banner
Breaking

ଯାଜପୁର ବାପ-ପୁଅ ଘଟଣାର ନୁଆ ମୋଡ। ଭୁଲ କାହାର

0

ଯାଜପୁର ,(ଓଡ଼ିଆ ନ୍ୟୁଜ) ବାପା ମୋ’ ନାଁରେ ମିଛ ଅଭିଯୋଗ ଆଣିଛନ୍ତି। ମୁଁ ବାହା ହେବା ପରେ ବାପା ଆମ ସହିତ ରହୁ ନଥିଲେ। ଅନ୍ୟ ଜଣକ ଘରେ ସେ ରହୁଥିଲେ। ସେ ପରିବାର ସହିତ ତାଙ୍କର କ’ଣ ସମ୍ପର୍କ ତାହା ମୁଁ ଜାଣିନି। ହେଲେ ଏତିକି କହିବି ସେହି ପରିବାରର ପ୍ରରୋଚନାରେ ହିଁ ସେ ଏମିତି କରିଛନ୍ତି।’’

ଏହି ମନ୍ତବ୍ୟ ହେଉଛି ସୂର୍ଯ୍ୟମଣି ମିଶ୍ରଙ୍କର। ସୂର୍ଯ୍ୟମଣି ହେଉଛନ୍ତି ସିଏ ଯାହାକୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିଛନ୍ତି ତାଙ୍କ ଜନ୍ମ କଲା ବାପା। ପୁଅ-ବୋହୂଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ବାପା କ୍ଷେତ୍ରମୋହନ ମିଶ୍ର ସବୁ ସମ୍ପତ୍ତି ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ସରକାରଙ୍କ ନାଁରେ ସବୁ ସମ୍ପତ୍ତି ଉଇଲ୍‌ କରି ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ବାପାଙ୍କ ଏହି ସାଂଘାତିକ ଅଭିଯୋଗ ପରେ ପୁଅ ସୂର୍ଯ୍ୟମଣି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ବାପା ଯାହା ବି ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି। ଫଳରେ ବାପା-ପୁଅ ସମ୍ପର୍କକୁ ନେଇ ଯେଉଁ ଲଢ଼େଇ ଚାଲିଥିଲା ସେଥିରେ ନୂଆ ଟୁଇଷ୍ଟ ଆସିଛି।

‘‘ମୁଁ ମୋ’ ବାପାଙ୍କ ଚରିତ୍ର ସଂହାର କରିବାକୁ ଚାହୁଁନି। ବାପାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ମୁଁ ମଧ୍ୟ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛି। ମୋ’ ସମ୍ମାନ ଉପରେ ଆଞ୍ଚ ନଆଣି ପ୍ରକୃତ ସତ ସାମ୍ନାକୁ ଆସିବା ଦରକାର। ନହେଲେ ମତେ ଆତ୍ମହତ୍ୟା କରିବାର ଅନୁମତି ଦିଅନ୍ତୁ’’, କହିଛନ୍ତି ସୂର୍ଯ୍ୟମଣି।

ସେ ଆହୁରି କହିଛନ୍ତି, ‘‘ମୋ’ ବାପା ଖଣ୍ଡେ ବି ଜାଗା କିଣି ନାହାନ୍ତି। ଯାହା ଅଛି ସେସବୁ ପୈତୃକ ସମ୍ପତ୍ତି। ପୈତୃକ ସମ୍ପତ୍ତି ବିକିବାର ଅଧିକାର ତାଙ୍କର ଅଛି। ଯଦି ସେ ମତେ ଏଥିରୁ ବଞ୍ଚିତ କରିବାକୁ ଚାହୁଁଛନ୍ତି ତାହାଲେ ମୋର ଏଥିରେ କିଛି କହିବାର ନାହିଁ। ଜିଲ୍ଲାପାଳ ଯାହା କରିବେ।’’

