banner
Breaking

୬ ରୁ ଲଘୁଚାପ

0

ଭୁବନେଶ୍ୱର, ୪।୪(ବ୍ୟୁରୋ): ଆସୁଛି ଆଉଏକ ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଆସନ୍ତା ୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଉକ୍ତ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଘୂର୍ଣ୍ଣିବଳୟ ଓ ଲଘୁଚାପ ପାଇଁ ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ବର୍ଷା ଓ ପବନ ସମ୍ଭାବନା ରହିଛି। କିନ୍ତୁ ଅନ୍ୟ ଅଞ୍ଚଳରେ ଏହାର ପ୍ରଭାବ କ’ଣ ରହିବ ତାହା ଏଯାଏ ଆକଳନ କରାଯାଇ ନାହିଁ ବୋଲି ଉମାଶଙ୍କର କହିଛନ୍ତି।
ଶନିବାରର ନିମ୍ନ ଚାପ ରେଖା ରବିବାର ସମୁଦ୍ର ପତ୍ତନଠାରୁ ୧.୫କିମି ଉପରେ ପୂର୍ବ-ବିହାରରୁ ଉତ୍ତର ଓଡ଼ିଶା ଯାଏ ଲମ୍ବିଛି। ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଫଳରେ ରାଜ୍ୟରେ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ୬ ତାରିଖ ଦିନ ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଗଜପତି ଓ ମାଲକାନଗିରି ଜିଲାର କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ସହିତ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।
ତେବେ ବର୍ଷା ହେଲେ ତାତିରୁ ଆଶ୍ୱସ୍ତି ପାଇବେ ରାଜ୍ୟବାସୀ। ଏବେ ରାଜ୍ୟରେ ଖରାତାତି କଲବଲ କରୁଛି। ପଶ୍ଚିମ ଓଡ଼ିଶା ଜଳୁଛି। ରବିବାର ପଶ୍ଚିମ ଓଡ଼ିଶାର ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଟିଟିଲାଗଡ଼ରେ ସର୍ବାଧିକ ୪୧.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ବୌଦ୍ଧ ୪୧.୫, ଝାରସୁଗୁଡ଼ା ୪୧.୫, ବଲାଙ୍ଗୀର ୪୧.୫, ସମ୍ବଲପୁର ୪୧.୧, ସୋନପୁର ୪୧, ଭବାନୀପାଟଣା ୪୦.୨ ଓ ସୁନ୍ଦରଗଡ଼ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଉପକୂଳ ଜିଲାରେ ତାପମାତ୍ରା କମ୍‌ ରହିଥିବାବେଳେ ଭୁବନେଶ୍ୱରରେ ୩୫.୯ ଓ କଟକରେ ୩୫.୪ ଡିଗ୍ରୀ ରହିଥିଲା। ପାଣିପାଗ ବିଜ୍ଞାନୀ ଉମାଶଙ୍କର କହିଛନ୍ତି, ଆଗାମୀ ୪, ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। କିନ୍ତୁ ଉପକୂଳ ଓଡ଼ିଶାରେ ବଙ୍ଗୋପସାଗର ସାମୁଦ୍ରିକ ବାୟୁ ପ୍ରଭାବରେ ସକାଳ ଓ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଗ ମେଘୁଆ ରହୁଛି। ରାତିରେ ପବନ ବହୁଛି। ବିଶେଷ ତାତି ରହୁନି। ଏହି ସ୍ଥିତି ଆଗାମୀ ୩, ୪ ଦିନ ପର୍ଯ୍ୟନ୍ତ ରହିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.