ଭୁବନେଶ୍ୱର,୫/୬: ଆସନ୍ତା ୨ ଦିନ ଅର୍ଥାତ ଶନିବାର ଓ ରବିବାର ରାଜ୍ୟର ୧୧ଟି ଅଧିକ କରୋନା ସଂକ୍ରମିତ ଜିଲ୍ଲାରେ ସଟଡାଉନ ଲାଗୁ କରାଯିବ। ସେହି ସମୟରେ କେଉଁ ସଂସ୍ଥା ଓ ପ୍ରତିଷ୍ଠାନ ଖୋଲା ରହିବ ସେ ନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶାବଳୀ ଜାରି କରିଥିଲେ ମଧ୍ୟ ଆଜି ସେହି ନିର୍ଦ୍ଦେଶାବଳୀରେ କିଛିଟା ପରିବର୍ତ୍ତନ କରାଯାଇଛି।
ସଟଡାଉନ ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଖୋଲା ରହିବ ଓ ରୋଗୀ ଏବଂ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ମେଡିକାଲ ଯାଇ ପାରିବେ। ଏହା ଛଡା ଏଟିଏମ, ଆରବିଆଇ ଓ ସେହିଭଳି ଆର୍ଥିକ ପରିଚାଳନା ସଂସ୍ଥା, ବିମାନବନ୍ଦର, ରେଳ ଷ୍ଟେସନ, ବସ ଟର୍ମିନାଲ ଓ ସମ୍ପର୍କିତ ସେବା, ଜମାଟୋ ଓ ସ୍ୱିଗୀ ଭଳି ଖାଦ୍ୟ ଯୋଗାଣ ସଂସ୍ଥା, ରନ୍ଧନ ଗ୍ୟାସ ବିତରଣ ମଧ୍ୟ ଯଥାରୀତି କାର୍ଯ୍ୟ କରିବ। ସଟଡାଉନ ସମୟରେ ହକରମାନେ ସକାଳ ୫ରୁ ୮ଟା ମଧ୍ୟରେ ସମ୍ବାଦପତ୍ର ବଣ୍ଟନ କରିପାରିବେ।
ସେହିପରି କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ଏକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ଏଥିରେ ହସ୍ପିଟାଲ, କ୍ଲିନିକ, ନର୍ସିଙ୍ଗ ହୋମ ଏବଂ ଆମ୍ବୁଲାନ୍ସ ଯଥାରୀତି କାର୍ଯ୍ୟ କରିବ ତେବେ ସେମାନଙ୍କୁ ଗାଡି ପାସ କିମ୍ବା ଆଇଡି କାର୍ଡ ଦେଖାଇବାକୁ ପଡିବ। ଔଷଧ ଦୋକାନ ଓ ଫର୍ମାସୀ ପାଇଁ ଟ୍ରେଡ଼ ଲାଇସେନ୍ସ କିମ୍ବା ପୁଲିସ ଦ୍ୱାରା ଜାରି ପୁରୁଣା ପାସ ଆବଶ୍ୟକ ହେବ ବୋଲି ଜଣାପଡ଼ିଥିବା ବେଳେ ଜରୁରୀକାଳୀନ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ଟେଲିକମ, ପେଟ୍ରୋଲ ପମ୍ପ କର୍ମଚାରୀ, ଇଲେକ୍ଟ୍ରୋନିକ ଓ ଛାପା ଗଣମାଧ୍ୟମ ସହ ଜଡିତ ବ୍ୟକ୍ତି, ଔଷଧ ଓ ଖାଦ୍ୟ ହୋମ ଡେଲିଭରି, ଜଳ ଯୋଗାଣ, ସଫେଇ ଓ ବିଦ୍ୟୁତ କର୍ମଚାରୀମାନଙ୍କୁ ସଟଡାଉନ ସମୟରେ ନିଜ ଆଇଡି କାର୍ଡ କିମ୍ବା ସେମାନେ କାମ କରୁଥିବା ସଂସ୍ଥା ଦ୍ୱାରା ପ୍ରଦତ୍ତ ଅନୁମତି ପତ୍ର ଦେଖାଇବାକୁ ପଡିବ।
ଅନ୍ୟପକ୍ଷରେ ସଟଡାଉନ ସମୟରେ ଚଳପ୍ରଚଳ ପାଇଁ ସମସ୍ତ ଅଟୋ ଏବଂ କାରଗୁଡିକୁ ପୁଲିସଠାରୁ ଅନୁମତି ପତ୍ର ନେବାକୁ ପଡିବ। ମାଲ ପରିବହନ କରୁଥିବା ଟ୍ରକ ବିନା କୌଣସି ବାଧାରେ ଜାତୀୟ ରାଜପଥରେ ଯାତାୟାତ କରିବ ପାଇଁ ଅନୁମତି ଦିଆଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ‘୧୦୦’କୁ Pass ଟାଇପ କରି ମେସେଜ ଦେଲେ ପାସ ମିଳିପାରିବ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି।