ଏପଟେ କ୍ଷେତ୍ରମୋହନ ମିଶ୍ର ବି ଛାଡ଼ି ନାହାନ୍ତି। ପୁଅକୁ ରୋକ୍‌ଠୋକ୍‌ ଜବାବ ଦେଇଛନ୍ତି।

ସେ କହିଛନ୍ତି, ‘‘ମୋ’ ପୁଅ ସହିତ କିଛି ସମ୍ପର୍କ ନାହିଁ। ୧୯୯୫ ମସିହାରେ ମୋ’ ସାନ ବାପା ଚାଲିଗଲେ। ମୁଁ ତାଙ୍କୁ ଶୁଦ୍ଧି ହେଲି। ମୋ’ ବୋହୂ ମତେ ତାତ୍ସଲ୍ୟ କରି କହିଲା ତତେ ବି ଆମେ ଶୁଦ୍ଧି ହେବୁ। ସେହିଦିନରୁ ସେମାନଙ୍କ ପ୍ରତି ମୋର ବିତୃଷ୍ଣା ଭାବ ଚାଲି ଆସିଛି।’’
ବୋହୁ ବି ମତରଖି କହିଛନ୍ତି ମୁଁ ତାଙ୍କ ସେବା କରିଛି। କିନ୍ତୁ ସେ ଏମିତି କହିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି।
ସାଧାରଣ ଲୋକଙ୍କ ପ୍ରଶ୍ନ ଏହା ଭିତରେ ରହସ୍ୟ କଣ ଥାଇପାରେ? କ୍ଷେତ୍ରମୋହନ ରହୁଥିବା ଅନ୍ୟ ଘରର ଏ ଚାଲ୍ ନୁହେଁ ତ? ତାଙ୍କୁ ଉଇଲ କରିବାକୁ ଟଙ୍କା ଦେଲା କିଏ? ସାମ୍ବାଦିକ ମାନଙ୍କୁ ଡାକି ରିତିମତ୍ ବ୍ୟବସ୍ଥା କଲା କିଏ? ନା ପୁଅ ବୋହୁ ସତରେ ପଚାରୁ ନାହାନ୍ତି। ପ୍ରକୃତରେ ଦୋଷ କାହାର ଏହାକୁ ନେଇ ଚର୍ଚ୍ଚା ଚାଲିଛି।

ଅଡୁଆରେ ଯାଜପୁର ଜିଲ୍ଲାପାଳ

ବାପା-ପୁଅ ସମ୍ପର୍କ ଲଢ଼େଇରେ ଏବେ ଅଡୁଆରେ ପଡ଼ିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ସବୁ ସମ୍ପତ୍ତି ଉଇଲ୍ କରି କ୍ଷେତ୍ରମୋହନ ଜିଲ୍ଲାପାଳଙ୍କ ଜିମା ଦେଇଥିବା ବେଳେ ପୁଅ ସୂର୍ଯ୍ୟମଣି ବି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲାପାଳଙ୍କୁ ସେ ଦରଖାସ୍ତ କରିଥିବା ସୂର୍ଯ୍ୟମଣି କହିଛନ୍ତି। ଜିଲ୍ଲାପାଳ ଘଟଣାର ସତ୍ୟାସତ୍ୟ ବୁଝି ବିଚାର କରିବାକୁ ନିବେଦନ କରିଛନ୍ତି ସୂର୍ଯ୍ୟମଣି। ଯଦି ସତ ନବୁଝିବେ ତାହାଲେ ସୂର୍ଯ୍ୟମଣି ଆତ୍ମହତ୍ୟା କରିବାକୁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଛନ୍ତି।

