banner
Breaking

ଝଡ଼ ବର୍ଷାରେ ୧୧ ଗୋରୁ ମୃତ

0

ଭୁବନେଶ୍ୱର : ଦୀର୍ଘ ୪ ମାସ ପରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁ ସମଗ୍ର ରାଜ୍ୟ ଥଣ୍ଡା ପଡ଼ିଛି। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସମ୍ବଲପୁର ଓ ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଆଦି ଜିଲାରେ ପବନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଏଥିସହ କେତେକ ସ୍ଥାନରେ ବଜ୍ରପାତ ସହ କୁଆପଥର ମାଡ଼ ହୋଇଛି। ବଜ୍ରପାତରେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତ ବନ୍ଧସାହିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ସ୍ବର୍ଗତ ସୁନ୍ଦରା ମାଝିଙ୍କ ସ୍ତ୍ରୀ ଚୁନାମଣୀ (୬୪)। ସେ ପିଣ୍ଡାରେ ବସିଥିବାବେଳେ ଏହି ଘଟଣା ଘଟିଥିଲା। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ୍‌ ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗାଁରେ ଏକ ଭଙ୍ଗାଘର ଉପରେ ବଜ୍ରପାତ ହେବାରୁ ଏହା ତଳେ ଆଶ୍ରୟ ନେଇଥିବା ୧୧ ଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କୁଆପଥର ମାଡ଼ରେ ରାୟଗଡ଼ା ଜିଲାର କଲ୍ୟାଣସିଂହପୁରରେ ପ୍ରବଳ କୁଆପଥର ବର୍ଷା ହୋଇଥିବାବେଳେ ଏଠାକାର ରାସ୍ତା ଓ ସମତଳ ଭୂମିରେ ପଡ଼ିଥିବା କୁଆପଥର କଶ୍ମୀର ବରଫ ଝଡ଼ର ଭ୍ରମ ସୃଷ୍ଟି କରିଛି। ସେହିପରି କାଶୀପୁର ଉପର କଞ୍ଜାକଣା ଗାଁରେ ଝଡ଼ତୋଫାନରେ ଏକ ଆଜ୍‌ବେଷ୍ଟସ ଉଡିଯାଇଥିବାବେଳେ କୁଆପଥର ବର୍ଷାରେ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ପଶ୍ଚିମା-ଝଡ଼ ପ୍ରଭାବରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ବହୁ ସ୍ଥାନରେ ସନ୍ଧ୍ୟା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ବର୍ଷା ପବନ ଲାଗି ରହିଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୪୧ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୨୭ ମି.ମି., ବରଗଡ଼ ୨୨, ରାଉରକେଲା ୧୭, ନୂଆପଡା ୧୪, ହୀରାକୁଦ ୧୪, ଭବାନୀପାଟଣା ୧୦, ପାରଳାଖେମୁଣ୍ଡି ୮.୧, ମାଲକାନଗିରି ୬.୧, ଟିଟିଲାଗଡ଼ ୪.୬, ସମ୍ବଲପୁର ୪.୫, ନବରଙ୍ଗପୁର ୪ ଓ ବଲାଙ୍ଗୀରରେ ୩.୨ ମିମି ବର୍ଷା ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ବର୍ଷା ଲାଗି ରହିଛି। ଏଥିସହିତ ରବିବାର ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ଅନୁଗୋଳ ଆଦି ୧୭ ଜିଲାରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.