banner
Breaking

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ବହୁ ଭୋଟରେ ଜିତିଲେ

0

ନୂଆଦିଲ୍ଲୀ : ଭାରତୀୟ ଗଣତନ୍ତ୍ର ପାଇଁ ଗୁରୁବାର ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଭାରତ ନୁହେଁ; ଓଡ଼ିଶା ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୌରବର ବିଷୟ। ଦେଶର ପ୍ରଥମ ନାଗରିକ ହେବାରେ ୬୪ବର୍ଷୀୟା ଦ୍ରୌପଦୀ ପ୍ରଥମ ଓଡ଼ିଆ ଓ ସର୍ବକନିଷ୍ଠ। ଦ୍ରୌପଦୀ ଆସନ୍ତା ୨୫ରେ ଶପଥ ଗ୍ରହଣ କରିବେ। ଏଥିସହିତ ସେ ହେବେ ସ୍ବାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି।
ଦେଶର ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ଗତ ୧୮ରେ ମତଦାନ ହୋଇଥିଲା। ଗୁରୁବାର ଏହାର ଗଣନା ସଂସଦ ଭବନର ୬୩ନମ୍ବର କୋଠରିରେ ହୋଇଥିଲା; ଯେଉଁଥିରେ ଦ୍ରୌପଦୀ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ରିଟର୍ଣ୍ଣିଂ ଅଫିସର ପି.ସି ମୋଦୀଙ୍କ ସୂଚନାନୁସାରେ ଇଲେକ୍‌ଟୋରାଲ କଲେଜର ମୋଟ ୩୨୧୯ ଯୋଗ୍ୟ ଭୋଟ୍‌; ଯାହାର ମୂଲ୍ୟ ୮ଲକ୍ଷ ୩୮ହଜାର ୮୩୯ ଥିଲାବେଳେ ସେଥିମଧ୍ୟରୁ ଦ୍ରୌପଦୀଙ୍କ ସପକ୍ଷରେ ମୋଟ ୨୧୬୧ ଖଣ୍ଡ ମିଳିଥିଲା। ଏହାର ମୂଲ୍ୟ ୫ଲକ୍ଷ ୭୭ହଜାର ୭୭୭ ଥିଲା। ଏହା ଧାର୍ଯ୍ୟ ୫୦ପ୍ରତିଶତ ଭୋଟ୍‌ରୁ ଯଥେଷ୍ଟ ଅଧିକ। ତାଙ୍କୁ ମୋଟ ୭୦%ରୁ ଅଧିକ ଭୋଟ ମିଳିଛି। ଅପରପକ୍ଷରେ ଯଶୋବନ୍ତଙ୍କୁ ମୋଟ ୧୦୫୮ ଖଣ୍ଡ ଭୋଟ ମିଳିଥିବାବେଳେ ଏହାର ମୂଲ୍ୟ ୨ଲକ୍ଷ ୬୧ହଜାର ୦୬୨ ରହିଛି; ଯାହା କି ପ୍ରାୟ ୨୮ପ୍ରତିଶତ। ପୂର୍ବାହ୍ଣ ୧୧ଟାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସାଢ଼େ ୧ଟାରେ ଗଣତି କରାଯାଇଥିଲା। ମୋଟ ତିନି ପର୍ଯ୍ୟାୟ ଗଣତି ହୋଇଥିଲା ଓ ପ୍ରତିଟିଥିରେ ଦ୍ରୌପଦୀ ଆଗୁଆ ରହିଥିଲେ। ବାଲଟ ବାକ୍ସ ଖୋଲାଯିବା ପରେ ୧୫ ସାଂସଦଙ୍କ ଭୋଟ୍‌ ନାକଚ ହୋଇଥିବା ଜଣାପଡ଼ିଥିଲା। ସେହିପରି ୧୭ ସାଂସଦ ଓ ୧୧୩ ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଥିଲେ। ମଧ୍ୟପ୍ରଦେଶ ଓ ଆସାମରୁ ପ୍ରାୟ ୨୦ପ୍ରତିଶତ କ୍ରସ୍‌ ଭୋଟିଂ ହୋଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ଦ୍ରୌପଦୀଙ୍କୁ ୭୪୮ ସାଂସଦଙ୍କ ମଧ୍ୟରୁ ୫୪୦ଜଣଙ୍କ ଭୋଟ୍‌ ମିଳିଥିବାବେଳେ ଯଶୋବନ୍ତଙ୍କୁ ମିଳିଥିଲା ୨୦୮ ଭୋଟ୍‌। ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ସୁଦ୍ଧା ମୁର୍ମୁଙ୍କ ୮୦୯ ଭୋଟ୍‌ ମିଳିଥିଲା; ଯାହାର ମୂଲ୍ୟ ଥିଲା ୧ଲକ୍ଷ ୫ହଜାର। ସେହିଭଳି ଯଶୋବନ୍ତଙ୍କୁ ୩୨୯ ଖଣ୍ଡ ଭୋଟ୍‌ ମିଳିଥିଲା; ଯାହାର ମୂଲ୍ୟ ଥିଲା ୪୪ହଜାର ୨୭୬। ତୃତୀୟ ପର୍ଯ୍ୟାୟ ଗଣତିବେଳେ ମୁର୍ମୁଙ୍କୁ ୫୩ପ୍ରତିଶତ ଭୋଟ୍‌ ମିଳିବା ପରେ ତାଙ୍କ ବିଜୟ ସୁନିଶ୍ଚିତ ହୋଇଥିଲା। ଅପରାହ୍ଣ ୫ଟାରେ ଗଣତି ଶେଷ ହୋଇଥିଲା ଓ ସନ୍ଧ୍ୟା ୮ଟାରେ ଫଳାଫଳ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ ଯେ ନିର୍ବାଚନରେ ୯୯.୧୮ ପ୍ରତିଶତ ମତଦାନ ହୋଇଥିଲା। ମୋଟ ୭୭୧ ସାଂସଦ ଓ ୪୦୨୫
