banner
Breaking

ଲୋକତାତିଲା ପରେ ଟ୍ରାଫିକ କଲା ନୂଆ ଉପାୟ।

0

ଭୁବନେଶ୍ୱର,(ବ୍ୟୁରୋ):ଜରିମାନାକୁ ନେଇ ଶନିବାର ଭୁବନେଶ୍ୱରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ବିନା ପୂର୍ବ ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥା ନ ଥାଇ ନୂଆ ମୋଟର ଯାନ ଆଇନ-୨୦୧୯ ଲାଗୁକୁ ରାଜ୍ୟବ୍ୟାପୀ ବିରୋଧ କରାଯିବାରୁ ଆଭିମୁଖ୍ୟ ବଦଳାଇବାକୁ ବାଧ୍ୟ ହୋଇଛି କମିଶନରେଟ ପୋଲିସ ଓ ଆର୍‌ଟିଓ। ରବିବାରଠାରୁ ପୋଲିସ ଅଭିନବ ଉପାୟରେ ସଚେତନତା ଆରମ୍ଭ କରିଛି। ନିୟମ ଉଲ୍ଲଂଘନକାରୀଙ୍କୁ ଚକୋଲେଟ ଓ ଗୋଲାପ ଦେଇ ସଚେତନ କରୁଥିବାବେଳେ ନିୟମ ପାଳନକାରୀଙ୍କୁ ଧନ୍ୟବାଦ କାର୍ଡ ଦେଇ ପ୍ରଶଂସା କରାଯାଉଛି। ତେବେ ମଙ୍ଗଳବାର ଟ୍ରାଫିକ ପୋଲିସ ପକ୍ଷରୁ ଆଉ ଏକ ଭିନ୍ନ ପନ୍ଥା ଆପଣାଇଛି। ହେଲ୍‌ମେଟ୍‌ ପିନ୍ଧି ନ ଥିବା ବାଇକ୍‌ ଚାଳକଙ୍କୁ ୫ଶହ ଟଙ୍କା ଜରିମାନା କରିବା ସହ ହେଲ୍‌ମେଟ ଦେଇ ସଚେତନ କରିଛି ଟ୍ରାଫିକ ପୋଲିସ।
କଳ୍ପନା ଓ ନାଲ୍‌କୋ ଛକରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଟ୍ରାଫିକ ଡିସିପି ସାଗରିକା ନାଥ, ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା ଓ ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଉପସ୍ଥିତି ରହି ହେଲ୍‌ମେଟ ପିନ୍ଧି ନ ଥିବା ଗାଡ଼ିଚାଳକଙ୍କଠାରୁ ଜରିମାନା ନେଇ ହଳଦିଆ ରଙ୍ଗର ନୂଆ ହେଲମେଟ ପିନ୍ଧାଇଥିଲେ। ତେବେ ଯେଉଁମାନେ ହେଲ୍‌ମେଟ ନେବାକୁ ଚାହିଁ ନ ଥିଲେ ସେମାନେ କେବଳ ଜରିମାନା ଦେଇ ଚାଲିଯାଇଥିଲେ। ନିୟମକୁ ମାନୁଥିବା ଗାଡିଚାଳକଙ୍କୁ ଟ୍ରାଫିକ ଡିସିପି ନାଥ ଓ ଅନ୍ୟ ଅଧିକାରୀମାନେ ଥ୍ୟାଙ୍କ୍‌ ୟୁ କାର୍ଡ ବାଣ୍ଟି ପ୍ରଶଂସା କରିଥିଲେ। ସ୍ଥାନ ଛାଡ଼ିବାବେଳେ ଲୋକଙ୍କୁ ଅଧିକାରୀମାନେ ହାତଯୋଡ଼ି ବିଦାୟ ଦେବା ଦୃଶ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା।
ଟ୍ରାଫିକ ଡିସିପି ନାଥ କହିଛନ୍ତି, ଅନେକ ଲୋକ ସଚେତନ ହେଲେଣି। ତେଣୁ ସେମାନଙ୍କୁ ଆମେ ଧନ୍ୟବାଦ ଦେଉଛୁ। ସେମାନେ ଟ୍ରାଫିକ ନିୟମ ମାନି ସୁନ୍ଦର ଭୁବନେଶ୍ୱରକୁ ଆହୁରି ଆଗକୁ ନିଅନ୍ତୁ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଲୋକଙ୍କୁ ସଚେତନ କରିବା, ଜରିମାନା କାଟିବା ନୁହେଁ। ଆମେ ଯେଉଁ ୫ଟି ନିୟମ ଉପରେ ଅଧିକ ଗୁରୁତ୍ୱ ଦେଉଛୁ ତାହାକୁ ଫଲୋ କରିବାକୁ ଲୋକଙ୍କୁ କହୁଛୁ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକେ ୧୦ ବର୍ଷରେ ଯାହା ହୋଇପାରି ନ ଥିଲେ ୧୦ ଦିନରେ ବଦଳି ଯାଇଛନ୍ତି। ପ୍ରାୟ ୯୬ ପ୍ରତିଶତ ଗାଡିଚାଳକ ହେଲ୍‌ମେଟ ପିନ୍ଧି ଗାଡି ଚଳାଉଥିବାରୁ ଖୁସି ଲାଗୁଛି। ଲାଇସେନ୍ସ ସହ ଗାଡିର ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ଓ ହେଲ୍‌ମେଟ ସହ ଅଭ୍ୟସ୍ତ ହେବାକୁ ୩ ମାସ ସମୟ ରହିଛି। ଏହା ମଧ୍ୟରେ ଯେଉଁମାନେ ସବୁକିଛି ଠିକ୍‌ ନ ରଖିବେ ସେମାନେ ହିଁ ଅସୁବିଧାରେ ପଡ଼ିବେ। ଜରିମାନା ଦେବାବେଳେ ଗାଡ଼ିର ଇନ୍‌ସ୍ୟୁରାନ୍ସ କରିବା ପାଇଁ ବ୍ୟବସ୍ଥା କରାଯିବାକୁ ମଧ୍ୟ ଏକ କମ୍ପାନୀ ସହ ଆଲୋଚନା ଚାଲିଛି। ଯଦି କମ୍ପାନୀ ରାଜିହେବ ତେବେ ଶୀଘ୍ର ଏହି ନୂଆ ବ୍ୟବସ୍ଥା ଆରମ୍ଭ କରାଯିବ। ତେବେ ସୋସିଆଲ ମିଡିଆ ଗୁଜବକୁ ଗୁରୁତ୍ୱ ନ ଦେଲେ ଲୋକେ ଟ୍ରାଫିକ ନିୟମ ମାନିଲେ କେହି ଅଟକାଇବାକୁ ସାହସ କରିବେ ନାହିଁ ବୋଲି କମିଶନର କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.