banner
Breaking

ହୃଦଘାତ ଲୋକଙ୍କୁ ବଞ୍ଚାଇ ହେବ।

0

ବ୍ରହ୍ମପୁର ,୧୭ା୧୦-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ତରଫରୁ ବୁଧବାର ସକାଳେ ବିଶ୍ୱ ନିଶ୍ଚେତନ ଦିବସ ଆୟୋଜିତ ହୋଇଯାଇଛି। ବର୍ହିଃ ବିଭାଗ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ହୃଦୟ ପୁନାରମ୍ଭ ସମ୍ପର୍କରେ ଜନାସାଧାରଣଙ୍କୁ ସଚେତନ କରାଯାଇଥିଲା । ଚଳିତ ବର୍ଷର ବିଷୟ ରହିଛି ‘ହୃଦୟ ପୁନଃ ସଞ୍ଚାଳନ’ । ଜଣେ ବ୍ୟକ୍ତିଙ୍କ ହୃତ୍‌ପିଣ୍ଡ ବନ୍ଦ ହୋଇଯାଇଥିଲେ ମଧ୍ୟ ଜଣେ ସାଧାରଣ ଲୋକ କିଭଳି ଉକ୍ତ ହୃତ୍‌ପିଣ୍ଡକୁ ପୁନଃ କାର୍ଯ୍ୟକ୍ଷମ କରିପାରିବେ, ସେ ସମ୍ପର୍କରେ ଉପସ୍ଥିତ ନିଶ୍ଚେତକମାନେ ବୁଝାଇଥିଲେ। କୌଣସି ବ୍ୟକ୍ତିଙ୍କ ହୃତ୍‌ପିଣ୍ଡ ଯଦି ୮ରୁ ୧୦ ମିନିଟ୍‌ ବନ୍ଦ ହୋଇଯାଏ ବା ହୃଦ୍‌ଘାତ ହୁଏ, କିମ୍ବା ନାଡ଼ିରେ ଅନିୟମିତତା ଦେଖାଦେଲେ, ମସ୍ତିଷ୍କ, ହୃତ୍‌ପିଣ୍ଡ ଏବଂ ବୃକକ୍‌କୁ ରକ୍ତ ସଂଚାଳନ ବନ୍ଦ ହୋଇଯାଇଥାଏ। ଫଳରେ ଅମ୍ଳଜାନ୍‌ ଅଭାବ ଯୋଗୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। ସେହି କ୍ଷେତ୍ରରେ ଯଦି ଦୁଇ ହାତରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବକ୍ଷ ଉପରେ ତୁହାକୁ ତୁହା ଚାପ ପକାଯିବ, ତେବେ ହୃତ୍‌ପିଣ୍ଡ ପୁନଃ କାର୍ଯ୍ୟ କରିଥାଏ । ଏବଂ ତାଙ୍କ ଜୀବନ ବଞ୍ଚିଯିବ । ହୃଦ୍‌ଘାତ ଯୋଗୁ ୧୦ରୁ ୮ଜଣଙ୍କ ମୃତ୍ୟୁ ହୋଇଯାଇଥାଏ । ହେଲେ ଉପରୋକ୍ତ ପ୍ରଣାଳୀ ଦ୍ୱାରା ପ୍ରାୟ ୬/୭ ଜଣଙ୍କ ଜୀବନ ବଞ୍ଚିଯାଇପାରିବ। ଏଣୁ ଏହି ପ୍ରଣାଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ନିଶ୍ଚେତନ, ଯନ୍ତ୍ରଣା ଉପଶମ ଏବଂ ଗୁରୁତର ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡା. ଦେବପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମହାବିଦ୍ୟାଳୟ, ଅଗ୍ନିଶମ ବିଭାଗ, ବସ୍‌ଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଥମ ଦଫାରେ ପ୍ରାୟ ଏକ ହଜାର ଲୋକଙ୍କୁ ହୃତ୍‌ପିଣ୍ଡ ପୁନଃ କାର୍ଯ୍ୟକ୍ଷମ କିଭଳି କରାଯାଇପାରିବ, ସେ ସମ୍ପର୍କରେ ସଚେତନ କରାଯିବ ବୋଲି ପ୍ରଫେସର ଡା. ମହାନ୍ତି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିନ୍‌ ତଥା ଅଧ୍ୟକ୍ଷ ଡା. ରାଧାମାଧବ ତ୍ରିପାଠୀ, ଅଧୀକ୍ଷକ ଡା. ଚରଣ ପଣ୍ଡା, ପ୍ରଫେସର ଡା. ଲକ୍ଷ୍ମୀଧର ଦାସ, ଅବସରପ୍ରାପ୍ତ ଡା. ହରିହର ପଟ୍ଟନାୟକ, ଆସିଷ୍ଟାଣ୍ଟ ପ୍ରଫେସର ଡା. ଅରୁଣ କୁମାରଙ୍କ ସମେତ ବହୁ ଡାକ୍ତର ଏବଂ ଡାକ୍ତରୀ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.