banner
Breaking

ଚିନ୍ତା ବଢ଼ାଇଛି ବିଳମ୍ବ ରିପୋର୍ଟ।

0

ସମ୍ବଲପୁର, (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ ସମ୍ବଲପୁର ଜିଲାବାସୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ପ୍ରକାଶ ବିଳମ୍ବ ହେଉଥିବା ଯୋଗୁ ଆହୁରି ଚିନ୍ତା ବଢ଼ାଇ ଦେଇଛି । ଜିଲାରୁ ଯାଇଥିବା ମୋଟ ୨୨୩ ରକ୍ତ ଓ ସ୍ବାବ୍‌ ନମୁନାରୁ ଏ ପର୍ଯ୍ୟନ୍ତ ମାତ୍ର ୬୭ଜଣଙ୍କ ରିପୋର୍ଟ ଜଣାପଡିଛି । ସମସ୍ତ ନେଗେଟିଭ ବାହାରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ହେଲେ ଅନ୍ୟ ୧୫୬ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ତେଣୁ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଉଙ୍କି ମାରୁଛି । ରବିବାର ସୁନ୍ଦରଗଡ ଜିଲାରେ ୨ଟି ପଜିଟିଭ ଥିବା ଜଣାପଡିବା ପରେ ଲୋକମାନେ ଆହୁରି ଭୟଭୀତ ହୋଇପଡିଛନ୍ତି । ସମ୍ବଲପୁର ଜିଲାରୁ ଯାଇଥିବା ନମୁନା ଶୀଘ୍ର ପରୀକ୍ଷା କରାଯାଇ ରିପୋର୍ଟ ପ୍ରକାଶ କରାଯାଉ ବୋଲି ଦାବି ହେଉଛି । ଦେଶ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୨ଟି ଅଇଁଠାପାଲି ଓ ଗୋଶାଳାରେ କ୍ବାରାଣ୍ଟାଇନ ହୋମରେ ରଖାଯାଇଛି । ସେହିପରି ହୋମ କ୍ବାରାଣ୍ଟାଇନରେ ମଧ୍ୟ ରଖାଯାଇ ତାଙ୍କ ଘର କାନ୍ଥରେ ସୂଚନା ପ୍ରଦାନ କରାଯାଇଛି । ହେଲେ ହୋମ କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତାଙ୍କ ପରିବାର ମଧ୍ୟ ବାହାରକୁ ଯିବା ଆସିବା କରୁଥିବା ଅଭିଯୋଗ ହୋଇଛି। ଜିଲା ପୋଲିସ ଏ ନେଇ ନିୟମ ଉଲ୍ଲଂଘନ କରୁଥିବା ଯୋଗୁ କେତେ ଜଣଙ୍କ ନାମରେ ମାମଲା ରୁଜୁ କରିସାରିଛି । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ଓ ବାକିଥିବା ପରୀକ୍ଷା ରିପୋର୍ଟରେ ଯଦି ପଜିଟିଭ ଆସେ ତାହେଲେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ରବିବାର ସୁଦ୍ଧା କ୍ବାରାଣ୍ଟାଇନ ହୋମରେ ୭୦ଜଣ ଥିବା ଜଣାପଡିଛି । ସେମାନଙ୍କୁ ପୋଲିସ ସୁରକ୍ଷାରେ ରଖାଯାଇ ଡାକ୍ତରି ଟିମ୍‌ ଯାଞ୍ଚ କରୁଛନ୍ତି । ଏ ସମ୍ପର୍କରେ ଏଡିଏମଓ ଅଶୋକ ଦାଶ କହିଛନ୍ତି ଯେ, ଜିଲାବାସୀ ସେମିତି ଭୟଭୀତ ହେବାର କୌଣସି କାରଣ ନାହିଁ । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତିମାନଙ୍କର ସେଭଳି କିଛି ଲକ୍ଷଣ ଦେଖାଯାଇନାହିଁ ବୋଲି ସେ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.