banner
Breaking

ଚଳିତ ମାସ ଶେଷ ସପ୍ତାହରେ ତାତିବ ଓଡ଼ିଶା

0

ଭୁବନେଶ୍ବର : ଚଳିତ ମାସ ଶେଷ ସପ୍ତାହବେଳକୁ ଭୁବନେଶ୍ବର ସମେତ କେତେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ। ୨୨ ତାରିଖ ସୁଦ୍ଧା ରାଜଧାନୀ ସହିତ ଅନ୍ୟାନ୍ୟ ଅଞ୍ଚଳରେ ଦିନ ତାପମାତ୍ରା ୩୯ଡିଗ୍ରୀ ଟପିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ଓଡ଼ିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଦକ୍ଷିଣ ବିହାର,ଛତିଶଗଡ଼, ବିଦର୍ଭ ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ତାପମାତ୍ରା ସ୍ବାଭାବିକରୁ ୩ ରୁ ୭ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ଭୁବନେଶ୍ବରରେ ସ୍ବାଭାବିକଠାରୁ ୫.୨ଡିଗ୍ରୀ ଅଧିକ ରହିଥିଲା। ରବିବାର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ବିଶେଷ ବଢ଼ିବ ନାହିଁ। ତେବେ ୧୮ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ। କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୬ଡିଗ୍ରୀ ଅଧିକ ରହିବ। ସମ୍ଭବତଃ ୨୨ ତାରିଖ ସୁଦ୍ଧା ଭୁବନେଶ୍ବର ସମେତ କେତେକ ଆଭ୍ୟନ୍ତରୀଣ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଉତ୍ତର ଭାରତରେ ଆସନ୍ତାକାଲିଠାରୁ ତାପମାତ୍ରା ବଢ଼ିବ। ତେଣୁ ଉତ୍ତର-ପଶ୍ଚିମ ଭାରତରୁ ଆସୁଥିବା ଗରମ ପବନ ହେତୁ ରାଜ୍ୟରେ ଗରମ ସହିତ ଝାଞ୍ଜି ବହିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଫେବୃଆରୀ ମଧ୍ୟଭାଗରୁ ଗରମ ବଢ଼ିବା ସହିତ ମାର୍ଚ୍ଚ, ଏପ୍ରିଲ ଓ ମେ’ରେ ରାଜ୍ୟରେ ଅତ୍ୟଧିକ ଗରମ ହେବାର ସମ୍ଭାବନା ରହିଛି।
ନଭେମ୍ବରଠାରୁ ବର୍ଷା ନ ହୋଇ ମାଟି ଶୁଖିଲା ରହିଛି। ଆକାଶ ନିର୍ମଳ ଏବଂ ପବନର ଗତି କମ ରହିବାରୁ ଶନିବାର ସର୍ବାଧିକ ତାପମାତ୍ରା ଅଧିକ ରହିଥିଲା। ସହରୀକରଣ, ଜଙ୍ଗଲ ଧ୍ବଂସ, ଯାନବାହନ ଚଳାଚଳ, ଜଳାଶୟ ଅଭାବ ଏବଂ ବାୟୁ ପ୍ରବାହ ଜନିତ ଉତ୍ତାପ ନିର୍ଗତରେ ବାଧାପ୍ରାପ୍ତ ହେଉଛି। ତେଣୁ ରାଜଧାନୀରେ ତାପମାତ୍ରା ବୃଦ୍ଧି ପାଉଛି।
ଅନ୍ୟପକ୍ଷରେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ। ରବିବାର ସର୍ବାଧିକ ତାପମାତ୍ରା ଭୁବନେଶ୍ବରରେ ପ୍ରାୟ ୧ ଡିଗ୍ରୀ ପର୍ଯ୍ୟନ୍ତ କମିଥିବା ବେଳେ ମାଲକାନଗିରିରେ ବୃଦ୍ଧି ପାଇଛି। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି।

Khansweb Solution Bhubaneswar

Leave A Reply

Your email address will not be published.