କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡର ଆୟୋଜନ
ଭୁବନେଶ୍ୱର: ସମାଜରେ ବିଶୃଙ୍ଖଳିତ ଜୀବନଶୈଳୀ, ଖରାପ ଖାଦ୍ୟାଭ୍ୟାସ ଓ ଅର୍ଥନୈତିକ ଅସମାନତା ପ୍ରଭୃତି କାରଣରୁ ଅଧିକାଂଶ ଲୋକ ଆଜିଦିନରେ ଚାପଗ୍ରସ୍ତ ଜୀବନଯାପନ କରୁଛନ୍ତି । ଯାହା ଫଳରେ ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦରୋଗ ଭଳି ରୋଗ ଆଜି ସମାଜରେ ଅତିସାଧାରଣ ହୋଇଯାଇଛି । ଓଡିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ କଳିଙ୍ଗ ରନର୍ସ ଏକ ମାରାଥନ୍ର ଆୟୋଜନ କରିଛି ।
ଏହି ବିଷୟ ଘୋଷଣା କରି କଳିଙ୍ଗ ରନର୍ସର ପ୍ରେସିଡେନ୍ଟ ଦୁଃଖୀଶ୍ୟାମ ପାଢୀ କହିଲେ, କଳିଙ୍ଗ ରନର୍ସ ୨୦୧୭ମସିହାରେ ଏହାର ପ୍ରଥମ ମାରାଥନ୍ ଆୟୋଜନ କରିଥିଲା । ଶହଶହ ସଂଖ୍ୟାରେ ଛାତ୍ର, ଯୁବକ, ମହିଳା ଗଣଦୌଡରେ ଅଂଶଗ୍ରହଣ କରିବା ଆମ୍ଭମାନଙ୍କୁ ବହୁମାତ୍ରରେ ଉତ୍ସାହିତ କରିବା ସହିତ କଳିଙ୍ଗ ରନର୍ସର ନିରନ୍ତର ଉଦ୍ୟମ ଫଳରେ ଓଡିଶାର ଅନେକ ଯୁବକ ସର୍ବଭାରତୀୟ ସ୍ତରରେ ହେଉଥିବା ଅନେକଗୁଡିଏ ମାରାଥନ୍ରେ ଭାଗନେଇ ପୁରସ୍କୃତ ହେବା ଆମକୁ ଗର୍ବିତ କରିଛି ।
କଳିଙ୍ଗ ରନର୍ସର ସେକ୍ରେଟାରୀ ସଂଗ୍ରାମ କେଶରୀ ଜେନା କହିଲେ, ଏହି ସେନ୍ଟ୍ରୋକ୍ସି ଭୁବନେଶ୍ୱର ସିଟି ମାରାଥନ୍କୁ ସଫଳ କରିବାକୁ ଓଡିଶାର ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ କରିବା ସହିତ, ଓଡିଶା ସରକାର, ଓଡିଶା ପୋଲିସ୍ ଏବଂ ମିଡିଆ ବନ୍ଧୁମାନଙ୍କ ସାହାଯ୍ୟ ଆଶା କରୁଛୁ ।
ଏହି ନିରନ୍ତର ଉଦ୍ୟମକୁ ଆଗେଇ ନେବାପାଇଁ ଆସନ୍ତା ଫେବ୍ରୁଆରୀ ମାସ ୨୬ ତାରିଖରେ ଶିଖରଚଣ୍ଡୀ ଠାରୁ ଆରମ୍ଭ କରି ଏହି ସେନ୍ଟ୍ରୋକ୍ସି ଭୁବନେଶ୍ୱର ସିଟି ମାରାଥନ୍ର ଆୟୋଜନ କରାଯାଇଛି । ଏଥିରେ ୫କିମି (ସକାଳ ୬:୩୦, ରିପୋର୍ଟ ଟାଇମ୍ – ସକାଳ ୬ଟା), ୧୦କିମି(ସକାଳ ୬ ଟା- ରିପୋର୍ଟ ଟାଇମ୍- ସକାଳ ୫:୩୦),୨୧କିମି (ସକାଳ ୫:୩୦, ରିପୋର୍ଟ ଟାଇମ୍ – ସକାଳ ୫ ଟା) ତିନୋଟି ବିଭାଗରେ ବିଭକ୍ତ କରାଯାଇଛି । ଏହି ଗଣଦୌଡରେ ସମସ୍ତ ପ୍ରତିଯୋଗୀମାନଙ୍କୁ ଟିସାର୍ଟ, ଚିପ୍, ବିଆଇବି, ମେଡାଲ, ଡିଜିଟାଲ ସାର୍ଟିଫିକେଟ୍ ସହିତ ଆନୁସଙ୍ଗିକ ବ୍ୟବସ୍ଥାମାନ କରାଯାଇଛି । ଚଳିତ ବର୍ଷ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଦୌଡାଳି ଭାଗ ନେବେ । ବିଜେତା ମାନଙ୍କୁ ୭୫୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ରେସ୍ର ଡାଇରେକ୍ଟର ଦିପକ କୁମାର ମିଶ୍ର କହିଛନ୍ତି, ଏହି ସେନ୍ଟ୍ରୋକ୍ସି ଭୁବନେଶ୍ୱର ସିଟି ମାରାଥନ୍କୁ ସଫଳ କରିବା ପାଇଁ ଅଗ୍ରଣୀ ଆଇଟି କମ୍ପାନୀ ସହଯୋଗର ହାତ ବଢାଇ ଆଗେଇ ଆସିବା ଆମକୁ ଉତ୍ସାହିତ କରିଛି ।
ଏହି ଅବସରରେ ଆସିଷ୍ଟାନ୍ଟ୍ ସେକ୍ରେଟାରୀ ଅୟସକାନ୍ତ ମହାନ୍ତି ଏବଂ କାର୍ଯ୍ୟକ୍ରମର ପ୍ରାୟୋଜକ ଜଜାତି ବଡୁ , ମନୋଜ ପଣ୍ଡା ଉପସ୍ଥିତ ଥିଲେ ।