banner
Breaking

ଆରମ୍ଭ ହେଲା ଭୋଟର ତାଲିକା ସ°ଶୋଧନ।

0

ଭୁବନେଶ୍ୱର,୧୩ା୧୧(ଓଡ଼ିଆ ନ୍ୟୁଜ): ଭାରତୀୟ ନିିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପୁରୀ ଜିଲାରେ ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀ ପହିଲା ସୁଦ୍ଧା ୧୮ବର୍ଷ ପୂରଣ ହେଉଥିବା ନାଗରିକମାନେ ଭୋଟର ଭାବେ ନାମ ପଞ୍ଜୀକରଣ କରିପାରିବେ। ଆପତ୍ତି ଅଭିଯୋଗ ଥିଲେ ସେମାନେ ନିର୍ଦ୍ଧାରିତ ଫର୍ମରେ ଆସନ୍ତା ୧୬ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ସମ୍ପୃକ୍ତ ମତଦାନ କେନ୍ଦ୍ରରେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ମାଧ୍ୟମରେ ଦାଖଲ କରିପାରିବେ। ଗୁରୁବାର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉପଜିଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି।
ଉପଜିଲାପାଳ କହିଛନ୍ତି, ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ ନିିମନ୍ତେ ଫର୍ମ ନଂ-୬, ପ୍ରବାସୀ ଭାରତୀୟ ଭାବେ ନାମ ପଞ୍ଜୀକରଣ ନିମନ୍ତେ ଫର୍ମ ନଂ-୬(କ), ତାଲିକାରୁ ନାମ ବାଦ୍‌ ନିମନ୍ତେ ଫର୍ମ ନଂ-୭, ତ୍ରୁଟି ସଂଶୋଧନ ନିମନ୍ତେ ଫର୍ମ ନଂ-୮ ଏବଂ ଭୋଟରଙ୍କ ନାମ ସ୍ଥାନାନ୍ତରୀକରଣ ନିମନ୍ତେ ଫର୍ମ ନଂ-୮(କ) ଦାଖଲ କରାଯାଇ ପାରିବ। ଉପଜିଲାପାଳ ଏବଂ ସମସ୍ତ ବିଡିିଓଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି। ନଭେମ୍ବର ୨୨, ୨୮, ଡିସେମ୍ବର ୬ ଓ ୧୨ ତାରିଖରେ ସ୍ବତନ୍ତ୍ର ଅଭିଯାନ ଦିବସ ହେବ। ଏହିଦିନ ସମସ୍ତ ବିଏଲ୍‌ଓ ନିଜ ବୁଥ୍‌ରେ ଉପସ୍ଥିତ ରହିବେ। ଜନସାଧାରଣ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଦାବି, ଅଭିଯୋଗ ତଥା ନୂତନ ଭୋଟର ଭାବେ ପଞ୍ଜୀକରଣ ଆବେଦନ କରିପାରିବେ। ୨୦୨୧ ଜାନୁୟାରୀ ୧୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଜାଲ୍‌ ଭୋଟରଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଏଥିରେ ସହଯୋଗ ପାଇଁ ଜନସାଧାରଣ ଏବଂ ରାଜନୈତିକ ଦଳଗୁଡ଼ିକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଅତିରିକ୍ତ ଜିଲାପାଳ (ରାଜସ୍ବ) ସୁଭାଷଚନ୍ଦ୍ର ନାଥଶର୍ମା ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ସୁମନ୍ତ କର ଉପସ୍ଥିତ ଥିଲେ।
ସେହିପରି ଖୋର୍ଦ୍ଧା ଜିଲାରେ ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ। ଜିଲାପାଳ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ। ଡେପୁଟି କଲେକ୍ଟର (ନିର୍ବାଚନ) କୁମୁଦିନୀ ସୁବୁଦ୍ଧି ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ସୂଚନା ଦେଇଥିଲେ। ତାଲିକା ସଂଶୋଧନ ନେଇ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଅଭିଯାନ ନଭେମ୍ବର ୨୨ରୁ ୨୮ ଏବଂ ଡିସେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଠକରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ, ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆ, ଭୁବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.