ବାହାର ରାଜ୍ୟ ଫେରନ୍ତା ଓଡିଆଙ୍କ ପାଇଁ ସରକାରୀ ଖର୍ଚ୍ଚ ଜାଣନ୍ତୁ।
ଭୁବନେଶ୍ଵର,୨୮/୪ (ଓଡ଼ିଆ ନ୍ୟୁଜ) : କରୋନା ଭୂତାଣୁ ଯୋଗୁ ଦେଶରେ ଲକଡାଉନ ଜାରି ହୋଇଥିବାବେଳେ ବାହାର ରାଜ୍ୟରୁ ଫେରିବେ ଲକ୍ଷାଧିକ ଶ୍ରମିକ। ପ୍ରାୟ ୫ ଲକ୍ଷ ଶ୍ରମିକ ଫେରିବା ନେଇ ସରକାର ଆକଳନ କରୁଥିବାବେଳେ ଏହି ସଂଖ୍ୟା ୧୦ ଲକ୍ଷ ହେବ ବୋଲି କୁହାଯାଉଛି। ତେବେ ଶ୍ରମିକମାନେ ଫେରିବା ପରେ ପ୍ରଥମେ କ୍ବାରେଣ୍ଟାଇନ ସେଣ୍ଟରରେ ୧୪ ଦିନ ରହିବା ବାଧ୍ୟତାମୂଳକ। ତେଣୁ କ୍ବାରେଣ୍ଟାଇନ ସେଣ୍ଟର କିମ୍ବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହିବା ସମୟରେ ଯେଉଁ ଖର୍ଚ୍ଚ ହେବ ତାହାକୁ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମୁଣ୍ଡ ପିଛା ଖର୍ଚ୍ଚ ସମ୍ପର୍କିତ ଏକ ଗାଇଡ୍ଲାଇନ ସରକାରଙ୍କ ପକ୍ଷରୁ ଜାରି ହୋଇଛି।ଗାଇଡ୍ଲାଇନ ଅନୁସାରେ, ବୟସ୍କ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ବାବଦରେ ଦୈନିକ ମୁଣ୍ଡ ପିଛା ୧୨୦ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୧୪ ବର୍ଷରୁ କମ୍ ପିଲାଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଛି। ୧୪ ଦିନ ରହିବା ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଟୁଥ ବ୍ରଶ, ପେଷ୍ଟ, ଟଙ୍ଗ କ୍ଲିନର, ସାବୁନ, ତେଲ, ମାସ୍କ, ସାନିଟାରୀ ପ୍ୟାଡ୍, ମଗ୍, ବଟଲ, ବାଲତି ଆଦି ପାଇଁ ମୁଣ୍ଡ ପିଛା ୩୦୦ ଟଙ୍କା ଖର୍ଚ୍ଚ ହେବ। ପ୍ରତି ବେଡ୍ ପିଛା ୨ଟି ବେଡ୍ଶିଟ୍ ଏବଂ ତକିଆ କିଣାଯିବ। ଯଦି ଏହା ନ ମିଳେ, ତେବେ ଭଡ଼ାସୂତ୍ରରେ ଅଣାଯିବ। କ୍ବାରେଣ୍ଟାଇନ ସେଣ୍ଟର ଏବଂ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ସଫେଇ, ସାନିଟେଶନ, ସୁରକ୍ଷା ବାବଦରେ ଦୈନିକ ୨୦୦୦ ଟଙ୍କା ଖର୍ଚ୍ଚ କରାଯିବ।
ବେଡ୍ ପାଇଁ ଗଦି, ତକିଆ କିଣାଯାଇ ନ ପାରିଲେ ସେସବୁକୁ ଭଡ଼ାରେ ଅଣାଯିବ। ଯେଉଁ ବ୍ୟକ୍ତି କ୍ବାରେଣ୍ଟାଇନ ସେଣ୍ଟରରେ ରହିବେ ତାଙ୍କର ସମସ୍ତ ତଥ୍ୟ ରେଜିଷ୍ଟରରେ ଉଲ୍ଲେଖ କରାଯିବ। ପରେ ତାହାକୁ ଜିଲା ପ୍ରଶାସନର ୱେବସାଇଟ୍ରେ ଅପଲୋଡ୍ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।