banner
Breaking

ବାଇଗଣ ଓ ମୁହଁରେ ହାତ ମାରିବା ଉପରେ ବାଗଚୀଙ୍କ ପରାମର୍ଶ।

0

ଭୁବନେଶ୍ୱର,୧୧/୪(ଓଡ଼ିଆ ନ୍ୟୁଜ): କରୋନା ସାରା ପୃଥବୀକୁ କବଳିତ କରି ସାରିଲାଣି।ଏଥିରୁ ବାଦପଡିନି ଓଡ଼ିଶା।ସାରା ଓଡିଶା ଲକଡାଉନ୍। ସମସ୍ତ ଓଡିଶାବାସୀ ରାଜ୍ୟ ସରକାରଙ୍କୁ ବିନମ୍ରତାର ସହିତ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି।ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେବା ସମୟରେ ଜନସାଧାରଣଙ୍କୁ କିଛି ନା କିଛି ନୂଆ ପରାମର୍ଶ ଦେଉଛନ୍ତି। ଏହିକ୍ରମରେ ଶୁକ୍ରବାର ପୋକରା ବାଇଗଣ ଉପାଖ୍ୟାନ କହିଛନ୍ତି। ବରଂ ଗୋଟାଏ ପୋକରା ବାଇଗଣ ଭଲ, କିନ୍ତୁ ବାଛିବାଛି ପରିବା କିଣୁକିଣୁ ପରିବାର ଲୋକଙ୍କ ପାଇଁ କରୋନା ଭୂତାଣୁ ନେବା ଅତ୍ୟନ୍ତ ଭୟଙ୍କର । ଅରୁନ୍ଧତୀ ବେଜ୍ ନାମକ ଜଣେ ମହିଳାଙ୍କ ପ୍ରଶ୍ନରେ ପରୋକ୍ଷରେ ଶ୍ରୀ ବାଗଚୀ ରଖିଛନ୍ତି ଏପରି ଉତ୍ତର ।କରୋନା’ ପାଇଁ ସାମାଜିକ ଦୂରତ୍ବକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । କିଛି ଲୋକ ଭଲ ଭାବରେ ମାନୁଛନ୍ତି । ତଥାପି ଲୋକମାନେ ସାମାଜିକ ଦୂରତା ବଜାୟ ରଖୁଥିବା ଦେଖାଯାଉଛି । ମାତ୍ର ବଜାର କରିବାକୁ ଯିବାବେଳେ ପୁରୁଣା ଅଭ୍ୟାସକୁ ସହଜରେ ଛାଡ଼ି ପାରୁନାହାନ୍ତି । ଅଧ କିଲୋ ବାଇଗଣ କିମ୍ବା କିଲେ ଆଳୁ ପାଇଁ ପୂରା ଗଦାକୁ ଘାଣ୍ଟୁଛନ୍ତି । ଗୋଟିଗୋଟି ବାଛି ପରିବା ନେଉଛନ୍ତି । ଗୋଟିଏ ଭଲ ବାଇଗଣ ବାଛିବା ପାଇଁ ଅନେକ ବାଇଗଣ ଚିପି ଚିପି ଦେଖୁଛନ୍ତି । ଏହାଦ୍ବାରା କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି ତେଣୁ ଏଥିରୁ ନିବୃତ୍ତ ରହିବା ଭଲ ।  ଘରକୁ ବରଂ ପୋକରା ବାଇଗଣ ପଛେ ନିଅନ୍ତୁ, କିନ୍ତୁ ଭୂତାଣୁକୁ ନିଅନ୍ତୁ ନାହିଁ। ପରିବା କିଣିବାକୁ ଗଲା ବେଳେ ସାମାଜିକ ଦୂରତ୍ୱ ଅବଲମ୍ୱନ କରନ୍ତୁ । ପରିବା ବିକାଳିଙ୍କୁ ପରିବା ବାଛି ଦେବାକୁ କୁହନ୍ତୁ । ଘରକୁ ନେବା ପରେ ପଛେ ବାଇଗଣରୁ ପୋକରା ସ୍ଥାନକୁ କାଟି ଫିଙ୍ଗି ଦେବେ କିନ୍ତୁ ଭୂତାଣୁ ନେଇ ସାରା ପରିବାରକୁ ସଙ୍କଟରେ ନପକାନ୍ତୁ ବୋଲି ଶ୍ରୀ ବାଗଚୀ ପରାମର୍ଶ ଦେଇଛନ୍ତି । ସେହିପରି ମୁହଁରେ ହାତ ମାରିବା ଉପରେ କହିଛନ୍ତି ବ୍ରିଟିଶ ବ୍ରଡ଼କାଷ୍ଟିଙ୍ଗ ସର୍ଭିସର ଏକ ସର୍ଭେ ଅନୁଯାୟୀ ଆମେ ଘଂଟାକୁ ୨୩ ଥର ମୁହଁରେ ହାତ ମାରିଥାଉ। ଶୋଇବା ସମୟ ଛାଡିଦେଲେ ପ୍ରାୟ ୧୬ ଘଂଟାରେ ୩୬୮ ଥର ନିଜ ମୁହଁକୁ ସ୍ପର୍ଶ କରୁ। ଏହା ଦ୍ୱାରା ସଂକ୍ରମଣ ବଢିବାର ସମ୍ଭାବନା ବୃଦ୍ଧି ପାଇଥାଏ। ମାସ୍କ ବ୍ୟବହାର କରି ଏହି ସମ୍ଭାବନାକୁ କମ୍‍ କରାଯାଇ ପାରିବ। ତେଣୁ ମାସ୍କ ବ୍ୟବହାର କରନ୍ତୁ ଏବଂ ସଂକ୍ରମଣକୁ ରୋକନ୍ତୁ ବୋଲି ରାଜ୍ୟ ସରକାରଙ୍କ କୋଭିଡ୍‍-୧୯ ପରିଚାଳନା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି।
କୋଭିଡ୍‌ ଯୁଦ୍ଧରେ ରାତିଦିନ ଏକ କରି କାମ କରୁଥିବା ପ୍ରତ୍ୟେକ ଲାବରେଟୋରୀ କର୍ମଚାରୀ, ଟେକ୍‌ନିସିଆନ୍‌ ଏବଂ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଟାଟା ଷ୍ଟିଲ୍‌ର ସହାୟତାରେ ବ୍ରହ୍ମପୁରଠାରେ ୨୦୦ ଶଯ୍ୟା ଏବଂ ୧୫ ଆଇସିୟୁ ସୁବିଧା ବିଶିଷ୍ଟ କୋଭିଡ-୧୯ ଡାକ୍ତରଖାନା ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲା ପ୍ରଶାସନ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାଛଡ଼ା ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷଣ କରାଯିବ। ଏଥିନିମନ୍ତେ ଆଇସିଏମ୍‌ଆର୍‌ର ଅନୁମୋଦନ ମିଳିଛି। ଏପରି ହେବାରେ ଏହା ରାଜ୍ୟର ଦ୍ୱିତୀୟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଯେଉଁଠାରେ ଦକ୍ଷିଣ ଓଡ଼ିଶାର ଜନସାଧାରଣମାନେ କୋଭିଡ ପରୀକ୍ଷଣ କରିପାରିବେ। କୋଭିଡ -୧୯ ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ବମ୍ବେରୁ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ୪ହଜାର ପରୀକ୍ଷଣ କିଟ୍‌ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛି। ଫ୍ଲୁ ପରି ଲକ୍ଷଣ ପ୍ରକାଶ ପାଇଲେ ଭୁବନେଶ୍ୱରର ୧୭ଟି ଘରୋଇ ଡାକ୍ତରଖାନାରେ ଜନସାଧାରଣଙ୍କୁ ପରୀକ୍ଷା ଏବଂ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେଡିକାଲ ଗୁଡ଼ିକ ହେଲା ଆମ୍ରି, କଳିଙ୍ଗ, ନିଳାଚଳ, ସନ୍‌ସାଇନ୍‌, ସ୍ପର୍ସ,ବ୍ଲୁ ହୁଇଲ୍‌, କେୟାର, ଅଶ୍ୱିନୀ, ଆଦିତ୍ୟ, ମହାଶକ୍ତି, ଭୁବନେଶ୍ୱର, ବିବେକାନନ୍ଦ, ପଦ୍ମା, ଗ୍ୟାଷ୍ଟ୍ରୋ କୀଡନୀକେ, ଭିଏମ୍‌ଆର୍‌ଆଇ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ନସିଂହୋମ୍‌, ପଣ୍ଡା ନର୍ସିଂହୋମ୍‌ ପ୍ରମୁଖ । ଏସବୁ ହସ୍ପିଟାଲରେ ଫ୍ଲୁ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାବ୍ୟତିତ କ୍ୟାପିଟାଲ୍‌ ହସ୍ପିଟାଲ, ଆର୍‌ଜିଏଚ୍‌ ରାଉରକେଲା ଏବଂ ଅନ୍ୟାନ୍ୟ ଜିଲା ହସ୍ପିଟାଲ ଗୁଡ଼ିକରେ ଏହି ବ୍ୟବସ୍ଥା ଉପଲବ୍ଧ ରହିଛି।
ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଛି, ଆଜି ଦିନ ୧୨ଟା ସୁଦ୍ଧା ୩ ହଜାର ୨୪୯ଟି କରୋନା ନମୂନା ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୪୮ ଜଣଙ୍କ ରିପୋର୍ଟ ପଜିଟିଭ୍‍ ବାହାରିଛି। ସେହିପରି ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତମାନ ରାଜ୍ୟରେ ୪୫ଟି ସକ୍ରିୟ କେସ୍‍ ରହିଛି। ୨ ଜଣ ଭେଂଟିଲେଟର ସପୋର୍ଟରେ ଅଛନ୍ତି। ୧୧୩ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନ୍‍ରେ ଅଛନ୍ତି ବୋଲି ଡି.ଏମ.ଇ.ଟି.ର ମୁଖ୍ୟ ଡାକ୍ତର ସି.ବି.କେ. ମହାନ୍ତି ସୂଚନା ଦେଇଛନ୍ତି।

ତେବେ ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ଥିବା ୪୫ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ସେମାନେ ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବୋଲି କୁହାଯାଉଛି। ଏହି ଦୁଇ ଶିଶୁଙ୍କ ବୟସ ୯ ବର୍ଷ ଓ ୫ ବର୍ଷ। ଭାରତରେ ବର୍ତମାନ ସୁଦ୍ଧା କରୋନା ସନ୍ଦିଗ୍ଧ ୧ ଲକ୍ଷ ୪୪ ହଜାର ୯୧୦ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୬ ହଜାର ୪୧୨ ସାମ୍ପଲ ପଜିଟିଭ୍‍ ବାହାରିଛି। ଭାରତରେ କରୋନା ପଜିଟିଭ୍‍ଙ୍କ ହାର ରହିଛି ୪ ଦଶମିକ ୪/୨ ପ୍ରତିଶତ। ସେହିପରି ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୨୪୯ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ପଜିଟିଭ୍‍ଙ୍କ ସଂଖ୍ୟା ରହିଛି ୪୮। ଓଡିଶାରେ ପଜିଟିଭ୍‍ ହାର ରହିଛି ୧ ଦଶମିକ ୪୭ପ୍ରତିଶତ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.