banner
Breaking

ଆମ ପର୍ଯ୍ୟଟନ ବିଶ୍ୱ ଶ୍ରେଣୀ ସମକକ୍ଷ ହେବ: ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନକୁ ବିଶ୍ୱ ଶ୍ରେଣୀ ସମକକ୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଶିଳ୍ପ ସଂଘ ଫିକିର ମିଳିତ ସହଯୋଗରେ ଆଜିଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଓଡ଼ିଶା ଟ୍ରାଭେଲ ବଜାର ୨୦୨୨କୁ ଉଦ୍‌ଘାଟନ କରି ସେ କହିଛନ୍ତି ଯେ ସରକାର ୭୫ ଅଗ୍ରାଧିକାର ପର୍ଯ୍ୟଟନ କ୍ଷେତ୍ର ଚିହ୍ନଟ କରିଛନ୍ତି । ସେଥିରେ ସାମିଲ ରହିଛି ବେଳାଭୂମି, ଜୈବ-ବିବିଧତା ଅଂଚଳ, ଐତିହାସିକ ସ୍ଥାପତ୍ୟ, ଧାର୍ମିକ ଓ ସାସ୍କୃତିକ ଗୁରୁତ୍ୱ ବହନ କରୁଥିବା ସ୍ଥାନ ଯାହା ସ୍ୱତନ୍ତ୍ର ପର୍ଯ୍ୟଟନ ଅନୁଭୂତି ପ୍ରଦାନ କରିବ । ପର୍ଯ୍ୟଟନ ଅନୁଭବକୁ ଆହୁରି ସମୃଦ୍ଧ କରିବା ଲାଗି ବୋଟ ପର୍ଯ୍ୟଟନ, କ୍ୟାମ୍ପିଂ, ଐତିହାସିକ ରାଜପ୍ରାସାଦରେ ରହଣୀ, ଜଳ ଭିତିକ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶ କରାଯାଉଛି ଏବଂ ତାହାକୁ ସଂସ୍ଥାର ରୂପ ପ୍ରଦାନ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ପର୍ଯ୍ୟଟନ ଲାଗି ସରକାର ମାଷ୍ଟର ପ୍ଲାନ୍ ଭିତିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ରାଜ୍ୟକୁ ଉତ୍କୃଷ୍ଟ ବ୍ରାଣ୍ଡ୍‌, ବ୍ୟବସାୟ କାର୍ଯ୍ୟରେ ଭ୍ରମଣ କରୁଥିବା ବ୍ୟକ୍ତି ଏବଂ ଉତ୍କୃଷ୍ଟ ଆତିଥେୟତା ଖୋଜୁଥିବା ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକମାନଙ୍କୁ ଆକୃଷ୍ଟ କରିବ । ଏହି ଅବସରରେ ସେ ଟୁର ଅପରେଟରମାନଙ୍କୁ କହିଛନ୍ତି ଯେ ବର୍ତମାନ ଭାରତର ସବୁଠୁ ଚଳଚଂଚଳ ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ଯେଉଁଠାରେ ବହୁତ କିଛି ଘଟଣା ଘଟୁଛି । ସେଥିପାଇଁ ଏହି ସୁନ୍ଦର ରାଜ୍ୟରେ ସକ୍ରିୟ ଯୋଗଦାନ କରିବା ଲାଗି ସେ ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।

ଆଜି ଦିନ ବେଳା ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ପାତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ କୋଭିଡ୍ ବିଭ୍ରାଟ ପରେ ଓଡ଼ିଶା ଟ୍ରାଭେଲ ବଜାର ପୁନର୍ବାର ଆୟୋଜନ କରାଯାଉଥିବାରୁ ଆମେ ବହୁତ ଖୁସି । ସ୍ଥାନୀୟ ଓ ବିଦେଶୀ ଟୁର ଅପରେଟରମାନଙ୍କୁ ଏହା ଭାବର ଆଦାନପ୍ରଦାନ ଏବଂ ଆଲୋଚନା ପାଇଁ ଏକ ମଂଚ ପ୍ରଦାନ କରିବ ।

ସେହିଭଳି ଶ୍ରୀ ଜେ କେ ମହାନ୍ତି, କୋ-ଚେୟାରମ୍ୟାନ, ଫିକି ଟ୍ରାଭେଲ, ଟୁରିଜିମ ଓ ହସ୍ପିଟାଲିଟି କମିଟି ଏବଂ ସିଏମଡି, ସ୍ୱସ୍ତି ହୋଟେଲ କହିଛନ୍ତି ଯେ, “ଓଡ଼ିଶା ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ବେଳାଭୂମି, ପ୍ରାସାଦ, ବ୍ୟାକ ୱାଟର, ଡେଜର୍ଟ ଆଦି ସମେତ ଆହୁରି ଅନେକ କିଛି ରହିଛି । ପଡ଼ୋଶୀ ରାଜ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ଆମେ ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଅଧିକ ସଂଖ୍ୟକ ହୋଟେଲ ରୁମ ଯୋଗ କରୁଛୁ । ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହେବା ନେଇ ଆମେ ଆଶା କରୁଛୁ ।”

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ଡୋମେଷ୍ଟିକ୍ ଓ ବିଦେଶୀ ଟୁର ଅପରେଟରମାନଙ୍କ ମଧ୍ୟରେ ବି୨ବି ବୈଠକ ଆୟୋଜନ କରାଯିବା ଉପରେ ଗୁରୁତ୍ୱାରୋପ କରାଯିବ । ଏହା ପରେ ଟୁର ଅପରେଟରମାନଙ୍କୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ଭୁବନେଶ୍ୱର, ପୁରୀ, କୋଣାର୍କ, ଚିଲିକି, ଧଉଳି, ଭିତରକନିକା ଓ ଲଳିତଗିରି ଆଦି ସ୍ଥାନକୁ ପରିଦର୍ଶନରେ ନିଆଯିବ । ନିବେଶକ ଏବଂ ଏୟାରଲାଇନ୍ସମାନଙ୍କ ସହ ବି୨ଜି ବୈଠକ ମଧ୍ୟ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଚତୁର୍ଥ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ରେ ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ୍ ଓ ଭିତଏନାମ ଭଳି ଦେଶରୁ ୨୫ଟି ବିଦେଶୀ ଟୁର ଅପରେଟର ଏବଂ ଭାରତର ବିଭିନ୍ନ ସ୍ଥାନ ଯଥା ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୁଆହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ ଓ ଏନସିଆର, ପଂଜିମ୍‌, ପୁନେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ତ୍ରିଭେନ୍ଦ୍ରମ, ବାରାଣାସୀ ଓ ବିଶାଖାପାଟଣା ଆଦିରୁ ୮୩ ଟୁର ଅପରେଟର ଅଂଶଗ୍ରହଣ କରିଛନ୍ତି ।

ଏହି ଅବସରରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ଫିକିର ଟ୍ରାଭେଲ୍‌, ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ-ଅଧ୍ୟକ୍ଷ ଏବଂ ସ୍ୱସ୍ତି ହୋଟେଲ୍‌ସର ସିଏମ୍‌ଡି ଶ୍ରୀଯୁକ୍ତ ଜେ କେ ମହାନ୍ତି ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଓଏସ୍‌ଡି ଶ୍ରୀଯୁକ୍ତ ଅଂଶୁମାନ ରଥ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.