banner
Breaking

ବୁଦ୍ଧ ମନ୍ଦିରରେ ମୁଣ୍ଡନ ହେଲେ ଗୁମ୍ଫାରୁ ଉଦ୍ଧାର ୧୧ ଫୁଟ୍‌ବଲ୍‌ ଖେଳାଳି

0

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରୁ ଉଦ୍ଧାର ହୋଇ ପୁନର୍ଜୀବନ ପାଇଥିବା ୧୨ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ୧୧ ଜଣ ବୁଦ୍ଧ ମନ୍ଦିରରେ ମୁଣ୍ଡନ ହୋଇଛନ୍ତି। ସେମାନଙ୍କ କୋଚ୍ ମଧ୍ୟ ମୁଣ୍ଡନ ହୋଇଛନ୍ତି । ଅନ୍ୟ ଜଣେ ଖେଳାଳି ଖ୍ରୀଷ୍ଟ ଧର୍ମର ହୋଇଥିବାରୁ ତାଙ୍କର ମୁଣ୍ଡନ କରାଯାଇନାହିଁ। ଏଥି ପାଇଁ ବୁଦ୍ଧ ମନ୍ଦିରରରେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା। ବୌଦ୍ଧ ସନ୍ୟାସୀମାନଙ୍କ ଦ୍ୱାରା ଏହି ମୁଣ୍ଡନ ପ୍ରକ୍ରିୟା ସମାପିତ ହୋଇଥିଲା। ସେମାନଙ୍କ କୋଚ୍ ଜଣେ ବୌଦ୍ଧ ଭିକ୍ଷୁ ଭାବେ ଦୀକ୍ଷିତ ହୋଇଛନ୍ତି । ବୌଦ୍ଧ ଧର୍ମର ପରମ୍ପରା ଅନୁଯାୟୀ, ଏହି ଖେଳାଳିମାନଙ୍କୁ ବୌଦ୍ଧ ପ୍ରଶିକ୍ଷାର୍ଥୀ ଭାବେ ଗ୍ରହଣ କରାଯାଇଛି ଓ ସେମାନେ ବୁଦ୍ଧ ମନ୍ଦିରରେ ୯ ଦିନ ପର୍ଯ୍ୟନ୍ତ ରହିବେ। ଈଶ୍ୱରଙ୍କ ପ୍ରତି ସମ୍ମାନ ଓ ଧନ୍ୟବାଦ ଅର୍ପଣ ଉଦ୍ଦେଶ୍ୟରେ ଏଭଳି ପରମ୍ପରା ଥାଇଲାଣ୍ଡରେ ପ୍ରଚଳିତ ରହିଛି।

ଖେଳାଳିମାନଙ୍କ ଉଦ୍ଧାର କାର୍ଯ୍ୟରେ ଯେଉଁମାନେ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ ଏବଂ ଉଦ୍ଧାର ବେଳେ ମୃତ୍ୟୁବରଣ କରିଥିବା ନୌସେନା ଯବାନଙ୍କ ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଏହି ମୁଣ୍ଡନ ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି।

ମୁଣ୍ଡନ ହୋଇଥିବା ଜଣେ ଖେଳାଳି କହିଛନ୍ତି ଯେ, ମନ୍ଦିରରେ ଏହି କାର୍ଯ୍ୟକ୍ରମ ଦ୍ୱାରା ତାଙ୍କୁ ଆତ୍ମସନ୍ତୋଷ ଓ ମାନସିକ ଶାନ୍ତି ମିଳିଛି । ମନ୍ଦିରରେ ୯ ଦିନ ବିତାଇବା ପରେ ସମାଜର ମୁଖ୍ୟସ୍ରୋତକୁ ଫେରିଯିବୁ ବୋଲି ସେ କହିଛନ୍ତି । ଆଗକୁ ପରୀକ୍ଷା ରହିଛି ଓ ସେମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ୍ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୧ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ ଖୋଜା ଖୋଜି କରି ବ୍ରିଟିଶ ବିଶେଷଜ୍ଞ ଟିମ୍ ଏହି ଗୁମ୍ଫାରୁ ଠାବ କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.