ସନ୍ଧ୍ୟାରେ ବିଧାନସଭାରେ ଗୋପାଳ ତାତି
ଭୁବନେଶ୍ବର,୨୪ା୨(ବ୍ୟୁରୋ): ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କଲେ। ଗୋଇନ୍ଦା ବିଭାଗର ଏହା ଚରମ ବିଫଳତା। କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦିଆଯିବା ପରେ କାହାଣୀ ପରେ କାହାଣୀ ରଚନା କରାଯାଉଛି। ଅନୁସନ୍ଧାନ କେବଳ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ କରାଯାଉଛି। ହତ୍ୟା ପଛର ଷଡ଼ଯନ୍ତ୍ର ଦିଗକୁ ତଦନ୍ତ କରାଯାଉନାହିଁ। ନବ ଦାସ ହତ୍ୟା ପ୍ରସଙ୍ଗରେ ଗୁରୁବାର ବିଧାନସଭାରେ ଆସିଥିବା ମୋଶନ ଉପରେ ଆଲୋଚନା ବେଳେ ଏଭଳି କିଛି ଶାଣିତ ସ୍ବରରେ ବର୍ଷିଥିଲେ ବିରୋଧୀ ଭାଜପା ଏବଂ କଂଗ୍ରେସ ସଦସ୍ୟ। ଅନ୍ୟପକ୍ଷରେ ମୋଶନ ଆଲୋଚନା ଶେଷରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଥିଲେ। ହେଲେ ବିରୋଧୀ ତାଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ହତ୍ୟାର କାରଣ କାହିଁକି କୁହାଯାଉନାହିଁ, ଯେଉଁ କାଗଜ ଧରାଯାଇଛି ମନ୍ତ୍ରୀ ତାକୁ କେବଳ ପଢୁଛନ୍ତି କହି ଭାଜପା ଏବଂ କଂଗ୍ରେସ ସଦସ୍ୟ ଗୃହ ତ୍ୟାଗ କରିଥିଲେ।
ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ବାରା କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ପ୍ରସଙ୍ଗରେ ଆଗତ ମୋଶନ ଉପରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ସରଗରମ ଆଲୋଚନା ହୋଇଛି। ଏହି ଆଲୋଚନାକୁ ଆରମ୍ଭକରି ବିରୋଧୀ ଦଳ ନେତା ଜୟନାରାୟଣ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତିି, ହତ୍ୟାର ୪ ଦିନ ପୂର୍ବରୁ ବବି ଦାସ ଏବଂ ଜଣେ ସରକାରୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ବାର୍ତ୍ତାଳାପର କଲ୍ ରେକର୍ଡ ଯାଞ୍ଚ କରାଯାଉ। ହତ୍ୟା ଦିନ ନବୀନ ନିବାସରେ କେଉଁମାନେ ଥିଲେ ଏବଂ କ’ଣ ଆଲୋଚନା ହୋଇଥିଲା। ସେଦିନ ନବୀନ ନିବାସରେ ବବି ଦାସ, ସୁଶାନ୍ତ ସିଂ ଏବଂ ଅନ୍ୟ ଜଣେ ଉପସ୍ଥିତ ଥିଲେ। ସେଠାରେ ବାଦବିବାଦ ହୋଇଥିବା ଜଣାପଡିଛି ବୋଲି ଜୟନାରାୟଣ କହିବା ବେଳେ ବବି ଦାସ, ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ ନିଜ ସ୍ଥାନରୁ ଉଠି ପ୍ରତିବାଦ କରିଥିଲେ। ଗୃହରେ ଯିଏ ଉପସ୍ଥିତ ନାହାନ୍ତି ତାଙ୍କ ନାମକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ଶାସକ ଏବଂ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଜୟନାରାୟଣ କହିଥିଲେ, ଗୋପାଳଙ୍କୁ ପାଗଳ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବା ଦୁର୍ଭାଗ୍ୟଜନକ। କ୍ରାଇମବ୍ରାଞ୍ଚ ତଦନ୍ତ ଦିଗହରା ହୋଇଥିବାରୁ ସିବିଆଇକୁ ତଦନ୍ତଭାର ଦିଆଯାଉ ବୋଲି ସେ ଦାବି କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ଗୋପାଳ ପାଗଳ ବୋଲି ପ୍ରମାଣ କରିବାକୁ ସରକାର ବ୍ୟସ୍ତ। ଷଡ଼ଯନ୍ତ୍ର ଦିଗ ଉପରେ ଅନୁସନ୍ଧାନ କରାଯାଉନାହିଁ। ତଦନ୍ତରେ ବହୁ ତ୍ରୁଟି ରହିଛି। ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେନି ସରକାର। ଏହା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ। ନବ ଦାସଙ୍କ ଅତ୍ୟଧିକ ରକ୍ତସ୍ରାବ ହେଉଥିବାବେଳେ ରକ୍ତ କିମ୍ବା ଅମ୍ଳଜାନ ଦିଆ ନ ଯିବା ଦୁର୍ଭାଗ୍ୟଜନକ। ଏଭଳି ଘଟଣାରେ ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା। କ୍ରାଇମବ୍ରାଞ୍ଚର ତଦନ୍ତ କ’ଣ ତାହା ସମସ୍ତଙ୍କୁ ଜଣା। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସ୍ଆଇଟି ଗଠନ କରାଯାଇ ଘଟଣାର ଅନୁସନ୍ଧାନ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ସିବିଆଇ ଉପରେ ତାଙ୍କର କିମ୍ବା ତାଙ୍କ ଦଳର ଭରସା ନାହିଁ ବୋଲି ସେ କହିଛନ୍ତି।
ବିଧାୟକ ଅରୁଣ ସାହୁ ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି, ଯଦି କିଛି ତଥ୍ୟ ଅଛି, ତେବେ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରନ୍ତୁ। କ୍ରାଇମବ୍ରାଞ୍ଚ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରାଯାଇନାହିଁ। ଗୋବେଲ୍ସ ଥିଓରି ପ୍ରୟୋଗ କରି ଲୋକଙ୍କୁ ଭ୍ରମିତ କରାଯାଉଛି। ଜଣେ ପୋଲିସ କର୍ମଚାରୀଙ୍କ ପାଇଁ ପୂରା ପୋଲିସ ବିଭାଗର ମନୋବଳକୁ ଭାଙ୍ଗିବା ନିନ୍ଦନୀୟ। ବିରୋଧୀ ଦଳ ସଦସ୍ୟମାନେ କେତେବେଳେ ଡାକ୍ତର, କେତେବେଳେ ପୋଲିସ୍ ପୁଣି କେତେବେଳେ ଇଣ୍ଟେଲିଜେନ୍ସ ଅଫିସର ଭଳିଆ କଥା କହୁଛନ୍ତି। ଏଇଟା ଚା’ ଖଟି ଆଲୋଚନା ନୁହେଁ। ତେଣୁ ବିଧାନସଭାର ଗରିମା ରକ୍ଷା କରିବାକୁ ଅରୁଣ ଅନୁରୋଧ କରିଛନ୍ତି। ବିଜେଡି ବିଧାୟକ ଶଶିଭୂଷଣ ବେହେରା ଏହି ଘଟଣାରେ ବୟାନବାଜିକୁ ନାପସନ୍ଦ କରିଛନ୍ତି। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ରାଜ୍ୟରେ ଗୋଇନ୍ଦା ବିଭାଗ ସମ୍ପୂର୍ଣ୍ଣ ବିଫଳ। ମନ୍ତ୍ରୀଙ୍କ ଗସ୍ତ ସମୟରେ ଏସ୍ଓପି ଅନୁପାଳନ ହୋଇନାହିଁ। ନବ ଦାସ ବିଜେଡିକୁ ଯାଇ ନ ଥିଲେ ହୁଏତ ତାଙ୍କୁ ହତ୍ୟା କରାଯାଇ ନ ଥାନ୍ତା। ପଦ୍ମପୁର ଉପନିର୍ବାଚନ ବେଳେ ପାଇକମାଳ ଦାୟିତ୍ୱରେ ଥିବା ନବ ଦାସ ଦେଖା ହୋଇଥିଲେ। ଭଟଲୀ ବିଧାୟକ ସୁଶାନ୍ତ ସିଂହ ତାଙ୍କୁ ହରାଇବାକୁ ଚେଷ୍ଟା କରୁଥିବା କଥା ନବ କହୁଥିଲେ। ଏ ଘଟଣାକୁ ଖାମଖିଆଲି ଭାବେ ନିଆ ନ ଯାଉ ବୋଲି ସାଲୁଜା କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଥିଲେ, ଗୋପାଳ ଗୁଳି କରିଛନ୍ତି, ସୁପାରି କିଏ ଦେଇଛି; ତାହାର ତଦନ୍ତ ହେଉନାହିଁ। କେବଳ ଗୋପାଳ ପାଖରେ ତଦନ୍ତ ସୀମିତ। ଗୋପାଳକୁ ସୁପାରି ଦେଇଛି କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ବିଜେଡି ସଭ୍ୟ ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି, ଲତିକା ପ୍ରଧାନ ନିଜ ବକ୍ତବ୍ୟ ରଖିଥିଲେ। ସେହିପରି ଭାଜପା ସଦସ୍ୟ ନାଉରି ନାୟକ, ସନାତନ ବିଜୁଳି, ମୁକେଶ ମହାଲିଙ୍ଗ ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ କରାଗଲେ ସତ୍ୟାସତ୍ୟ ଆସିପାରିବ ବୋଲି କହିଛନ୍ତି।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.