ଶବ ବ୍ୟବଚ୍ଛେଦ ବେଳେ ମସ୍ତିଷ୍କରୁ କିପରି ମିଳେ ତଥ୍ୟ ଜାଣନ୍ତୁ।
ଓ୍ବାଶିଂଟନ, : ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍ ସକ୍ରିୟ ରହିଥାନ୍ତି। ହୃଦ୍ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍ ହଠାତ୍ ଅଧିକ ସକ୍ରିୟ ହୋଇ ଉଠିଥାନ୍ତି। ଏନେଇ ଆମେରିକାର ସିକାଗୋଠାରେ ଥିବା ଇଲିନୋଇସ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଷ୍ଟ୍ରୋକ୍ ପରେ ପରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣରେ ସୃଷ୍ଟି ହେଉଥିବା ବାଧା ଦୂର କରିବା ଲାଗି ଗ୍ଲିଆଲ୍ ସେଲ୍ରେ ଥିବା ଜୋମ୍ବି ଜିନ୍ ନାମକ ଏକ ପ୍ରକାର ଜିନ୍ କାର୍ଯ୍ୟ ଆରମ୍ଭ କରିଥାଏ। ଏହା ମସ୍ତିଷ୍କରେ ଜମି ରହିଥିବା ମଇଳା ସଫାକୁ ପ୍ରାଥମିକତା ଦେଇଥାଏ। ତେଣୁ ମୃତ୍ୟୁ ପରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ ନ ହେଉଥିବାରୁ ଏହି ଜିନ୍ ନିଜର କାମ ଆରମ୍ଭ କରିବା ସହିତ ବେଶ୍ ସକ୍ରିୟ ହୋଇ ଉଠିଥାଏ। ଗ୍ଳିଆଲ୍ ସେଲ୍ର ସଂଖ୍ୟା ମୃତ୍ୟୁରେ ବଢ଼ିବାରେ ଲାଗିଥାଏ। ଏହି ସେଲ୍ରେ ସୁକ୍ଷ୍ମ ଚେର ଭଳି ଆପେଣ୍ଡିଜ୍ର ବିକାଶ ହୋଇଥାଏ ବୋଲି ପ୍ରଫେସର ଡାକ୍ତର ଜେଫ୍ରେ ଲୋଏବ୍ ସୂଚନା ଦେଇଛନ୍ତି। ଏହି ସେଲ ଏବଂ ଜିନ୍ ୨୪ ଘଣ୍ଟା ଯାଏଁ ସକ୍ରିୟ ରହିଥାନ୍ତି। ତେବେ ଏହାଦ୍ୱାରା ମୃତଦେହ ବ୍ୟବଚ୍ଛେଦରେ ବହୁ ସୁବିଧା ହେବା ସହିତ ମସ୍ତିଷ୍କରୁ ମୃତ୍ୟୁକାଳୀନ ବହୁ ତଥ୍ୟ ମିଳିପାରିଥାଏ ବୋଲି ସେ କହିଛନ୍ତି।