ ଡକାଯାଇଥାଏ। ବୈଠକରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ଗୃହର ଏଜେଣ୍ଡା ସମ୍ପର୍କରେ ଆଲୋଚନା କରିଥାନ୍ତି। ଅଧିବେଶନ ସମୟରେ କେଉଁ ବିଧେୟକ ଆଗତ କରାଯିବ ତାହା ଘୋଷଣା କରାଯାଇଥାଏ। ଚଳିତ ମୌସୁମି ଅଧିବେଶନ ସମୟରେ କୌଣସି ପ୍ରଶ୍ନୋତ୍ତର କାଳ ରହିବ ନାହିଁ କି କୌଣସି ପ୍ରାଇଭେଟ ମେମ୍ବର ବିଲ୍‌ ଆଗତ ହେବ ନାହିଁ। ଅଧିବେଶନରେ ଯୋଗଦେବାକୁ ଥିବା ସମସ୍ତ ସଦସ୍ୟ ଓ କର୍ମଚାରୀ ନିଜର କରୋନା ସ୍ବାବ ନମୁନା ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। କରୋନା କଟକଣା ପାଇଁ ଲୋକସଭାର ସଦସ୍ୟମାନଙ୍କୁ ଉଭୟ ଗୃହ ଓ ଗ୍ୟାଲେରୀରେ ବସିବାର ବ୍ୟବସ୍ଥା କରାଯାଇଛି। ଲୋକସଭାର ୨୫୭ ସଦସ୍ୟ ଗୃହ ଭିତରେ ୧୭୨ ସଦସ୍ୟ ଲୋକସଭା ଗ୍ୟାଲେରୀ, ୬୦ଜଣ ସଦସ୍ୟ ରାଜ୍ୟସଭା ଗୃହ ଭିତରେ ୫୧ଜଣ ରାଜ୍ୟସଭା ଗ୍ୟାଲେରୀରେ ବସିବେ। ଉଭୟ ଗୃହ ଦୈନିକ ଦୁଇଟି ପର୍ଯ୍ୟାୟରେ ବସିବ। ରାଜ୍ୟସଭା ଅଧିବେଶନ ସକାଳ ୯ଟାରୁ ଅପରାହ୍ଣ ୧ଟା ଓ ଲୋକସଭା ଅଧିବେଶନ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ସଦସ୍ୟମାନଙ୍କୁ ଦିଆଯାଉଥିବା ବିଭିନ୍ନ କାଗଜପତ୍ର ଯଥା ବିଜନେସ ତାଲିକା, ବୁଲେଟିନ୍‌, ବିଧେୟକ ଆଦିକୁ ଇଲେ​‌େ​‌କ୍ଟ୍ରାନିକ ମେକାନିଜମ୍ ଦ୍ବାରା ପଠାଯିବ।

ଯେଉଁସବୁ ଅଧ୍ୟାଦେଶ ପାଇଁ ବିଧେୟକ ଆଗତ କରାଯିବ ସେଥି ମଧ୍ୟରେ ରହିଛି ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ହିଂସାକୁ ରୋକିବା ସମ୍ବନ୍ଧୀୟ ଅଧ୍ୟାଦେଶ। ଏହି ଅଧ୍ୟାଦେଶରେ କୋଭିଡ଼-୧୯ ମୁକାବିଲା ନିମନ୍ତେ ନିଯୁକ୍ତ ଡ଼ାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟକଳାପ, ସେମାନଙ୍କୁ ଅସୁବିଧାରେ ପକାଇବା ଭଳି କାର୍ଯ୍ୟକୁ ଜାମିନବିହୀନ ଅପରାଧ ଭାବରେ ବିବେଚନା କରାଯାଇଛି। ଏହା ସହ ଏପରି ଅପରାଧ ନିମନ୍ତେ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି।

ଅନ୍ୟଏକ ଅଧ୍ୟାଦେଶରେ ୧ ଏପ୍ରିଲ ୨୦୨୦ରୁ ଏକ ବର୍ଷ ନିମନ୍ତେ ସାଂସଦଙ୍କ ବେତନ ୩୦% କାଟିବା ଏବଂ ଏହି ରାଶିକୁ କୋଭିଡ଼ ଲଢ଼େଇରେ ବ୍ୟୟ ନିମନ୍ତେ ଉଲ୍ଲେଖ ରହିଛି। ସେହିପରି ଆଉଏକ ଅଧ୍ୟାଦେଶରେ କୃଷକମାନଙ୍କୁ କୃଷିଜାତ ସାମଗ୍ରୀ ବିକ୍ରିରେ ସହାୟତା ଦେବା ପାଇଁ ଉଦ୍ଦିଷ୍ଟ। ଏଥିରେ କୃଷକ ଓ ବ୍ୟବସାୟୀଙ୍କୁ ନିଜର ସାମଗ୍ରୀ କିଣାବିକାରେ ସ୍ବାଧୀନତା ଦିଆଯାଇଛି। ଅର୍ଥାତ ଯେଉଁଠି ଅଧିକ ମୂଲ୍ୟ ମିଳିବ ସେଠାରେ କୃଷକ ବା ବ୍ୟବସାୟୀ ନିଜ ସାମଗ୍ରୀ ବିକ୍ରି କରିପାରିବ। ଏଥିରେ କୃଷକମାନେ ଲାଭବାନ ହେବେ ଓ କାରବାରରେ ସ୍ବଚ୍ଛତା ରହିବ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି।

ଅନୁରୂପ ଭାବରେ ଜାମ୍ମୁକାଶ୍ମୀର ସରକାରୀ ଭାଷା ବିଧେୟକ ୨୦୨୦ ମଧ୍ୟ ସଂସଦରେ ଆଗତ କରାଯିବ। ଏଥିରେ ଜାମ୍ମୁକାଶ୍ମୀରର ବର୍ତ୍ତମାନ ସରକାରୀ ଭାଷା ଭାବେ କାଶ୍ମୀରୀ, ଡ଼ୋଗ୍ରି ଓ ହିନ୍ଦୀକୁ ମଧ୍ୟ ସାମିଲ କରାଯିବ। ଲୋକସଭାରେ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ଅନୁଦାନର ଅନୁପୂରକ ଦାବିର ଆଲୋଚନା ଓ ଗୃହୀତ ନିମନ୍ତେ ଆଗତ କରାଯିବ। ଏହାବ୍ୟତୀତ ବହୁ ରାଜ୍ୟ ସହକାରୀ ସୋସାଇଟି ସଂଶୋଧନ ବିଧେୟକ ୨୦୨୦, ଝାଡ଼ୁଦାରଙ୍କ ନିମନ୍ତେ ଧୋଇବା ସଂକ୍ରାନ୍ତ କାମ ନିଷେଧ ଓ ସେମାନଙ୍କ ପୁନର୍ବାସ ସଂଶୋଧନ ବିଧେୟକ ୨୦୨୦ ମଧ୍ୟ ଆଗତ ହେବ ବୋଲି ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.