ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି
ଭୁବନେଶ୍ବର :ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଓ ରାଜ୍ୟ ସଭାପତି ସମୀର ମହାନ୍ତି ବାରମ୍ବାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ ‘ରାଜ୍ୟ ଶାସନ ବ୍ୟବସ୍ଥାକୁ ଚଳାଉଛି କିଏ’। ରାଜ୍ୟବାସୀଙ୍କ ମନ ଭିତରେ ଏହା ଏବେ ପ୍ରମୁଖ ପ୍ରଶ୍ନ ହୋଇ ରହିଯାଇଛି ବୋଲି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି। ପ୍ରଥମେ ଷ୍ଟୋରି ପ୍ରସ୍ତୁତ ହୋଇ ଚଳଚ୍ଚିତ୍ର ନିର୍ମାଣ କରାଯିବା ଭଳି ରାଜ୍ୟରେ ମଧ୍ୟ ପ୍ରଥମେ ଷ୍ଟୋରି ପ୍ରସ୍ତୁତ କରାଯାଇ ପରେ କ୍ରାଇମ କରାଯାଉଛି। ଏହା ଅତ୍ୟନ୍ତ ବିପଜ୍ଜନକ।
ଗତ କିଛିବର୍ଷ ହେଲା ରାଜ୍ୟରେ ସାଇବର କ୍ରାଇମ, ଶିଶୁ ଅପହରଣ, ଲୁଟ୍, ନାରୀ ନିର୍ଯାତନା ଓ ହତ୍ୟା ଭଳି ଅପରାଧ ସଂଖ୍ୟା ଦିନକୁଦିନ ବଢ଼ିଚାଲିଛି। ତେଣୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ମଙ୍ଗଳବାରଠାରୁ ଭାଜପା ୩ ଦିନିଆ ଆନ୍ଦୋଳନ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୃଗୁ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କଲେ। ଏଭଳି ସମ୍ବେଦନଶୀଳ ହତ୍ୟାର ତଦନ୍ତ ମଧ୍ୟ ସେହି ଗୃହ ବିଭାଗର କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଉଛି। ଘଟଣାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସତ୍ୟାସତ୍ୟ ସାମ୍ନାକୁ ଆସିଲା ନାହିଁ।
ଗତ ୨ରୁ ୩ ବର୍ଷ ହେବ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଯେଉଁ ନୂଆ ଘଟଣାମାନ ଘଟୁଛି, ତାହା ଅତୀତରେ କେବେହେଲେ ଓଡ଼ିଶାରେ ଦେଖାଯାଉ ନ ଥିଲା। ଓଡ଼ିଶାରେ ଯଦି ଜଣେ ମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକଙ୍କ ଅବସ୍ଥା ନ କହିବା ଭଲ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁର ତଦନ୍ତ ବାଟବଣା ପ୍ରତିବାଦରେ ଆସନ୍ତା ୧୪, ୧୫, ୧୬ରେ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ଭାଜପା ଆନ୍ଦୋଳନ କରିବ। ମଙ୍ଗଳବାର ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ା
୧୫ରେ ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହିତ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ। ୧୬ରେ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବିକରି ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ଏହି ଆନ୍ଦୋଳନକୁ ଆଗାମୀ ଦିନରେ ଗାଁ, ପଞ୍ଚାୟତ, ବ୍ଳକରେ କରାଯିବ ବୋଲି ଭୃଗୁ କହିଛନ୍ତି।