banner
Breaking

ରାଜ୍ୟ ପାଇଁ ଖୁସି ଖବର। ପହଞ୍ଚିଲା କରୋନା ଔଷଧ।

0

ଭୁବନେଶ୍ୱର, ୨୯।୬(ଓଡ଼ିଆ ନ୍ୟୁଜ): ମହାମାରୀ କରୋନା ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଓଡ଼ିଶାରେ ପହଞ୍ଚିଛି କରୋନା ଔଷଧ ରେମ୍‌ଡେସିଭିର୍‌। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୋମବାର ସୂଚନା ଦେଇଛନ୍ତି। ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କେରାଯିବ ବୋଲି କହିଛନ୍ତି।
ସେହିପରି ଡ୍ରଗ୍ସ କଂଟ୍ରୋଲର ମାମିନା ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରେମଡିସିଭିର ଏବଂ ଫାଭିପିରାଭିର ବା ଫାଭି ଫ୍ଲୁ ନାମକ ୨ଟି ଔଷଧ ରାଜ୍ୟରେ ପହଞ୍ଚିଛି। ଫାଭି ଫ୍ଲୁ ଔଷଧର ୧୨୦୦ ଷ୍ଟ୍ରିପ ରାଜ୍ୟରେ ପହଞ୍ଚିଛି। ପ୍ରତିଟି ଷ୍ଟ୍ରିପରେ ୩୪ଟି ଲେଖାଏ ଟାବଲେଟ୍‌ ରହୁଛି। ସାମାନ୍ୟରୁ ମଧ୍ୟମ ଧରଣର ଆକ୍ରାନ୍ତମାନଙ୍କୁ ଏହି ଔଷଧ ପ୍ରଦାନ କରାଯିବ।
ସେହିପରି ରେମଡିସିଭିର ଔଷଧ କେବଳ ଗୁରୁତର ରୋଗୀମାନଙ୍କୁ ଦିଆଯିବ। ଏହି ଔଷଧ ବିଭିନ୍ନ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଡ୍ରଗ୍ସ କଂଟ୍ରୋଲର ସୂଚନା ଦେଇଛନ୍ତି। ତେବେ ରୋଗୀମାନଙ୍କୁ ଔଷଧ ଦିଆଯିବା ପରେ ଆରୋଗ୍ୟ ହାର ବୃଦ୍ଧି ପାଇବ।
ଏହାବ୍ୟତୀତ କରୋନା ଚିକିତ୍ସାରେ ବ୍ୟବହାର କରାଯାଉଥିବା ଆଉ ଏକ ଔଷଧ ‘ଡେକ୍ସାମେଥାସୁନ’ ରାଜ୍ୟରେ ବିପୁଳ ପରିମାଣରେ ଗଚ୍ଛିତ ଥିବା କୁହାଯାଇଛି। ଏହି ଔଷଧର ୨ ଲକ୍ଷ ବଟିକା ଏବଂ ୨ ଲକ୍ଷ ଇଞ୍ଜେକ୍ସନ ରାଜ୍ୟରେ ଥିବା ସୂଚନା ଦିଆଯାଇଛି।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହାମାରୀ କରୋନା ଯୋଗୁ ବର୍ତ୍ତମାନ ସୁଦ୍ଧା ୨୩ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଗତ ଦୁଇଦିନ ଭିତରେ ଚାରିଜଣଙ୍କ ମୃତ୍ୟୁ ହୋଇଛି। ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ଆଜି ଔଷଧ ପହଞ୍ଚିବା ପରେ ସମସ୍ତେ ଆଶ୍ବସ୍ଥି ଲାଭ କରିଛନ୍ତି।

ସୂଚନାଯୋଗ୍ୟ ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ଔଷଧ ରେମଡେସିଭିର ଉତ୍ପାଦନ ଓ ବିକ୍ରି ପାଇଁ ଅନୁମିତ ମିଳିଥିଲା। ଏହା ପରେ ହେଟେରୋ ଏହାର ନାମ କୋଭିଫର୍ ରଖି ଉତ୍ପାଦନ ଆରମ୍ଭ କରିଥିଲା।
କିଛି ଦିନ ତଳେ କମ୍ପାନୀ ୨୦,୦୦୦ କୋଭିଫର ବୋତଲ ସର୍ବାଧିକ କରୋନା ପ୍ରଭାବିତ ୫ଟି ରାଜ୍ୟକୁ ପଠାଇଥିଲା। ଦିଲ୍ଲୀ ଓ ମୁମ୍ବାଇ ଏହା ମଧ୍ୟରେ ସାମିଲ ଥିଲେ।
ଦ୍ୱିତୀୟ ପର୍ଯ୍ୟାୟ ଔଷଧ ବିତରଣରେ କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୌ, ପାଟନା ଓ ଭୁବନେଶ୍ୱର, ରାଞ୍ଚି, ଭିଜୟୱାଡା, କୋଚି, ତ୍ରିଭେନ୍ଦ୍ରମ ଏବଂ ଗୋଆକୁ ଔଷଧ ପଠାଇବାର ଥିଲା।  ୩-୪ ସପ୍ତାହ ମଧ୍ୟରେ  କମ୍ପାନୀ ଏକ ଲକ୍ଷ ଔଷଧ ଉତ୍ପାଦନ କରିବାକୁ ଲକ୍ଷ ରଖିଥିବା ସେତେବେଳେ କହିଥିଲା।
ତେବେ ଏହି ଔଷଧ ଅନ୍ୟ କୌଣସି ଔଷଧ ଦୋକାନର ମିଳିବ ନାହିଁ। କେବଳ ହସ୍‌ପିଟାଲ ଓ ସରକାରୀସ୍ତରରେ ଉପଲବ୍ଧ ହେବ ବୋଲି ହେଟେରୋ ଗ୍ରୁପ୍‌ ଅଫ୍‌ କମ୍ପାନୀର ଏମ୍‌ଡି ଭାମସୀ କ୍ରିଷ୍ଣା କହିଛନ୍ତି।  ଗର୍ଭବତୀ ମହିଳା, ଲିଭର ଓ କିଡ୍‌ନୀ ଫେଲ୍‌ ଥିବା ରୋଗୀ, ସ୍ତନ୍ୟପାନ କରାଉଥିବା ମହିଳା ଓ ୧୨ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଏହି ଔଷଧ ଦିଆଯିବ ନାହିଁ ବୋଲି ସେ  କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.