ଜାତୀୟ ଓ ରାଜ୍ୟର ଅର୍ଥନୀତିକୁ ଦୃଢିଭୁତ କରିବା ପାଇଁ ମୋଦୀଙ୍କୁ ପରାମର୍ଶ ଦେଲେ ନବୀନ।
ଭୁବନେଶ୍ବର,୧୧/୫(ଓଡ଼ିଆ ନ୍ୟୁଜ): ଲକ୍ଡ଼ାଉନ ତୃତୀୟ ପର୍ଯ୍ୟାୟ ଶେଷ ହେବାକୁ ଆଉ କେଇଦିନ ବାକିଥିବାବେଳେ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶରେ ତୃତୀୟ ପର୍ଯ୍ୟାୟ ପରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ କାର୍ଯ୍ୟକାରୀ ହେବ କି ନାହିଁ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତ ଲୋଡ଼ିଛନ୍ତି । ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍ଡ଼ାଉନ ବୃଦ୍ଧି ପାଇଁ ମତ ରଖିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଡ଼ାଉନ ସମ୍ପର୍କରେ ଏକ ଜାତୀୟ ନୀତି ପ୍ରଣୟନର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି ।
ଆଲୋଚନାକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି ୫ ପ୍ରସ୍ତାବ । ଲକଡାଉନ୍ ନେଇ ବିଭିନ୍ନ ରାଜ୍ୟ ଭିନ୍ନଭିନ୍ନ ନିୟମ ପ୍ରଣୟନ କରୁଛନ୍ତି । ଏହି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଜାତୀୟ ନୀତି ନିର୍ଦ୍ଧାରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେହିପରି ଅର୍ଥନୀତିକୁ ପୁଣି ଦୃଢ଼ ସ୍ଥିତିକୁ ଫେରାଇ ଆଣିବା ନିମନ୍ତେ ଜାତୀୟ ସ୍ତରରେ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) କେନ୍ଦ୍ର ସରକାର ଆଣିବା ଉପରେ ନବୀନ ଗୁରୁତ୍ବ ଦେଇଛନ୍ତି । ଏହା ଜାତୀୟ ଓ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବ ବୋଲି ଉଳ୍ଲେଖ କରି ମୁଖ୍ୟମନ୍ତ୍ରୀ ଯୋଜନା ଗୁଡିକର ଅଧିକ ଉନ୍ନତୀକରଣ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି ।
ଅନ୍ୟପକ୍ଷରେ କରୋନା ମୁକାବିଲା କ୍ଷେତ୍ରରେ ତଳସ୍ତରରେ ପଞ୍ଚାୟତିରାଜ ଅନୁଷ୍ଠାନକୁ ସାମିଲ କରାଯିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଳସ୍ତରରେ କୋବିଦ ମୁକାବିଲା କରାଯାଇ ନ ପାରିଲେ ଏହାକୁ ରୋକିବା ସମ୍ଭବ ହେବ ନାହିଁ ବୋଲି ସେ ମତ ଦେଇଛନ୍ତି ।
ପୁନର୍ବାର ନବୀନ ବିଭିନ୍ନ ଜୋନ୍ ନିର୍ଧାରଣ ସମୟରେ ଜିଲା ପରିବର୍ତ୍ତେ ନିର୍ଦିଷ୍ଟ ଅଞ୍ଚଳକୁ ଜୋନ୍ ଭାବରେ ପରିଗଣିତ କରିବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି । ଛୋଟଛୋଟ ଅଞ୍ଚଳକୁ ନେଇ ଜୋନ୍ ଗଠନ କରାଯିବା ସହ ସ୍ଥାନୀୟ ପ୍ରଶାସନକୁ ଏହାର ଦାୟିତ୍ବ ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ରେଳଚଳାଚଳକୁ ଅଧିକ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।