banner
Breaking

ଆବାସ ଯୋଜନାରେ ବିଜେପିର ଆପତ୍ତି ଉପରେ କଡ଼ା ଜବାବ ରଖିଲେ ପ୍ରତାପ ଜେନା

ଘର କାନ୍ଥରେ ରହିବ ମୁଖ୍ୟମନ୍ତ୍ରୀଙ୍କ ଫଟୋ।

0

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଆବାସ ଯୋଜନା ଉପରେ ବିଜେପିର ଅଭିଯୋଗକୁ ଉତ୍ତର ମାଧ୍ୟମରେ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏଓ୍ବାଇ-ଜି) ପାଇଁ କେନ୍ଦ୍ର ସରକାର ପଇସା ଦେଉଛନ୍ତି। ସେହି ଘର ଆଗରେ ବିଜୁ ବାବୁଙ୍କ ଲୋଗୋ କାହିଁକି ଲଗାଯିବ। ଏହାକୁ ନେଇ ବିଜେପି ଆପତ୍ତି ଉଠାଇଛି। ଏ ପ୍ରସଙ୍ଗରେ ବୁଧବାର ମୁଲତବୀ ପ୍ରସ୍ତାବ ଆଣି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିଜେପି। ବିଜେପିର ଅଭିଯୋଗ ହେଉଛି ପିଏମଏଓ୍ବାଇ କେନ୍ଦ୍ର ସରକାରଙ୍କ ଯୋଜନା। ଏଥିପାଇଁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ସେଥିରେ ବିଜୁ ବାବୁଙ୍କ ଲୋଗୋ କାହିଁକି ଲାଗିବ। ସରକାର ପ୍ରଥମ ପର୍ଯ୍ୟାୟରେ ପିଏମଏଓ୍ବାଇ ଘର ଆଗରେ ୧୩ ହଜାର ୧୩୧ ଟି ଲୋଗୋ ଲଗାଇବାକୁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ଚିଠି କରାଯାଇଛି। ଯାହାକୁ ବିଜେପି ବିରୋଧ କରୁଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଏହାର ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କ ଘର କବାଟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋଗୋ ରହିବ। ଯେଉଁ ହିତାଧିକାରୀ ପିଏମ୍‌ଏଓ୍ବାଇ ଘର ପାଇବେ ସେମାନଙ୍କ କବାଟରେ ଉଭୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାର ଲୋଗୋ ଲଗାଯିବ। ଏହାର ସମ୍ପୂର୍ଣ୍ଣ ଯଥାର୍ଥତା ରହିଛି। ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନାକୁ ମିଶାଇ ଏଥର ବଜେଟ କରାଯାଇଛି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବାଂଲା ଆବାସ ଯୋଜନା କରାଯାଇଥିବା ବେଳେ ହିତାଧିକାରୀଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଲଗାଯାଉଛି। ସିକିମ୍‌ରେ ମଧ୍ୟ ହିତାଧିକାରୀଙ୍କ ଘର ଆଗରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ସେହିପରି ତାମିଲନାଡୁରେ ମଧ୍ୟ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ପ୍ରତିଶତ ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର ୪୦ପ୍ରତିଶତ ଅର୍ଥ ଦେଉଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ସରକାରୀ ଖର୍ଚ୍ଚ ଆହୁରି ୧୦ପ୍ରତିଶତ ଅଧିକ ଲାଗୁଛି। ସେହିପରି ଯେଉଁ ହିତାଧିକାରୀ ୪ ମାସରେ ଘର କାମ ଶେଷ କରୁଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୨୦ହଜାର ଟଙ୍କା ବୋନସ ଆକାରରେ ପ୍ରଦାନ କରୁଛନ୍ତି। ଏହାସହ ୬ ମାସରେ ଘର କାମ ସମ୍ପୂର୍ଣ୍ଣ କରିଦେଉଥିବା ହିତାଧିକାରୀଙ୍କୁ ବୋନସ ଆକାରରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ୬୩୮ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିସାରିଲେଣି। ଏ ସମସ୍ତ ଖର୍ଚ୍ଚର ଅନୁପାତ ମିଶାଇଲେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୬ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବା ମନ୍ତ୍ରୀ କହିଛନ୍ତି।
ଏନ୍‌ଡିଏ ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଇନ୍ଦିରା ଆବାସ ଯୋଜନା ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଆବାସ କରାଯାଇଛି। ଏକ ନୂଆ ସରକାର ଶାସନ କ୍ଷମତାକୁ ଆସିଲେ ରାଜ୍ୟବାସୀ କିଛି ଉପକାର ପାଇବେ ବୋଲି ଆଶା ଥିଲା। ମାତ୍ର ଏ ସରକାର ଶାସନ କ୍ଷମତାକୁ ଆସିବାପରେ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ କେନ୍ଦ୍ର ୭୫ପ୍ରତିଶତ ଅର୍ଥ ଦେଉଥିବା ବେଳେ ଏନଡିଏ ସରକାର ତାହାକୁ ୬୦ପ୍ରତିଶତକୁ ଖସାଇ ଦେଲେ। ରାଜ୍ୟ ମୁଣ୍ଡରେ ଅଧିକ ବୋଝ ଲଦିଦେଲେ। ନିୟମାନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ଯେଉଁ ହିତାଧିକାରୀ ସକ୍ଷମ ନ ହେବେ ତାଙ୍କୁ ପକ୍କାଘର ଯୋଗାଇ ଦେବାକୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ଆଣିଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ୩ଲକ୍ଷ ୬୦ ହଜାର ବିଜୁ ପକ୍କାଘର ଦେଇଛନ୍ତି। ରାଜ୍ୟରେ ସର୍ବମୋଟ ୨୫ଲକ୍ଷ ହିତାଧିକାରୀ ପକ୍କାଘର ପାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.