ଆଜି ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ
ଖୋର୍ଦ୍ଧା,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଭାଜପା ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୫ଟିରେ ବିଜୟୀ ହୋଇଥିଲେ। ବୁଧବାର ସମସ୍ତ ସ୍ବାଧୀନ କାଉନସିଲର ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି। ଫଳରେ ଦଳର ସଂଖ୍ୟା ୧୮ରେ ପହଞ୍ଚିଛି। ତେବେ ଉପାଧ୍ୟକ୍ଷ ପଦ ପାଇଁ ବିଜେଡିରୁ ୪ଜଣ କାଉନସିଲର ଅମିୟ କୁମାର ମହାନ୍ତି, ଅଜିତ ମହାପାତ୍ର, ସୌର୍ଯ୍ୟରଞ୍ଜନ ମହାନ୍ତି, ପ୍ରବୀଣା ଜଗଦ୍ଦେବ ରାୟ ଆଶାୟୀ ରହିଛନ୍ତି।
ପୌର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉପାଧ୍ୟକ୍ଷ ପାଇଁ ନିର୍ବାଚିତ କାଉନସିଲରମାନେ ମତଦାନ କରିବେ। ଏହି ପଦବୀ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ରହିଛିି। ତେଣୁ ଏହି ଆସନରେ ନିଜ ସମର୍ଥକଙ୍କୁ ବସାଇବା ପାଇଁ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁଙ୍କ ମଧ୍ୟରେ ଛକାପଞ୍ଝା ଲାଗିିଥିବା ଜଣାପଡ଼ିଛି। ପୂର୍ବରୁ ନିର୍ବାଚିତ ଦଳୀୟ କାଉନସିଲରଙ୍କ ମଧ୍ୟରୁ ଏକାଧିକ ବିଧାୟକ ସାହୁଙ୍କ ସମର୍ଥକ ଏବଂ ସ୍ବାଧୀନ କାଉନସିଲର ମଧ୍ୟ ତାଙ୍କ ହାତରେ ରହିଥିବା ଚର୍ଚ୍ଚା ହେଉଥିଲା। ଫଳରେ ବିଧାୟକ ସାହୁଙ୍କ ନିକଟରେ ଅଧିକ କାଉନସିଲରଙ୍କ ସମର୍ଥନ ରହିଥିବା ଆଲୋଚନା ହେଉଥିଲା। ଏପରି କି ସେ ନିର୍ବାଚିତ ପ୍ରବୀଣା ଜଗଦ୍ଦେବଙ୍କ ପାଇଁ ଲବି କରୁଥିବା କୁହାଯାଉଛି। ତେବେ ବିଧାୟକ ସାହୁ ଏହାକୁ ଖଣ୍ଡନ କରିଛନ୍ତି। ଉପାଧ୍ୟକ୍ଷ କିଏ ହେବ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି। ଅନ୍ୟପଟେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଖୋର୍ଦ୍ଧା ଏବଂ ଟାଙ୍ଗୀ ବ୍ଲକର ଚେୟାରମ୍ୟାନ ପଦବୀରେ ବିଧାୟକ ସାହୁ ନିଜ ସମର୍ଥକଙ୍କୁ ବସାଇବାରେ ସକ୍ଷମ ହୋଇଛନ୍ତି। ତେଣୁ ଉପାଧ୍ୟକ୍ଷ ମଧ୍ୟ ହାତେଇବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସ୍ବାଧୀନ କାଉନସିଲର ବିଜେଡିରେ ସାମିଲ ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ଏବେ ଦଳ ଯାହା ଉପରେ ମୋହର ମାରିବ, ସେ ଉପାଧ୍ୟକ୍ଷ ହେବା ନିଶ୍ଚିତ। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଉପାଧ୍ୟକ୍ଷ ପାଇଁ ୪ ଆଶାୟୀଙ୍କ ନଁା ଆସିଛି। ଏ ସମ୍ପର୍କରେ ଦଳ ଯାହା ନିଷ୍ପତ୍ତି ଗ୍ରହଣ କରିବ। ଅନ୍ୟପଟେ ବିଧାୟକ ମିତ୍ର ଦଳୀୟ ଟିକେଟରୁ ନିର୍ବାଚିତ ହୋଇଥିବା ସୌର୍ଯ୍ୟରଞ୍ଜନ ମହାନ୍ତିଙ୍କୁ ଉପାଧ୍ୟକ୍ଷ ଆସନରେ ବସାଇବା ପାଇଁ ଲବି କରିଥିବା ଚର୍ଚ୍ଚା ହେଉଛି। ବିଧାୟକ ମିତ୍ର ଏହାକୁ ଖଣ୍ଡନ କରିଛନ୍ତି। ମୁଁ କାହା ପାଇଁ ଦଳ ସହିତ କଥାବାର୍ତ୍ତା କରିନାହିଁ। ତେବେ ଗୁରୁବାର ଦଳ କାହା ଉପରେ ଭରସା କରିବ, ତାହାକୁ ନେଇ ସବୁଠି ଉତ୍କଣ୍ଠା ରହିଛି।