banner
Breaking

କରୋନା ପାଇଁ ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଆମେ ଚାହିଁଲେ ଶିଘ୍ର ଜୀବନଜୀବିକା ଆରମ୍ଭ କରିପାରିବା।

0

ଭୁବନେଶ୍ୱର,୧୭।୪(ଓଡ଼ିଆ ନ୍ୟୁଜ): ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇ କହିଛନ୍ତି।
କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ ଏଥିପାଇଁ ୨୪/୭ କାମ କରୁଛନ୍ତି। ଇତିମଧ୍ୟରେ ଓଡ଼ିଶାରେ ୭,୫୭୭ଟି ନମୂନା ପରୀକ୍ଷଣ କରାଯାଇଛି। ୭ଟି ଲ୍ୟାବ୍‌ରେ ଏହି ପରୀକ୍ଷା କରାଯାଇଛି। ସେଥିରୁ ୬୦ଜଣ ପଜିଟିଭ୍‌ ବାହାରିଛନ୍ତି। ଚିକିତ୍ସା ପରେ ୧୯ ଜଣ ସୁସ୍ଥ ହୋଇଛନ୍ତି। ମୋଟାମୋଟି ଭାବେ ଦେଖିବାକୁ ଗଲେ କେବଳ ଭୁବନେଶ୍ୱରରେ ୪୬ ପଜିଟିଭ୍‌ ମାମଲା ରହିଛି। ଏଥିରୁ ଭୁବନେଶ୍ୱର ହଟ୍‌ସ୍ପଟ୍‌ ବୋଲି ସ୍ପଷ୍ଟ ହୋଇଛି। ଏଥିଯୋଗୁ ସହରବାସୀଙ୍କୁ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଉଛି। ଲୋକମାନଙ୍କ ସହଯୋଗ ଯୋଗୁ ଏହି ସଂଖ୍ୟା ଦୁଇଦିନ ମଧ୍ୟରେ ବଢ଼ି ନ ଥିବା ଦେଖାଯାଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀକୁ ଶଟ୍‌ଡାଉନ୍‌ କରାଯାଇଥିଲା। ଏପରିକି କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ୨ଟିରୁ କଣ୍ଟେନ୍‌ମେଣ୍ଟ କଟକଣା ଉଠାଇ ଦିଆଯାଇଥିବା ବେଳେ ୩ଟିରେ ବଳବତ୍ତର ରହିଛି। ସେଠାରେ ଘରକୁ ଘର ଯାଇ ସର୍ଭେ କରାଯାଉଛି। ସେହିପରି
ଭୁବନେଶ୍ୱର ପାଇଁ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ରାଜଧାନୀରେ ସବୁଠାରୁ ଅଧିକ ନମୁନା ପରୀକ୍ଷଣ ହେବାର ଲକ୍ଷ୍ୟ ରଖାଯାଇଛି। ଭାରତର ଅନ୍ୟ ସହରଠାରୁ ଏଠାରେ ଅଧିକ ଟେଷ୍ଟ ହେବ। ଆଗାମୀ ସାତ ଦିନ ମଧ୍ୟରେ ଭୁବନେଶ୍ୱର ୫୦୦୦ ନମୁନା ପରୀକ୍ଷଣ କରାଯିବ। ରାଜଧାନୀକୁ ନିରାପଦ କରିବା ଲାଗି ଏହା କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ଆବଶ୍ୟକ ପରୀକ୍ଷଣ ଲ୍ୟାବ୍‌ର ସଂଖ୍ୟା ବୃଦ୍ଧି କରାଯିବ। ସ୍ଥାୟୀ କ୍ୟାମ୍ପ କରାଯିବା ସହ ଭ୍ରାମ୍ୟମାଣ ମୋବାଇଲ୍‌ ଭ୍ୟାନ୍‌ କ୍ୟାମ୍ପ ମଧ୍ୟ କରାଯିବ। ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୧୯୫୮ଟି ଟେଷ୍ଟ କରାଯାଇଛି। ଏହା ସମଗ୍ର ରାଜ୍ୟର ୩୮%। ଆଗାମୀ ଦିନରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ। ଫଳରେ କରୋନା ଚିହ୍ନଟଙ୍କ ଚିତ୍ର ସ୍ପଷ୍ଟ ହେବ। ବିଶେଷକରି ଟ୍ରାଭେଲ୍‌ ହିଷ୍ଟ୍ରୀ ଥିବା ଲୋକ, ଲକ୍ଷଣ ଥିବା ଲୋକ, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପରିମଳ କର୍ମଚାରୀଙ୍କ ସାମ୍ପୁଲ ଟେଷ୍ଟ ହେବ। ସେହିଭଳି ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ। ପରେ ସାଧାରଣଲୋକଙ୍କ ପରୀକ୍ଷା କରାଯିବ।

