banner
Breaking

ଅଯୋଦ୍ଧା ମାମଲା ଶେଷ, ରାୟ ପ୍ରକାଶ ବାକି।

0

ନୂଆଦିଲ୍ଲୀ,୧୭ା୧୦: ସୁପ୍ରିମକୋର୍ଟରେ ୪୦ ଦିନର ମାରାଥନ୍‌ ଶୁଣାଣି ପରେ ବୁଧବାର ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ବିଚାର ଶେଷ ହୋଇଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍‌ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଥିବାରୁ ଏହା ପୂର୍ବରୁ ଏହି ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।
୭୦ ବର୍ଷ ଧରି ରାଜନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଥିବା ଅଯୋଧ୍ୟା ଜମି ବିବାଦ ମାମଲା କୋର୍ଟରେ ଛନ୍ଦି ହୋଇ ରହିଥିଲା। ଆପୋସ ବୁଝାମଣା ଜରିଆରେ ସମାଧାନର ବାଟ ଫିଟାଇବା ପାଇଁ ସର୍ବୋଚ୍ଚ ଅଦାଲତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ଆଇ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ମଧ୍ୟସ୍ଥ କମିଟି ଗଠନ କରିଥିଲେ। ଏଥିରେ ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ମଧ୍ୟସ୍ଥ ଶ୍ରୀରାମ ପଞ୍ଚୁ ସଦସ୍ୟ ଥିଲେ। ମଧ୍ୟସ୍ଥ କମିଟି ପ୍ରାୟ ୪ ମାସ ଧରି ଚାଲିଥିବା ମଧ୍ୟସ୍ଥ ପ୍ରକ୍ରିୟା ନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଚୂଡ଼ାନ୍ତ ବୁଝାମଣାରେ ଏହି କମିଟି ବିଫଳ ହେବା ପରେ ଅଗଷ୍ଟ ୬ରେ ମାମଲାର ଦୈନନ୍ଦିନ ଶୁଣାଣି ସର୍ବୋଚ୍ଚ ଅଦାଲତରେ ଆରମ୍ଭ ହୋଇଥିଲା। ସିଜେଆଇ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିର ମଧ୍ୟ ରହିଛନ୍ତି। ଏହି ପୀଠ ମାମଲାକୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ନେବା ପାଇଁ ସମସ୍ତ ପକ୍ଷଙ୍କୁ ଲିଖିତ ଜବାବ ଦାଖଲ ପାଇଁ ୩ ଦିନ ସମୟ ଦେଇଥିଲେ। ଦଶହରା ଛୁଟି ପରେ ଚୂଡ଼ାନ୍ତ ଶୁଣାଣି ଅକ୍ଟୋବର ୧୪ରେ ପୁଣି ଆରମ୍ଭ ହୋଇଥିଲା। ବୁଧବାର ଶୁଣାଣିର ଶେଷ ଦିନ ଅପରାହ୍ନ ୪ଟାରେ ମୁସ୍‌ଲିମ ପକ୍ଷଙ୍କ ଓକିଲ ରାଜୀବ ଧଓ୍ବନ ଯୁକ୍ତି ବାଢ଼ୁଥିବାବେଳେ ସିଜେଆଇ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ବିଚାର ଶେଷ ହୋଇଛି ଏବଂ ରାୟ ସଂରକ୍ଷିତ ରହିଲା ବୋଲି ଜଷ୍ଟିସ୍‌ ଗୋଗୋଇ ଘୋଷଣା କରିଛନ୍ତି। ସିଜେଆଇ ଆସନ୍ତା ମାସ ୧୭ରେ ଅବସର ନେବେ। ତେଣୁ ତା’ ପୂର୍ବରୁ ସୁପ୍ରିମକୋର୍ଟରେ ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଆସିପାରେ।
୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ୪ଟି ପିଟିଶନର ଶୁଣାଣି କରି ୨.୭୭ ଏକର ପରିମିତ ବିବାଦୀୟ ଭୂମିକୁ ୩ ପକ୍ଷ (ସୁନ୍ନି ଓ୍ବାକଫ୍‌ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମଲାଲା)ଙ୍କ ମଧ୍ୟରେ ସମାନ ୩ ଭାଗ କରି ଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.