କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର :ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ୫ କେ.ଜି. ଚାଉଳ ବନ୍ଦ କରିବା ଏବଂ ଏଲ୍ପିଜି ଦରବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ବିଜେଡି ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ବୁଧବାର ଅନୁଷ୍ଠିତ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି, ସମସ୍ତଙ୍କୁ ଏବଂ ବିଜେଡିର ଲକ୍ଷ ଲକ୍ଷ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଉଛି। ରାଜ୍ୟ ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ଏ ପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି। ହେଲେ ସମସ୍ତେ ଜାଣନ୍ତି କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ୫ କେ.ଜି. କାଟି ଦେଇଛନ୍ତି। ସେହିପରି ଏଲ୍ପିଜି ଦର ଏବେ ଆକାଶଛୁଆଁ ହେଲାଣି। ଚାଉଳ କାଟିବା ଓ ଏଲ୍ପିଜି ଦର ବୃଦ୍ଧି ଯୋଗୁ ମହିଳାମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ ସେ କଡ଼ା ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମହିଳା ସଶକ୍ତୀକରଣ ବିଜେଡିର ମୁଖ୍ୟ ଲକ୍ଷ୍ୟ। ସମସ୍ତଙ୍କ ପ୍ରିୟନେତା ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତୀକରଣ ପାଇଁ ନୂଆ ରାସ୍ତା ଦେଖାଇଛନ୍ତି। ମହିଳା ସଶକ୍ତୀକରଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି। ପଞ୍ଚାୟତ ଓ ସ୍ବାୟତ୍ତ ଶାସନ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟାକୁ ୩୩%ରୁ ୫୦%କୁ ବୃଦ୍ଧି କରାଯାଇଛି। ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦେବା ଲାଗି ବିଜେଡି ପକ୍ଷରୁ ଲଢ଼େଇ ଜାରି ରହିବ। ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ସମସ୍ତଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି। ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ୱ ବଢ଼ିଛି। ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମହିଳାମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢ଼ିଛନ୍ତି। ଏସ୍ଏଚ୍ଜିରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ମୁଁ ଚାହେଁ ରାଜ୍ୟର ମହିଳାମାନେ ସଶକ୍ତ ଏବଂ ସଫଳ ହୁଅନ୍ତୁ। ମହିଳାମାନଙ୍କ ଦକ୍ଷତା ନୂଆ ଓଡ଼ିଶାର ପରିଚୟ ହେଉ। ବିଜେଡି ସବୁବେଳେ ମହିଳାଙ୍କ ପାଇଁ କାମ କରୁଛି , ଆଗକୁ ମଧ୍ୟ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ସେ ବନ୍ଦେ ଉତ୍କଳ ଜନନୀ କହି ତାଙ୍କ ଅଭିଭାଷଣ ଶେଷ କରିଥିଲେ।