banner
Breaking

ଲିଙ୍ଗରାଜ ମନ୍ଦିର ପାଖରୁ ଉଚ୍ଛେଦ ପାଇଁ ସଜବାଜ।

0

ଭୁବନେଶ୍ୱର ୧୭।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ହେବ। ଏଥିପାଇଁ ମଙ୍ଗଳବାରଠାରୁ ଦୁଇଦିନିଆ ସର୍ଭେ ଆରମ୍ଭ ହୋଇଥିଲା। ହେଲେ ଜବରଦଖଲ ସ୍ଥାନ ଚିହ୍ନଟ କରିବାରେ ବହୁ ସମୟ ଲାଗୁଛି। ଦୁଇ ଦିନ ସର୍ଭେରେ ମାତ୍ର ୪୦ ପ୍ରତିଶତ ସ୍ଥାନକୁ ମାପଚୁପ କରାଯାଇଛି। ମନ୍ଦିର ଚତୁଃପାର୍ଶ୍ୱରେ ଆହୁରି ୬୦ ପ୍ରତିଶତ ସର୍ଭେ କାର୍ଯ୍ୟ ବାକି ରହିଛି। ବୁଧବାର ସର୍ଭେ କାର୍ଯ୍ୟ ନ ସରିବାରୁ ଆଉ ୩ଦିନ ବଢ଼ାଇ ଦିଆଯାଇଛି । ମାପଚୁପ ସରିଲେ ଜବରଦଖଲ ସଂକ୍ରାନ୍ତ ସବିଶେଷ ବିବରଣୀ ଜିଲା ପ୍ରଶାସନ ଓ ଭୁବନେଶ୍ୱର ଉନ୍ନୟକ କର୍ତ୍ତପକ୍ଷ (ବିଡିଏ)କୁ ଦିଆଯିବ। ଏହାପରେ ବୈଠକ ବସି ଚୁଡ଼ାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।
ମଙ୍ଗଳବାର ସିଂହଦ୍ୱାର ନିକଟରେ ସର୍ଭେ କାର୍ଯ୍ୟ ହୋଇଥିବାବେଳେ ବୁଧବାର ବିନ୍ଦୁସାଗର ଓ କୋଟିତୀର୍ଥ ଲେନ୍‌ରେ ସର୍ଭେ କାର୍ଯ୍ୟ କରାଯାଇଥିଲା। ଲଗାତାର ବର୍ଷା ହେବାରୁ ଏଥିରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ପ୍ରଥମଦିନ ପରି ଦ୍ୱିତୀୟ ଦିନରେ ସର୍ଭେ କାର୍ଯ୍ୟ ଠିକ୍‌ ଭାବେ ହୋଇପାରି ନ ଥିଲା। ଏହି କାର୍ଯ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ଅରୁଣ କୁମାର ବେହେରା, ମନ୍ଦିର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କ ସମେତ ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ବିଭାଗ, ମନ୍ଦିର ପ୍ରଶାସନ, ରାସ୍ତା ଏବଂ କୋଠାବାଡି ବିଭାଗ ପକ୍ଷରୁ ଗଠିତ ମିଳିତ ଟିମ୍‌ର ଅଧିକାରୀ, ଜଣେ ଅମିନ, ଜଣେ ଆର୍‌ଆଇ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ମନ୍ଦିର ପାର୍ଶ୍ୱରେ ଥିବା ବହୁ ସରକାରୀ ତଥା ମନ୍ଦିର ଜମି ଜବରଦଖଲରେ ରହିଛି। ଉଠାଦୋକାନୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଏଠାରେ ଜବରଦଖଲ କରିଛନ୍ତି। ଫଳରେ ଟ୍ରାଫିକ ଜାମ୍‌ ସୃଷ୍ଟି ହେବା ସହ ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଏହି ସର୍ଭେରେ ସରକାରୀ, ଘରୋଇ ଓ ମନ୍ଦିର ଜମି ସହ ଆଖପାଖରେ ରହିଥିବା ଜବରଦଖଲକୁ ଚିହ୍ନଟ କରାଯାଉଛି। ଚିହ୍ନଟ କରାଯାଇ ସେଠାରେ ହଳଦିଆ ରଙ୍ଗର ଚିହ୍ନ ଲଗାଯାଉଛି। ତେବେ ଖାଲି ମନ୍ଦିର ନୁହେଁ, ବିନ୍ଦୁ ସାଗର ନିକଟରେ ମଧ୍ୟ ସର୍ଭେ କରାଯିବ। ସର୍ଭେ ପରେ ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ଜବରଦଖଲ ହଟାଯିବ ବୋଲି ମିଳିତ ଟିମ୍‌ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.