banner
Breaking

ଅର୍ଜୁନ ପୁରସ୍କାର ପାଇଁ ଦୂତୀଙ୍କ ନାମ ସୁପାରିଶ।

0

ଭୁବନେଶ୍ୱର, ୧୯।୮(ଓଡ଼ିଆ ନ୍ୟୁଜ):ଓଡ଼ିଶା କ୍ରୀଡ଼ା ପାଇଁ ଏକ ଖୁସି ଖବର। ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଗଠିତ ଚୟନ କମିଟି ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଥିବା ୨୯ ଜଣିଆ ଆଥଲେଟ୍‌ ତାଲିକାରେ ଓଡ଼ିଶାର ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ପୂର୍ବରୁ ଓଡ଼ିଶାର ୮ ଖେଳାଳି ଅର୍ଜୁନ ପୁରସ୍କାର ପାଇସାରିଥିବାବେଳେ ଏବେ ଏହି ସଂଖ୍ୟା ୯ରେ ପହଞ୍ଚତ୍ବାକୁ ଯାଉଛି।
ଓଡ଼ିଶାର ୯ମ ଆଥଲେଟ୍‌ଭାବେ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ଜାତୀୟ ରେକର୍ଡଧାରିଣୀ ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ”ବହୁତ ଖୁସି ଲାଗୁଛି। ଅର୍ଜୁନ ପୁରସ୍କାର ପାଇବା ଏତେ ସହଜ କଥା ନୁହେଁ। ଦକ୍ଷତା ଦେଖାଇ ଅନେକ ସଫଳତା ଅର୍ଜନ କଲେ ଯାଇ ଏପରି ସମ୍ମାନ ମିଳିଥାଏ। କ୍ରମାଗତ ଦୁଇବର୍ଷ ଧରି ମୋ ନାମ ସୁପାରିସ କରିଥିବାରୁ ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ନିୟମ ଅନୁସାରେ କ୍ରମାଗତ ୩ ବର୍ଷ ଜାତୀୟ/ଅନ୍ତର୍ଜାତୟ ସ୍ତରରେ ଭଲ ପ୍ରଦର୍ଶନ କଲେ ଯାଇ ଜଣେ ଆଥଲେଟ୍‌ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥାଏ। ମୁଁ ଗତ ୫ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚାଲିଛି। ରିଓ ଅଲିମ୍ପିକ୍ସଠାରୁ ଆରମ୍ଭ କରି ମୁଁ ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆସିଛି। ଏସିଆନ ଗେମ୍ସରେ୨ଟି ପଦକ ପାଇଥିଲି। ଏସିଆନ ଚାମ୍ପିୟନଶିପ୍‌ରେ ମଧ୍ୟ ପଦକ ହାସଲ କରିଥିଲି। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ପ୍ରଥମ ଭାରତୀୟ ଆଥଲେଟ୍‌ଭାବେ ମୁଁ ସ୍ବର୍ଣ୍ଣ ପଦକ ପାଇଥିଲି। ସବୁ ପ୍ରଦର୍ଶନକୁ ଦେଖି ସମ୍ଭବତଃ ମୋତେ ଏହି ପୁରସ୍କାର ପାଇଁ ମୋତେ ମନୋନୀତ କରାଯାଇଛି“ ବୋଲି ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ଦୂତୀ। ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମରେ କୋଚ୍‌ ନାଗାପୁରୀ ରମେଶଙ୍କ ତତ୍ତ୍ୱାବଧାନରେ ଅଭ୍ୟାସ ଜାରି ରଖିଛନ୍ତି ଏହି ଓଡ଼ିଆ ଆଥଲେଟ୍‌। କରୋନା ଭାଇରସ ସଂକ୍ରମଣ ଯୋଗୁ ଏବେ ସବୁ ପ୍ରତିଯୋଗିତା ବନ୍ଦ ଥିବାରୁ ସେ ଆସନ୍ତା ବର୍ଷ ପ୍ରାରମ୍ଭରେ ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟ ଗୁଡ଼ିକରେ ଭାଗନେବେ ବୋଲି ଲକ୍ଷ୍ୟ ରଖିଛନ୍ତି।