ବିଧାୟକଙ୍କୁ ମିଶାଇ ୪୭୯୬ ଇଲେକ୍‌ଟୋରାଲ କଲେଜ ସଦସ୍ୟ ମତଦାନ କରିଥିଲେ। ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ୪୪ଟି ଓ ଯଶୋବନ୍ତଙ୍କୁ ୩୪ଟି ଦଳଙ୍କ ସମର୍ଥନ ମିଳିଥିଲା। ସେହିପରି ୧୦ଟି ରାଜ୍ୟରୁ ଦ୍ରୌପଦୀଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ଦ୍ରୌପଦୀ ସର୍ବାଧିକ ଭୋଟ୍‌ ପାଇଥିଲେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତି ପ୍ରାର୍ଥୀଙ୍କୁ ମିଳିଥିବା ଭୋଟ୍‌ର ମିଶ୍ରଣକୁ ଦୁଇରେ ବିଭକ୍ତ କରି ୧ ମିଶାଇବା ପରେ ବିଜୟ ଧାର୍ଯ୍ୟ ହେବ। ଅର୍ଥାତ୍‌ ବିଜୟୀ ପ୍ରାର୍ଥୀ ଅଧାରୁ ଅଧିକ ଭୋଟ୍‌ ପାଇଥିବା ଆବଶ୍ୟକ। ଏହି ସୂତ୍ର ଦ୍ରୌପଦୀଙ୍କ ସପକ୍ଷରେ ଯାଇଥିଲା।
ଫଳାଫଳ ଘୋଷଣା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଦ୍ରୌପଦୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଦ୍ରୌପଦୀଙ୍କ ବିଜୟ ସହିତ ଭାରତ ଇତିହାସ ସୃଷ୍ଟି କରିଥିବା ସେ କହିଛନ୍ତି। ସେହିପରି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଦ୍ରୌପଦୀଙ୍କ ପ୍ରତିଦ୍ବନ୍ଦ୍ବୀ ଯଶୋବନ୍ତ ସିହ୍ନା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ସୂଚନାଯୋଗ୍ୟ ଯେ ଦ୍ରୌପଦୀ ମୁର୍ମୁ ଏକାଧିକ ପ୍ରଥମ ରେକର୍ଡର ଅଧିକାରିଣୀ। ଓଡ଼ିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ଯେମିତି ସେ ପ୍ରଥମ, ସେହିଭଳି ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟପାଳ ହେବାରେ ସେ ପ୍ରଥମ ମହିଳା। ଓଡ଼ିଶାରୁ ଜଣେ ଆଦିବାସୀ ରାଜ୍ୟପାଳ ହେବା ମଧ୍ୟ ପ୍ରଥମ ଥିଲା। ଦ୍ରୌପଦୀ ସାନ୍ତାଳୀ ସମ୍ପ୍ରଦାୟର ହୋଇଥିବାବେଳେ ସେ ଏନ୍‌ଏସି କାଉନ୍‌ସିଲର୍ ପଦରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରି ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ମଧ୍ୟ ପ୍ରଥମ। ପାଞ୍ଚ ବର୍ଷ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା; କିନ୍ତୁ ରାମନାଥ କୋବିନ୍ଦଙ୍କ ମୁଣ୍ଡରେ ସେତେବେଳେ ଶିରପା ପିନ୍ଧା ଯାଇଥିଲା। ସେ ଦୃଷ୍ଟିରୁ ଚର୍ଚ୍ଚାର ପାଞ୍ଚ ବର୍ଷ ବ୍ୟବଧାନରେ ପ୍ରାର୍ଥୀ ତଥା ରାଷ୍ଟ୍ରପତି ହେବାରେ ମଧ୍ୟ ପ୍ରଥମ।
ସେହିପରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀକୁ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା। ସେ ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହେବା ଆମ ପାଇଁ ଗର୍ବର ବିଷୟ।”
ଏମାନଙ୍କ ବ୍ୟତୀତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା, ଲୋଭସଭା ବାଚସ୍ପତି ଓମ ବିର୍ଲା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣଡ ସାଙ୍ଗମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ନିର୍ମଳା ସୀତାରମଣ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.