୧ମ ବର୍ଗ: ଦେଶ/ରାଜ୍ୟ ବାହାରକୁ ଯାଇଥିବା ବ୍ୟକ୍ତିବିଶେଷ, କରୋନା ପଜିଟିଭ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ତଥା ସ୍ବାସ୍ଥ୍ୟକର୍ମୀ, ଥଣ୍ଡା ଅଥବା ସର୍ଦ୍ଦିର ଲକ୍ଷଣ ଥିବା ଲୋକ, ହଟ୍‌ସ୍ପର୍ଟରୁ ଆସିଛନ୍ତି, ସାମାଜିକ ଦୂରତ୍ୱ ରକ୍ଷା କରିପାରୁ ନ ଥିବା ବସ୍ତି ବାସିନ୍ଦା।

୨ୟ: ସ୍ବାସ୍ଥ୍ୟକର୍ମୀ ଏବଂ କୋଭିଡ ଡାକ୍ତରଖାନାରେ କାମ କରୁଥିବା ସମସ୍ତ କର୍ମଚାରୀ

୩ୟ: ବୟସ୍କ(୬୦ ବର୍ଷରୁ ଊର୍ଦ୍ଧ୍ୱ)ଏବଂ ଯାହାର ଅନ୍ୟ ରୋଗ ରହିଛି

୪ର୍ଥ-ସାଧାରଣ ଜନତା

ତେବେ ଏହି ପର୍ଯ୍ୟାୟରେ ଭୁବନେଶ୍ୱରରେ ନମୂନା ପରୀକ୍ଷଣ କରାଯିବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ା। ଯଦି କେହି ଉପରୋକ୍ତ ବର୍ଗରେ ଆସୁଛନ୍ତି ନଚେତ ଯଦି କାହାକୁ ନମୁନା ଦେବାକୁ କୁହାଗଲା,ତେବେ ତାଙ୍କୁ ଆସିବାକୁ ପଡ଼ିବ। ସାହି, ବସ୍ତିର ଲୋକମାନଙ୍କୁ ଏଥିପାଇଁ ଆଗକୁ ଆସିବାକୁ ପଡ଼ିବ। ସ୍ବତନ୍ତ୍ର କ୍ୟାମ୍ପ ଖୋଲାଗଲେ ନଚେତ ଭ୍ରାମ୍ୟମାଣ ପରୀକ୍ଷଣ ଗାଡ଼ି ପହଞ୍ଚିଲେ ଆସିବାକୁ ନିର୍ଦ୍ଦେଶ ରହିଛି। ଏଯାବତ ହୋଇଥିବା ପରୀକ୍ଷଣର ୨.୪% ଲୋକେ ପଜିଟିଭ୍‌ ଆସିଛନ୍ତି। ସମସ୍ତଙ୍କୁ ୩ଟି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏଣୁ ଯଦି କେହି ପଜିଟିଭ ଆସନ୍ତି, ତାଙ୍କର ଚିକିତ୍ସା କରାଯିବ। ଫଳରେ ପରିବାରର ଅନ୍ୟଲୋକେ ସୁରକ୍ଷିତ ରହିପାରିବେ। ରାଜ୍ୟ ସରକାର ମାଗଣା ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି। ଯଦି କେହି ଏହାକୁ ପାଳନ କରିବେ ନାହିଁ ତେବେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିବ। କାରଣ ଯେତେ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ସେତେ ଶୀଘ୍ର ଜୀବନଜୀବିକା ପୁଣି ଥରେ ଆରମ୍ଭ ହୋଇପାରିବ ବୋଲି ସେ ମଧ୍ୟ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.