୧୯୯୬ ଫେବୃୟାରୀ ୩ରେ ଯାଜପୁର ଜିଲା ଚକଗୋପାଳପୁରରେ ଜନ୍ମିତ ଦୂତୀ ଏବେ ୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡଧାରିଣୀ (୧୧.୨୨ ସେକେଣ୍ଡ-୨୦୧୯)। ତାଙ୍କ କ୍ୟାରିୟରର ସଫଳତା ତାଲିକା ବେଶ୍‌ ଲମ୍ବା। ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ହାସଲ ତାଙ୍କ ଅର୍ଜୁନ ପୁରସ୍କାର ପଥକୁ ସୁଗମ କରିଛି। ୨୦୧୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ୨ଟି ବ୍ରୋଞ୍ଜପଦକ ହାସଲ କରିଥିଲେ। ମହିଳା ୧୦୦ ମିଟର ଓ ୪ ଗୁଣା ୧୦୦ ରିଲେ ରେସ୍‌ରେ ସେ ଏହି ସଫଳତା ପାଇଥିଲେ। ସେ ୨୦୧୩ ପୁଣେ ଓ ୨୦୧୯ ଦୋହା ଏସିଆନ ଚାମ୍ପିୟନଶିପ୍‌ରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ୨୦୧୬ ଦୋହା ଏସିଆନ ଇନ୍‌ଡୋର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ଏବଂ ସେହିବର୍ଷ ସାଉଥ୍‌ ଏସିଆନ ଗେମ୍ସରେ ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ। ପ୍ରଥମ ଭାରତୀୟ ଭାବେ ସେ ୨୦୧୯ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ମହିଳା ୧୦୦ ମିଟରରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ୨୦୧୪ରେ ହାଇପରଆଣ୍ଡ୍ରୋଜେନିଜମ୍‌ ବିବାଦରୁ ମୁକୁଳିଥିବା ଦୂତୀ ୨୦୧୯ରେ ସମଲିଙ୍ଗି ସମ୍ପକର୍ର୍ରେ ଥିବାକଥା ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ।
ସୂଚନାଯୋଗ୍ୟ ପୂର୍ବରୁ ଓଡ଼ିଶାର ୮ ଜଣ କ୍ରୀଡ଼ାବିତ୍‌ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି। ୧୯୮୦ରେ ସାଇକ୍ଲିଷ୍ଟ ମିନତି ମହାପାତ୍ର ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନ ପାଇଥିଲେ। ପରେ ୧୯୮୨ରେ ଭାରୋତ୍ତୋଳକ ବିଜୟ କୁମାର ଶତପଥୀ, ୧୯୯୮ରେ ଆଥଲେଟ୍‌ ରଚିତା ମିସ୍ତ୍ରି (ପଣ୍ଡା), ୨୦୦୨ରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, ୨୦୦୭ରେ ପୂର୍ବତନ ଭାରତୀୟ ମହିଳା ହକି ଅଧିନାୟିକା ଜ୍ୟୋତି ସୁନୀତା କୁଲୁ, ୨୦୦୯ରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଇଗ୍ନେଶ ତିର୍କୀ, ୨୦୧୦ରେ ଭାରୋତ୍ତୋଳକ କେ. ରବିକୁମାର ଏବଂ ୨୦୧୯ରେ ଓଡ଼ିଶାର ପ୍ରଥମ ପାରା ଆଥଲେଟ୍‌ଭାବେ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଥିଲେ। (ସମ୍ପ୍ରତି ଓଡ଼ିଶାରେ ରହୁଥିବା ୧୯୭୫ ହକି ବିଶ୍ୱକପ ଏବଂ ୧୯୭୨ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ହକି କିମ୍ବଦନ୍ତୀ ଝାଡ଼ଖଣ୍ଡର ମାଇକେଲ କିଣ୍ଡୋ(୧୯୭୨) ମଧ୍ୟ ଅର୍ଜୁନ ପୁରସ୍କାର ପାଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.