ବାପା-ପୁଅ ଲଢ଼େଇରେ ଜିଲ୍ଲାପାଳ ଏବେ କ’ଣ କରିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମୁରାରୀପୁର ଗାଁର କାହାଣୀ। ୭୫ ବର୍ଷୀୟ କ୍ଷେତ୍ର ମୋହନ ମିଶ୍ର ନିଜ ପୁଅ-ବୋହୂ ନାଁରେ ଆଣିଲେ ନିର୍ଯାତନା ଅଭିଯୋଗ। ଯାଜପୁର ଜିଲ୍ଳାପାଳ ରଞ୍ଜନ କୁମାର ଦାସଙ୍କ ନିକଟରେ ପୁଅ ବୋହୂଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣି ସେମାନଙ୍କୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିଛନ୍ତି। ସମସ୍ତ ସମ୍ପତ୍ତି ଜିଲ୍ଲାପାଳଙ୍କ ମାର୍ଫତରେ ସରକାରଙ୍କୁ ଦାନ କରିଛନ୍ତି କ୍ଷେତ୍ରମୋହନ।

ଏନେଇ ଉଇଲ ପତ୍ର ବି କ୍ଷେତ୍ର ମୋହନ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

କ୍ଷେତ୍ରମୋହନ ନିଜ ଉଇଲ ପତ୍ରରେ ଲେଖିଛନ୍ତି, ‘‘ମୋର ଏକମାତ୍ର ପୁଅ ଓ ବୋହୂ ୩୦ ବର୍ଷ ଧରି ମତେ ନିର୍ଯାତନା ଦେଇ ଆସୁଛନ୍ତି। ବୋହୂ କି ପୁଅ ମୋର ଭରଣ ପୋଷଣ କରୁ ନାହାନ୍ତି। ବୟସ ଥିଲା ବେଳେ ଯେମିତି ସେମିତି ଚଳି ଆସୁଥିଲି। ଏହି  ବୟସରେ ମୋ ଦାୟିତ୍ୱ ନେବାକୁ କେହି ନାହାନ୍ତି। ପୁଅ ବୋହୂଙ୍କଠାରୁ ଶେଷରେ ଆଶା ତୁଟାଇ, ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସରକାରଙ୍କ ନାଁରେ ଉଇଲ କରିଛି।’’

ଜିଲ୍ଲାପାଳଙ୍କ ମାର୍ଫତରେ ଏକ ବୃଦ୍ଧାଶ୍ରମରେ ଅବଶିଷ୍ଟ ଜୀବନ ବିତାଇ ଦେବାକୁ ସେ ଆବେଦନ ପତ୍ରରେ ଲେଖିଛନ୍ତି ଏବଂ ତାଙ୍କ ମୃତ୍ୟୁ ପରେ ମୃତଶରୀରକୁ ମଧ୍ୟ ଦାନ କରିବାକୁ ଚାହିଁଛନ୍ତି। ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତିକୁ ଦେଶର ହିତ ପାଇଁ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି।

ଜିଲ୍ଲାପାଳ କ୍ଷେତ୍ର ମୋହନଙ୍କ ଠାରୁ ଏଭଳି ଆବେଦନ ପତ୍ର ପାଇବା ପରେ ଚଣ୍ଡିଖୋଲସ୍ଥିତ ଏକ ସ୍ୱେଚ୍ଛାସେବୀ ସଂଗଠନରେ କ୍ଷେତ୍ର ମୋହନଙ୍କୁ ରଖିବାକୁ ଉଦ୍ୟମ କରିଛନ୍ତି।

‘‘କ୍ଷେତ୍ର ମୋହନଙ୍କ ସମ୍ପତ୍ତିକୁ ବ୍ୟବହାର କରି ଏକ ବୃଦ୍ଧାଶ୍ରମ ପ୍ରତିଷ୍ଠା କରାଯିବ। ଭବିଷ୍ୟତରେ କ୍ଷେତ୍ରମୋହନଙ୍କ ଭଳି ନିର୍ଯାତିତ ବୃଦ୍ଧ/ବୃଦ୍ଧାଙ୍କୁ ସମ୍ପୃକ୍ତ ଜରାଶ୍ରମରେ ଥଇଥାନ କରାଯିବ’’,  ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.