banner
Breaking

ଭାରତର ପ୍ରଥମ ଇନି°ସ ୨୦୨ ରେ ସୀମିତ

0

ଜୋହାନସବର୍ଗ,୪/୧(ବ୍ୟୁରୋ) : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଭାରତ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚ ଭଳି ଦ୍ବିତୀୟ ଟେଷ୍ଟରେ ବି ତାରକା ଖଚ୍ଚିତ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ମାନେ ବିଫଳ ହୋଇଥିଲେ। ଜୋହାନସବର୍ଗର ୱାଣ୍ଡରସ ଷ୍ଟାଡ଼ିୟମ​‌ରେ ଦକ୍ଷିଣ ଆଫ୍ରିକାର ୩ ଦ୍ରୁତ ବୋଲର ମାର୍କୋ ଜାନସେନ ,ଡୁଆନେ ଓଲିଭିୟର ଓ କାଗିସୋ ରାବଡାଙ୍କ ସର୍ଟପିଚ୍‌ ବଲରେ ଭାରତୀୟ ବ୍ୟାଟିଂ ଲାଇନ୍‌ ଭୂଶୁଡି ପଡିଥିଲା। ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଉପଯୋଗୀ ଇନିଂସ ବଳରେ ଭାରତର ପ୍ରଥମ ଇନିଂସରେ ୨୦୨ରନରେ ସୀମିତ ରହିଛି। ଜବାବରେ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଦକ୍ଷିଣଆଫ୍ରିକା ୧୮ ଓଭର ଖେଳି ୧ ୱିକେଟ ବିନିମୟରେ ୩୫ରନ କରିଛି। ଆଇଡାନ ମାର୍କରାମ ୭ରନ କରି ଆଉଟ୍‌ ହୋଇଥିବାବେଳେ ଅଧିନାୟକ ଡିନ୍ ଏଲ୍‌ଗାର ୧୧ ଓ କିଗାନ ପିଟରସନ ୧୪ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସାମି ଗୋଟିଏ ୱିକେଟ ନେଇଛନ୍ତି। ଦକ୍ଷିଣଆଫ୍ରିକା ୧୬୭ରନ ପଛରେ ରହିଥିବାବେଳେ ହାତରେ ୯ ୱିକେଟ ସୁରକ୍ଷିତ ରହିଛି।
ବିରାଟ କୋହଲିଙ୍କ ଅନୁପସ୍ଥିତିରେ କାମଚଳା ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିଣି ପ୍ରଥ​‌େ​‌ମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫର୍ମରେ ଥିବା ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରୱାଲ କିଛି ଦର୍ଶନୀୟ ସଟ୍‌ ଖେଳି ଭଲ ଆରମ୍ଭ କରିଥିଲେ। ଉଭୟ ୧୪.୧ ଓଭର ଖେଳି ୩୬ରନ ଯୋଗ କରିଥିଲେ। ମୟଙ୍କ ୩୭ଟି ବଲରୁ ୫ଟି ଚୌକା ସହାୟତାରେ ୨୬ ରନ କରିଥିବାବେଳେ ଜାନସେନ୍‌ଙ୍କ ବଲରେ ଆଉଟ୍‌ ହୋଇଥିଲେ। ମୟଙ୍କଙ୍କ ୱିକେଟ ପତନ ପରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଦ୍ବିତୀୟ ୱିକେଟରେ ରାହୁଲ ଓ ଚେତେଶ୍ବର ପୂଜାରା ମାତ୍ର ୧୨ରନ ଯୋଗ କରିଥିଲେ। ୪୯ରନ ସ୍କୋର ଥିବାବେଳେ ଭାରତ ଦୁଇଟି ୱିକେଟ ହରାଇଥିଲା। ଡୁଆନେ ଓଲିଭର ୨୪ତମ ଓଭରରେ କ୍ରମାଗତ ଦୁଇଟି ବଲରେ ଦୁଇଟି ୱିକେଟ ନେଇଥିଲେ। ପୂଜାରା ୩ ରନ କରି ଓଲିଭରଙ୍କ ବଲରେ ଆଉଟ୍‌ ହୋଇଥିଲେ। ରାହାଣେ ଖାତା ଖୋଲିବା ପୂର୍ବରୁ ଓଲିଭରଙ୍କ ପରବର୍ତ୍ତୀ ବଲରେ ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟ ପାଇଁ ରାହୁଲ ଓ ହନୁମା ବିହାରୀ ଦଳୀୟ ସ୍ଥିତିକୁ ସାମାନ୍ୟ ସୁଧାରିବାରେ ସଫଳ ହୋଇଥିଲେ। ଉଭୟେ ୪ର୍ଥ ୱିକେଟ ପାଇଁ ୪୨ରନ ଯୋଡିଥିଲେ। ୯୧ରନ ସ୍କୋର ଥିବାବେଳେ ବିହାରୀଙ୍କ ୱିକେଟ ପତନ ହୋଇଥିଲା। ବିହାରୀ କ୍ରିଜରେ ତିଷ୍ଠି ଆସୁଥିବାବଳେ ୨୦ରନ କରି ରାବଡାଙ୍କ ଏକ ବାଉନ୍ସର ବଲରେ ଡୁସେନଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ। ରାହୁଲ ଓ ଋଷଭ ପନ୍ତ୍‌ ପଞ୍ଚମ ୱିକେଟ ପାଇଁ ୨୫ରନ ଯୋଡ଼ିିଥିଲେ। ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୧୧୩ଟି ବଲରୁ ୯ଟି ଚୌକା ସହାୟତାରେ ୫୯ରନ କରିଥିଲେ। ଷଷ୍ଠ ୱିକେଟ ପାଇଁ ପନ୍ତ୍‌ ଓ ଅଶ୍ବିନ ୪୦ରନ ଯୋଡିଥିଲେ। ଦଳୀୟ ସ୍କୋର ୧୫୬ରନ ଥିବାବେଳେ ପନ୍ତ୍‌ ୧୭ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟର ପତନ ୧୫୭ରନରେ ଘଟିଥିଲା। ସାର୍ଦୁଳ ଠାକୁର ଖାତା ଖୋଲି ପାରିନଥିଲେ। ଶେଷ ଆଡକୁ ଅଶ୍ବିନଙ୍କ ୫୦ ବଲରୁ ୬ଟି ଚୌକା ସହ ୪୬ରନ ସହାୟତାରେ ଭାରତ ୬୩.୧ ଓଭର ଖେଳି ୨୦୨ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସାମି ୯ ଓ ମହମ୍ମଦ ସିରାଜ୍‌ ୧ରନ କରି ଆଉଟ୍‌ ହୋଇଥିବାବେଳେ ଯଶପ୍ରୀତ ବୁମ୍‌ରା ୧୪ରନ କରି ଅପରାଜିତ ରହିଥିଲେ।
ଦକ୍ଷିଣଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ ୪ଟି, ଡୁଆନେ ଓଲିିଭିୟର ଓ କାଗିସୋ ରାବଡା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ନେଇଥିଲେ। ମ୍ୟାଚରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି। ଆହତ ବିରାଟ କୋହଲିଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ସୁଯୋଗ ମିଳିଥିବାବେଳେ ଲୋକେଶ ରାହୁଲ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.