ଦିନେ ବଢ଼ିଲେ ଦିନେ କମୁଛି କରୋନା
ନୂଆଦିଲ୍ଲୀ, ୭।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ି ୨ ଶହ ଉପରେ ରହିଛି। ଏହା ୨୬୬ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୨୧୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା ଅଢ଼େଇ ହଜାର ଉପରେ ରହିଛି। ଏହା ୨ ହଜାର ୯୭୦ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ହଜାର ୯୦୧ ଥିଲା। ସେହିପରି ୨୪ ଘଣ୍ଟାରେ ୧୯୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୭୧ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୭୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୮୮ ହଜାର ୩୬୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୪ ହଜାର ୬୨୨ଜଣ ସୁସ୍ଥ ହୋଇ ସାରିଛନ୍ତି।
କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍) ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଅନୁଯାୟୀ, ଏହି ରୋଗ ଅନେକଙ୍କ ପାଇଁ ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିଥାଏ। ବାୟୁ ପ୍ରଦୂଷଣ ଥିବା ବ୍ୟକ୍ତିମାନଙ୍କଠାରେ ଶ୍ୱାସକ୍ରିୟା ସଂକ୍ରମଣ ସହିତ ଜ୍ୱର ସୃଷ୍ଟି ହୋଇଥାଏ। ଏଥିରୁ ସୁରକ୍ଷା ପାଇଁ ପାଣି ଏବଂ ସାବୁନରେ ନିୟମିତ ଭାବେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା, ନାକ ପାଟି ନ ଛୁଇଁବା, କାଶ ଏବଂ ଛିଙ୍କିବା ସମୟରେ ନାକ ଓ ପାଟିକୁ ସଠିକ ଭାବରେ ଘୋଡାଇବା ଉପରେ ଆଇସିଏମ୍ଆର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଚୁର ପରିମାଣର ତରଳ ପଦାର୍ଥ ପିଇବାକୁ ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା ହେଲେ ପାରାସିଟାମୋଲ ଖାଇବାକୁ କୁହାଯାଇଛି। ସେହିପରି କରମର୍ଦ୍ଦନ ନ କରିବାକୁ ,ସର୍ବସାଧାରଣରେ ଛେପ ନ ପକାଇବାକୁ, ଅନ୍ୟମାନଙ୍କ ପାଖରେ ବସି ନ ଖାଇବାକୁ ପରାମର୍ଶ ଦିଆଯାଇଛି।
