ଭୁବନେଶ୍ୱର,୧୩।୪(ବ୍ୟୁରୋ): ମୁଁ ପିପିଲି-ଡେଲାଙ୍ଗ ଯାଇଥାଆନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରିବାକୁ ବହୁସଂଖ୍ୟାରେ ଏକାଠି ହୋଇଥାନ୍ତେ। କୋଭିଡ୍ ସମୟରେ ଏହା ଠିକ୍ ହେବ ନାହିଁ। ମୋ ପାଇଁ କିଏ ବିପଦରେ ପଡୁ ଏହା ମୁଁ ଚାହେଁ ନାହିଁ। ସେଥିପାଇଁ ଭିଡିଓ କନ୍ଫରେନ୍ସରେ ଆପଣମାନଙ୍କୁ ଭେଟୁଛି। କରୋନା ଦୂର ହେବା ପରେ ମୁଁ ନିଜେ ପିପିଲି-ଡେଲାଙ୍ଗ ଯାଇ ଆପଣମାନଙ୍କୁ ଭେଟିବି। ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି। ସୋମବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସ ଜରିଆରେ ନିଜ ଦଳର ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପିପିଲି ଉପନିର୍ବାଚନ ପ୍ରଚାର କରି ଏକଥା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପିପିଲି-ଡେଲାଙ୍ଗ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରେଷ୍ଠ ଭକ୍ତ ଦାସିଆଙ୍କ ପବିତ୍ରଭୂମି। ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାର ସ୍ମୃତିରେ ପିପିଲି, ଡେଲାଙ୍ଗ ଧନ୍ୟହୋଇଛି। ଏହା କଳାର ଭୂମି। ପିପିଲି ଚାନ୍ଦୁଆ ଦେଶ ବିଦେଶରେ ଓଡ଼ିଶାର ସୁନାମ ଆଣିଛି। ଧନ୍ୟ ଏ ମାଟି, ଧନ୍ୟ ତା’ର ଇତିହାସ। ଏ ମାଟିକୁ ମୋର ପ୍ରଣାମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମଗ୍ର ରାଜ୍ୟ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେବର୍ଷ ପାଳନ କରୁଛି। ବେରବୋଇ ଆଶ୍ରମରେ ବାପୁ ୮ ଦିନ ରହିଥିଲେ। ଆଜି ପିପିଲି- ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାଆନ୍ତି। ଆପଣମାନଙ୍କର ମୋ ପ୍ରତି ବହୁତ ଭଲପାଇବା ରହିଛି।
ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଯୋଗୁ ଏ ଉପନିର୍ବାଚନ ହେଉଛି। ପିପିଲିର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହିତ ରହି ଆସିଛନ୍ତି। ବିଜୁବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ପିପିଲିବାସୀଙ୍କ ଭଲ ପାଇବା ରହିଛି। ଏପ୍ରିଲ ୧୭ରେ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ପାଳନ ହେବ। ବିଜୁବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଅମୂଲ୍ୟ ରତ୍ନ। ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି। ଚାଷୀମାନଙ୍କର ବିକାଶ ହେଉ ଅବା ଗରିବ ଲୋକଙ୍କର କଲ୍ୟାଣ। ମା’ ମାନଙ୍କର ବିକାଶ ହେଉ ଅବା ଭିତ୍ତିଭୂମିର ବିକାଶ, ସବୁଥିରେ ଓଡ଼ିଶା ସାରା ଦେଶରେ ଆଗରେ ରହିଛି। ରାଜ୍ୟର ୭୦ ଲକ୍ଷ ମା’ମାନଙ୍କୁ ନେଇ ଗଠିତ ମିଶନ ଶକ୍ତି ବିକାଶର ସାରଥି ହୋଇଛି। ମା’ମାନଙ୍କ ସମୃଦ୍ଧି ହିଁ ପରିବାରର ସମୃଦ୍ଧି। ଆଜି ମା’ମାନେ ହେଉଛନ୍ତି ଗାଁ, ପଞ୍ଚାୟତ, ବ୍ଲକ ଆଦିରେ ଥିବା ସରକାରୀ ସମ୍ପତ୍ତିର ମାଲିକ। ମା’ମାନେ ବହୁ ସଂଖ୍ୟାରେ ଆସି ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। କରୋନାକୁ ରୋକିବାକୁ ଓଡ଼ିଶା ମଧ୍ୟ ବହୁତ ଭଲ କାମ କରିଛି। କରୋନାର ଦ୍ୱିତୀୟ ଲହର ଭୟ ଏବେ ଦେଖାଦେଇଛି। ଆମକୁ ସତର୍କ ରହିବାକୁ ପଡ଼ିବ। କୋଭିଡ୍ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଘରୁ ବାହାରିଲେ ଠିକ୍ ଭାବେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି ସେ କହିଛନ୍ତି। ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନବୀନ ମତଦାତାଙ୍କୁ ଅନୁରୋଧ କରିଛନ୍ତି।
Breaking
୩ରେ କଳିଙ୍ଗ ଭାରତୀ ଫାଉଣ୍ଡେସନର କଳା ମହୋତ୍ସବ ୨୦୨୫ ୨ ବିଶିଷ୍ଟ ବ୍ୟକ୍ତି ପାଇବେ କଳିଙ୍ଗ ଭାରତୀ କଳାରତ୍ନ ସମ୍ମାନନୀଳାଦ୍ରି ବିହାର ସ୍ପୋର୍ଟସ ଦୋକାନରୁ ଚୋରିରେଭେନ୍ସାରେ ରୁଦ୍ର-୯୧ର ଦ୍ୱିତୀୟ ବନ୍ଧୁମିଳନ ଉତ୍ସବସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଉଦ୍ଘାଟିତଏମ୍ସ ଭୁବନେଶ୍ୱରରେ ଗତ ତିନି ମାସରେ ପରୀକ୍ଷା ହୋଇଥିବା ୮୫୧୮ ମଧ୍ୟରୁ ୩୧ ଜଣ ଏଚ୍.ଆଇ.ଭି ପଜିଟିଭ୍ ଚିହ୍ନଟ