banner
Breaking

ଏବେ କଡାକଡି ହେବ ଗାଡ଼ି ଚେକିଂ

0

ଭୁବନେଶ୍ୱର,୧ା୨(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ସୁପ୍ରିମକୋର୍ଟ କମିଟି ଆଗରେ ମଧ୍ୟ ଅପଦସ୍ଥ ହେବାକୁ ପଡୁଛି। ୨୫ ତାରିଖରେ ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ଘଟିଥିବା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାର ତୁଳନାତ୍ମକ ଚିତ୍ର ଦେଖାଇ ଆଗକୁ ଏଥିପ୍ରତି ସଚେତନ ରହିବା ଲାଗି ଜିଲାପାଳ, ଏସ୍‌ପିଙ୍କଠାରୁ ଆରମ୍ଭ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ପରିବହନ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ରାଜ୍ୟର ସମସ୍ତ ଆର୍‌ଟିଓ ଏବଂ ପୋଲିସ ମଧ୍ୟରେ ସମନ୍ବୟ ରଖି ସ୍ପେଶାଲ ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ କରିବାକୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ମଙ୍ଗଳବାରଠାରୁ ଆରମ୍ଭକରି ଫେବୃୟାରୀ ଶେଷ ପର୍ଯ୍ୟନ୍ତ ଜାରି ରଖିବା ଲାଗି ସୋମବାର ପରିବହନ ସଚିବ ସବୁ ଜିଲାପାଳ, ଏସ୍‌ପି ଏବଂ ଅନ୍ୟ ଅଧିକାରୀମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
ପରିବହନ ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ବର୍ଷ ଦୁର୍ଘଟଣାଜନିତ ମୃତ୍ୟୁ ୧୦ ପ୍ରତିଶତ ହ୍ରାସ କରିବା ଲାଗି ବାଧ୍ୟ କରାଯାଇଛି। ହେଲେ ୨୦୨୦ ଜାନୁୟାରୀରୁ ଅକ୍ଟୋବର ତୁଳନାରେ ୨୦୨୧ରେ ଏହି ସମୟ ମଧ୍ୟରେ ରାଜ୍ୟରେ ୧୨ ପ୍ରତିଶତରୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ରାଜ୍ୟରେ ବେଶି ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି। ଏହି ସମୟରେ ଲୋକମାନେ ବେଶି ପିକ୍‌ନିକ୍‌ ଯାଉଥିବା ବେଳେ କୁହୁଡ଼ି କାରଣରୁ ଏଭଳି ସ୍ଥିତି ବେଶି ଉପୁଜୁଛି। ତେଣୁ ଏହି ସମୟରେ ସଡ଼କ ସୁରକ୍ଷା ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ। ବିଭାଗୀୟ ବୈଠକ ଅନୁଯାୟୀ ଫେବୃୟାରୀ ୧ରୁ ୨୮ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପୀ ସ୍ପେଶିଆଲ ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ କରିବାକୁ କୁହାଯାଇଛି। ପୋଲିସ ଏବଂ ଆର୍‌ଟିଓ ମିଳିତ ଭାବେ ସଡ଼କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହାସହ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଲାଗି ଚେଷ୍ଟା କରିବେ। ତେଣୁ ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଜିଲାସ୍ତରରେ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତ୍ରି ସମୟରେ ମଧ୍ୟ ଏହି ଜଏଣ୍ଟ ସ୍କ୍ବାଡ୍‌ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାତି ସମୟରେ ଏନ୍‌ଏଚ୍‌ ଉପରେ କୌଣସି ଗାଡ଼ି ଯେପରି ପାର୍କିଂ କରା ନ ଯାଏ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି। ଆର୍‌ଟିଓ ପକ୍ଷରୁ ପ୍ରତ୍ୟେକ ସପ୍ତାହରେ ରିପୋର୍ଟ ପ୍ରସ୍ତୁତକରି ପରିବହନ କମିଶନରଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। ୪ ସପ୍ତାହରେ ୪ଟି ରିପୋର୍ଟ ପ୍ରସ୍ତୁତକରି ଆର୍‌ଟିଓମାନେ ପ୍ରଦାନ କରିବେ। ଦ୍ରୁତ ଗାଡ଼ିଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲ୍‌ମେଟ୍‌ ନ ପିନ୍ଧିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‌ ବ୍ୟବହାର କରିବା, ରାସ୍ତାକଡ଼ରେ ପାର୍କିଂ ଆଦି କାର୍ଯ୍ୟ ଉପରେ ଦୃଷ୍ଟି ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.