banner
Breaking

ଦାରିଦ୍ର୍ୟ କଷଣରେ ଶଢୁଛନ୍ତି ଲୋକେ।

0

ନୂଆଦିଲ୍ଲୀ, ୧୧।୫: ଦେଶରେ ଦିନକୁ ପାଖାପାଖି ୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ କଲବଲ ହେଉଥିବାବେଳେ ପ୍ରାୟ ୪ ହଜାରଙ୍କ ଦୈନିକ ମୃତ୍ୟୁ ଘଟୁଛି। ଏଭଳି ସମୟରେ ବିନା କରୋନାରେ ବି ବଞ୍ଚିବାକୁ ସଂଘର୍ଷରତ ଲକ୍ଷ ଲକ୍ଷ ଲୋକ। ବେଶି ପ୍ରଭାବିତ ରୋଜଗାର ପାଇଁ ବାହାରକୁ ଆସିଥିବା ପ୍ରବାସୀ ଶ୍ରମିକ ଓ ଦିନ ମଜୁରିଆ। ଗତ ବର୍ଷର ଯନ୍ତ୍ରଣାର ଚିହ୍ନ ଲିଭି ନ ଥିବାବେଳେ ଏବେ କରୋନାର ଦ୍ୱିତୀୟ ଲହର ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରୋଜଗାର ହ୍ରାସ ସାଙ୍ଗକୁ ସଞ୍ଚୟ ଟଙ୍କା ଶେଷ ଯୋଗୁ ଦରିଦ୍ରତାର ଜାଲରେ ବହୁ କୋଟି ଲୋକଙ୍କ ଜୀବନ ଛନ୍ଦି ହୋଇଯାଇଛି।

ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତିର ଦେଶ ଭାରତ ପୂର୍ବବର୍ଷର କୋଭିଡ୍‌ ମହାମାରୀଜନିତ କ୍ଷତି ଭରି ପାରି ନ ଥିବାବେଳେ ଘାତକ ଦ୍ୱିତୀୟ ଲହର ସ୍ଥିତିକୁ ଆହୁରି ଦୋହଲାଇ ଦେଇଛି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୮ ପ୍ରତିଶତ ହ୍ରାସ ପାଇଥିବା ସରକାର ଆକଳନ କରିଛନ୍ତି। ୧୯୫୨ ପରଠାରୁ ଜିଡିପିରେ ଏତେ ବଡ଼ ଧରଣର ହ୍ରାସରେ ଏହା ପ୍ରଥମ। ବେକାରି ବୃଦ୍ଧି, ସଞ୍ଚୟ ହ୍ରାସ ଯୋଗୁ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସମ୍ଭାବନା କମ୍‌ ରହିଥିବାରୁ ଅନେକ ଅର୍ଥନୀତିଜ୍ଞ ସେମାନଙ୍କ ଆକଳନରେ ମଧ୍ୟ ରୋକ ଲଗାଇଛନ୍ତି। ଏସ୍‌ ଆଣ୍ଡ ପି ଗ୍ଲୋବାଲ ରେଟିଂରେ ଏସିଆ ପାସିଫିକ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଶନ୍‌ ରୋଚେ ପୂର୍ବରୁ ୧୧ ପ୍ରତିଶତ ଜିଡିପି ବୃଦ୍ଧିକୁ ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ତାହାକୁ ୯.୮ ପ୍ରତିଶତକୁ ହ୍ରାସ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ଭାରତର ଅର୍ଥନୀତିରେ ବଡ଼ ବାଧକ ହେବ ବୋଲି ରୋଚେ କହିଛନ୍ତି। କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଯୋଗୁ ଦେଶରେ ସଂକ୍ରମଣ ୨ କୋଟି ୨୬ ଲକ୍ଷ ଟପିଛି। ଆଗାମୀ ସପ୍ତାହରେ ସ୍ଥିତି ଆହୁରି ଖରାପ ହେବ ବୋଲି ବିଶେଷଜ୍ଞ ଚେତାଇଛନ୍ତି, ଯାହା ଭାରତର ଅର୍ଥନୀତି ପାଇଁ ବେଶ୍‌ କ୍ଷତିକାରକ। ସେହିପରି ପର୍ଯ୍ୟଟନ ଉପରେ କଟକଣା ଯୋଗୁ ମଧ୍ୟ ଦେଶର ଆୟ ଘୋର ପ୍ରଭାବିତ ହୋଇଛି।
ହ୍ରାସର ପ୍ରଭାବ ସିଧାସଳଖ ଭାବେ ଖଟିଖିଆ, ଦିନ ମଜୁରିଆ, ପ୍ରବାସୀ ଶ୍ରମିକଙ୍କ ଉପରେ ପଡ଼ିଛି। ଅହମଦାବାଦ ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସର ଜିମୋଲ ଉନାନୀଙ୍କ କହିବା ଅନୁଯାୟୀ, ଭାରତରେ ପ୍ରାୟ ୪୧ କୋଟି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଅନୌପଚାରିକ ଭାବେ ପ୍ରବାସୀ ଶ୍ରମିକ ବା ମଜୁରିଆ ରୂପେ କାର୍ଯ୍ୟରତ। କୃଷି କ୍ଷେତ୍ରରେ ସ୍ବଳ୍ପ ବେତନରେ ଅଧିକାଂଶ କାମ କରୁଥିବାବେଳେ ନିର୍ମାଣ କାମରେ ୫ କୋଟିରୁ ଊର୍ଦ୍ଧ୍ୱ ନିୟୋଜିତ। ସବୁଠୁ ଅସୁରକ୍ଷିତ ଥିବା ଏହି ଗୋଷ୍ଠୀ ଦୈନିକ ରୋଜଗାରରୁ ଖୁବ୍‌ କମ୍‌ ଅଂଶ ସଞ୍ଚୟ କରିପାରିଥାନ୍ତି। ମହାମାରୀବେଳେ ଆନୁଷ୍ଠାନିକ କ୍ଷେତ୍ରଗୁଡ଼ିକ ପ୍ରାୟ ସ୍ବାଭାବିକ ରହିଥିବାବେଳେ ଏହି ଅନୌପଚାରିକ ଗୋଷ୍ଠୀ ଅସମାନତାର ଶିକାର ହୋଇ ସବୁଠୁ ଅଧିକ ମାତ୍ରାରେ ବିପଦ ମୁହଁକୁ ଠେଲି ହୋଇଯାଇଛନ୍ତି। ସଂକ୍ରମଣର ଶିକାର ହେଲେ ଅର୍ଥ ଅଭାବରୁ ଚିକିତ୍ସା ପାଇବା କଷ୍ଟକର ହୋଇପଡ଼ୁଥିବାବେଳେ ଏବେ ରୋଜଗାରର ବାଟ ବାହାର କରିବା ସେମାନଙ୍କ ପକ୍ଷେ କାଠିକର ପାଠ ହୋଇଛି। ଧୀରେ ଧୀରେ ସଞ୍ଚୟ ମଧ୍ୟ ହ୍ରାସ ପାଉଥିବାରୁ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟ କଷଣରେ ଶଢୁଛନ୍ତି। ଏହାବାଦ୍‌ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଲାଗୁ ହୋଇଥିବା ଯୋଗୁ ଅନେକ ଦୋକାନୀ, ବ୍ୟବସାୟୀଙ୍କ ରୋଜଗାର ମଧ୍ୟ ମାଡ଼ ହୋଇଛି। ଫଳରେ ଅନେକେ ସେମାନଙ୍କ ସଞ୍ଚୟ ରାଶି ମଧ୍ୟ ଖର୍ଚ୍ଚ କରି ଦୈନିକ ଆବଶ୍ୟକତା ମେଣ୍ଟାଉଛନ୍ତି। ଶୀଘ୍ର କରୋନା ମୁକାବିଲାରେ ବିଜୟ ହାସଲ ନ ହେଲେ ଅଧିକରୁ ଅଧିକ ଲୋକ ଦାରିଦ୍ର୍ୟର ଶିକାର ହେବେ ଏବଂ ମହାମାରୀଠାରୁ ଏହା ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.