banner
Breaking

କାଲିଠାରୁ ଶିଶୁ ମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ

0

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

ଗୁରୁବାର ଦେଶରେ ଶହେ କୋଟି ଟିକାକରଣ ଟପିଛି। ରାଜ୍ୟରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ ଲକ୍ଷ ଟିକାକରଣ ହେଇଛି। ଏଥିରୁ ପ୍ରାୟ ୨କୋଟି ୪୬ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ୍‌ ନେଇସାରିଛନ୍ତି। ଏହା ରାଜ୍ୟର ମୋଟ୍‌ ହିତାଧିକାରୀଙ୍କ ମଧ୍ୟରୁ ୭୬% ଟିକା ନେଇଛନ୍ତି। ସେହିପରି ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀ ଦୁଇଟି ଯାକ ଡୋଜ୍‌ ଟିକା ନେଇସାରିଛନ୍ତି। ତେବେ ୨୪ ଲକ୍ଷ ଲୋକ ଏବେ ବି ଦ୍ବିତୀୟ ଡୋଜ୍‌ ଟିକା ନେଇନାହାନ୍ତି। ଓଡ଼ିଶାରେ ବର୍ତ୍ତମାନ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ମହଜୁଦ ରହିଛି। ତେବେ ଶୁକ୍ରବାରଠାରୁ ଶିଶୁମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଭର୍ଚ୍ଚୁଆଲ ମୋଡ୍‌ରେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ ଜିଲାସ୍ତରରେ ମଧ୍ୟ ହେବ। ରାଜ୍ୟରେ ୧ କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷ ବୟସ୍କ ପିଲା ଅଛନ୍ତି। ସେମାନଙ୍କୁ ଟିକା ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ଅନୁମତି ଦିଆଗଲେ ଶିଶୁମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.