banner
Breaking

କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପର ରଣନୀତି।

ସରପଞ୍ଚଙ୍କୁ ଦିଆଗଲା ଜିଲ୍ଲାପାଳ କ୍ଷମତା। ତୃଣମୂଳ ସ୍ତରରେ ସମସ୍ତେ କରୋନା ଲଢେ଼ଇରେ ସାମିଲ ହୁଅନ୍ତୁ। ହାରିବ କରୋନା ଜିତିବ ଓଡିଶା।

0

ଭୁବନେଶ୍ୱର,୧୯ା୪(ଓଡ଼ିଆ ନ୍ୟୁଜ) : ବର୍ତମାନ ସାରା ବିଶ୍ବ କରୋନା ସହ ଲଢ଼ୁଛି । ୧୦ ଦିନ ମଧ୍ୟରେ ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି । ଆମ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦୦ ହେଲାଣି । ମାତ୍ର ଓଡ଼ିଶାରେ ସ୍ଥିତି କିଛି ପରିମାଣରେ ନିୟନ୍ତ୍ରିତ ହୋଇ ରହିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ଏହା କେବଳ ରାଜ୍ୟବାସୀଙ୍କ ସହଯୋଗ ଓ ତ୍ୟାଗ ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହା ଏକ ଦୀର୍ଘ ଲଢ଼େଇ ଏବଂ ଆଗକୁ ଆହୁରି ସାବଧାନତା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତାରେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହା ସହ ରାଜ୍ୟରେ ସ୍ଥିିତିକୁ ନିୟନ୍ତ୍ରଣ କରିବାରେ ସହଯୋଗ କରିଥିବାରୁ ପ୍ରତ୍ୟେକ ଓଡ଼ିଆ, ପ୍ରତ୍ୟେକ ପରିବାରକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ବିଶ୍ୱ ତଥା ଜାତୀୟସ୍ତରରେ କରୋନା ସଂକ୍ରମିତଙ୍କ ଦେଖିଲେ ରାଜ୍ୟରେ ଏହା ନିିୟନ୍ତ୍ରଣରେ ଅଛି। ହେଲେ କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ। ଏଥିପାଇଁ ଆମକୁ ଆହୁରି ସାବଧାନ ହେବାକୁ ପଡ଼ିବ। ଓଡ଼ିଶାରେ କରୋନା ନିୟନ୍ତ୍ରଣ କରିବାକୁ ବାଧ୍ୟତାମୂଳକ ଭାବେ ରେଜିଷ୍ଟ୍ରେଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଦେଶାଗତଙ୍କୁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍‌ରେ ରଖିବାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି।

ଆଗାମୀ ଦିନରେ ପଞ୍ଚାୟତ ଏବଂ ପୌରାଞ୍ଚଳକୁ ସାଥୀରେ ନେଇ କାମ କରିବାକୁ ପଡ଼ିବ। ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେଶନ ସୁବିଧା କରାଯିବ। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକେ ବାଧ୍ୟତାମୂଳକ ରେଜିଷ୍ଟ୍ରେଶନ କରିବେ। ସେମାନଙ୍କ ପରିବାର ଓ ବନ୍ଧୁମାନେ ହିଁ ପଞ୍ଚାୟତରେ ରେଜିଷ୍ଟ୍ରେଶନ କରିବେ। ପରେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ସେମାନଙ୍କ ରହିବା, ଖାଇବା, ଚିକିତ୍ସା ଆଦିର ବ୍ୟବସ୍ଥା ମାଗଣାରେ ଯୋଗାଇ ଦିଆଯିବ। କ୍ୱାରାଣ୍ଟାଇନ୍‌ ଅବଧି ସରିବା ପରେ ସେମାନଙ୍କୁ ୨୦୦୦ ଟଙ୍କା ଲେଖାଏ ସହାୟତା ରାଶି ମିଳିବ। ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେଶନ ଏବଂ କ୍ୱାରାଣ୍ଟାଇନ୍‌ ସେମାନଙ୍କର ତଥା ସେମାନଙ୍କ ପରିବାର, ସମାଜ ଏବଂ ରାଜ୍ୟ ପାଇଁ ମଙ୍ଗଳକର। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। କୋଭିଡ୍‌-୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏଥିପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ମଧ୍ୟ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜିର ପରିସ୍ଥିତି ଅସାଧାରଣ। ଏଣୁ ଅସାଧାରଣ ସମାଧାନ ମଧ୍ୟ ଆବଶ୍ୟକ କରେ। ପଞ୍ଚାୟତ ଏବଂ ପୌରାଞ୍ଚଳର ସଶକ୍ତିକରଣ ଦ୍ୱାରା ପରିସ୍ଥିତିକୁ ସଠିକ୍‌ ଭାବେ ମୁକାବିଲା କରାଯାଇପାରିବ। ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ଉଚିତ୍‌ ସେବା ଯୋଗାଇ ଦେବା ଫଳରେ କୋଭିଡ୍‌-୧୯ ବିରୋଧରେ ଲଢ଼େଇକୁ ଆହୁରି ମଜଭୁତ କରିପାରିବା। ମୋ’ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସମ୍ମାନଜନକ ଭାବରେ ପ୍ରତି ଜୀବନର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପଞ୍ଚାୟତିରାଜ ଅନୁଷ୍ଠାନ ତୃଣମୂଳସ୍ତରରେ ଲୋକମାନଙ୍କର ନିଜ ଅନୁଷ୍ଠାନ। ତେଣୁ କୋଭିଡ୍‌-୧୯ ଲଢ଼େଇରେ ହିଁ ପଞ୍ଚାୟତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.