banner
Breaking

ବିଶ୍ବସ୍ତରୀୟ ହେବ ନନ୍ଦନକାନନ ଚିଡିଆଖାନା

0

ବାରଙ୍ଗ,୩୦।୧୨(ବ୍ୟୁରୋ): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବିଶ୍ୱସ୍ତରୀୟ ଚିଡ଼ିଆଖାନା। ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି ବୋଲି ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ରଥ କହିଛନ୍ତି। ବୁଧବାର ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହା ପରିସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରଥ କହିଥିଲେ, ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବା ପାଇଁ ନନ୍ଦନକାନନ ତା’ର କାର୍ଯ୍ୟ ଆରମ୍ଭ କରିଦେଇଛି। ନୂଆ ଢାଞ୍ଚାରେ କାର୍‌ ପାର୍କିଂସ୍ଥଳ, ଶିଶୁ ରେଳଗାଡ଼ି କାର୍ଯ୍ୟ ସାରିବା ପରେ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କାର୍ଯ୍ୟ ହେବାକୁ ଯାଉଛି। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ଚିଡ଼ିିଆଖାନାରେ ସାମିଲ ହେବା ପାଇଁ ନିର୍ଦ୍ଧାରିତ ହୋଇଥିବା ୧୫ଟି ବଡ଼ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନକୁ ସାମିଲ କରାଯାଇଛି ବୋଲି କହିଥିଲେ। କେବଳ ଜୀବଜନ୍ତୁ ଓ ପର୍ଯ୍ୟଟକଙ୍କ ସୁବିଧା ନୁହେଁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ମଧ୍ୟ କାର୍ଯ୍ୟ କରାଯିବ ବୋଲି କହିଥିଲେ।

ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ, ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡ଼ିଆଖାନା ହେବାକୁ ଥିବାବେଳେ ନୂଆ ପଶୁପକ୍ଷୀ ଆଣିବା ପାଇଁ ସିଙ୍ଗାପୁର, ଶ୍ରୀଲଙ୍କାର ଚିଡିଆଖାନା ସହ ଚୁକ୍ତିପତ୍ର ସରିଛି। ଏହାସହ ଏନକ୍ଲୋଜରଗୁଡିକୁ ମର୍ଡନ ଲୁକ୍‌ ଦେବା ପାଇଁ ଜର୍ମାନର ବର୍ଲିନ ଟିୟର ପାର୍କ ଜୁ ସହ ଚୁକ୍ତିପତ୍ର ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ଓ ସିଜେଡିଏ ଅନୁମୋଦନ କରିସାରିଛନ୍ତି। ଏଥିସହ କାଞ୍ଜିଆ ଓ କିଆଖଣି ହ୍ରଦର ମଧ୍ୟ ପୁନରୁଦ୍ଧାର କରାଯିବ ବୋଲି ଶଶୀ ପଲ କହିଥିଲେ। ଏହି ଅବସରରେ ପ୍ରଥମକରି ଏକ ବଜ୍ରକାପ୍ତାକୁ ପରୀକ୍ଷାମୂଳକ ଭାବେ ମୁକ୍ତରେ ବିଚରଣ ପାଇଁ ଛଡ଼ାଯାଇଥିଲା। ମହାରାଷ୍ଟ୍ର ପରେ ଓଡ଼ିଶାର ପ୍ରଥମ ଚିଡିଆଖାନା ଭାବେ ନନ୍ଦନକାନନ ୨୮ନଭେମ୍ବର ୨୦୨୧ ଗଜପତି ଜିଲା ପାରଳାଖେମୁଣ୍ଡି ବନ ବିଭାଗ ଦ୍ୱାରା ଜବତ ହୋଇ ଆସିଥିବା ୧୪କେଜି ଓଜନର ଏକ ଅଣ୍ଡିରା ବଜ୍ରକାପ୍ତାର ଶରୀରରେ ଭିଏଚ୍‌ଏଫ୍‌-ରେଡିଓ ଟ୍ରାନ୍ସମିଟର ଲଗାଯାଇ ଛଡ଼ାଯାଇଥିଲା। ଏହାଦ୍ୱାରା ତା’ର ଗତିବିଧିକୁ ପରଖାଯାଇପାରିବ। ଏହାସହ ମେଘା ଓ ନନ୍ଦନ, ବିଜୟା ଓ ସେଫ ଔରସରୁ ଜନ୍ମଗ୍ରହଣ କରିଥବା ୬ଟି ଶାବକର ନାମକରଣ କରାଯାଇଥିଲା। ବାଘୁଣୀ ମେଘାର ଛୁଆ ନାମ ସାହିନି, ଅଭୟ, ବିବେକ ରଖାଯାଇ ଥିବାବେଳେ ବାଘୁଣୀ ବିଜୟା ଛୁଆଙ୍କ ନାମ ବଂଶୀ, ରକି, ରାକେଶ ରଖାଯାଇଥିଲା। ପରେ ନନ୍ଦନକାନନର ବାର୍ଷିକ ପୁସ୍ତିକା କ୍ୟାଲେଣ୍ଡର ଉନ୍ମୋଚନ ସହ ବିଶେଷ ଅବଦାନ ଥିବା କେତେଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ନିର୍ଦ୍ଦେଶକ ଡ. ମନୋଜ ଭି ନାୟାର ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉପନିର୍ଦ୍ଦେଶକ ଡ.ସଞ୍ଜିତ କୁମାର ଧନ୍ୟବାଦ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.