ଭୁବନେଶ୍ୱର ମେଡିଆ ସ୍ପୋର୍ଟସ କ୍ଲବର ଜର୍ସି ଉନ୍ମୋଚିତ
ଭୁବନେଶ୍ୱର,୬/୧୨ – କ୍ରୀଡା ଆମୋଦ ପ୍ରମୋଦ ପ୍ରଦାନ କରିବା ସହିତ ବନ୍ଧୁତ୍ୱ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଦେଶ ଦେଶ, ରାଜ୍ୟ ରାଜ୍ୟ , ଜାତି ,ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଭାଇଚାରାର ବନ୍ଧନରେ ବାନ୍ଧି ରଖେ। ମଣିଷର କ୍ଲାନ୍ତ, ଦୁଖଃ, ଆବସାଦ ମେଣ୍ଟାଇବା କ୍ଷେତ୍ରରେ କ୍ରୀଡାର ଅବଦାନ ଅତୁଳନୀୟ। ସର୍ବୋପରି ମଣିଷର ଵ୍ୟସ୍ତ ଜଞ୍ଜାଳମୟ ଜୀବନକୁ ଖେଳ ହିଁ ଦେଇଥାଏ ଆଶ୍ବସ୍ତି। ଏହାକୁ ଦୃଷ୍ଟିରେ ରଖି ଗଠିତ ହୋଇଯାଇଛି ଭୁବନେଶ୍ୱର ମେଡିଆ ସ୍ପୋର୍ଟସ କ୍ଲବ(ବିଏମ୍ଏସ୍ ସି)। ଭୁବନେଶ୍ବର ମିଡିଆ ସ୍ପୋର୍ଟସ କ୍ଲବ୍ (ବିଏମ୍ଏସ୍ସି)ର ଜର୍ସି ଉନ୍ମୋଚନ ରବିବାର ସହିଦନଗର ଠାରେ ଏକ ନିରାଡମ୍ବର ଉତ୍ସବରେ ଅନୁଷ୍ଠିତ ହୋଇ ଯାଇଛି। ନବଗଠିତ ଏହି କ୍ରୀଡ଼ା କ୍ଲବ୍ ଖେଳର ବିକାଶ ଦିଗରେ କାର୍ଯ୍ୟ କରିବା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବ। କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ ଏହି କ୍ଲବ୍ର ଜର୍ସି ଭାରତୀୟ କ୍ରିକେଟ୍ ଦଳର ଜର୍ସିରୁ ପ୍ରେରଣା ନେଇ ନୀଳ ରଙ୍ଗର ରଖାଯାଇଛି। ରବିବାର କ୍ଲବ୍ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭବିଷ୍ୟତ ଯୋଜନା, ଅଭ୍ୟାସ ଏବଂ ଅନ୍ୟାନ୍ୟ ଯୋଜନା ନେଇ ସଦସ୍ୟମାନେ ଚର୍ଚା କରିଥିଲେ। ସେହିଭଳି କ୍ଲବର ଫେସବୁକ୍ ଓ ଟ୍ବିଟର ପୃଷ୍ଠା ସହ ଇନଷ୍ଟାଗ୍ରାମ ପୃଷ୍ଠା ଉନ୍ମୋଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଖୁବଶୀଘ୍ର କ୍ଲବ୍ ରାଜ୍ୟରେ ଆୟୋଜିତ ହେଉଥିବା ବିଭିନ୍ନ ସୌଖିନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ନିଜ ତରଫରୁ ମଧ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ପାଇଁ ପଦକ୍ଷେପ ନେବ। କ୍ଲବ୍ର ଅନ୍ୟଏକ ଲକ୍ଷ୍ୟ ହେଉଛି ସାଧାରଣ ଜନତାଙ୍କୁ ଫିଟନେସର ବାର୍ତ୍ତା ଦେବା। ସେହିଭଳି ସାମାଜିକ ଗଣମାଧ୍ୟମର ବିନିଯୋଗ କରି ସୁସ୍ଥ ଓ ନିରୋଗ ରହିବାର ମନ୍ତ୍ର ବାଣ୍ଟିବା। ରବିବାର ଅନୁଷ୍ଠିତ ବୈଠକରେ ବିଭିନ୍ନ ଗଣମାଧ୍ୟମର ୧୫ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ। କ୍ଲବ୍ର ପରବର୍ତ୍ତୀ ବୈଠକ ଚଳିତମାସ ୨୭ ତାରିଖରେ ଅନୁଷ୍ଠିତ ହେବ ଏବଂ ଏଥିରେ କିଛି ବରିଷ୍ଠ ତଥା ଅଭିଜ୍ଞ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଇ କ୍ରୀଡ଼ା ବିକାଶ ନେଇ ଆଲୋଚନା ଚକ୍ର ଆୟୋଜନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।